ଡିଜିପିଙ୍କ ମାଲକାନଗିରି ଜିଲ୍ଲା ଗସ୍ତ, ମାଓ ସମସ୍ୟା ନେଇ ଉଚ୍ଚସ୍ତରୀୟ ବୈଠକ

ମାଲକାନଗିରି, ୭/୧୧: ଆଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ମାଲକାନଗିରି ଗସ୍ତ କରିଛନ୍ତି। ସେ ପ୍ରଥମେ ମାଓ ପ୍ରଵଣ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳର ଗୋରାସେତୁ ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ଯବାନ ମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝି ବିଏସଏଫ ଅଧିକାରୀଙ୍କ ସହିତ ମାଓ ସମସ୍ୟା ନେଇ ଆଲୋଚନା କରିଥିଲେ। ପରେ ମାଲକାନଗିରି ବିଏସଏଫ ବେଶ କ୍ୟାମ୍ପ ଓ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ବିଏସଏଫ ଉଚ୍ଚ ଅଧିକାରୀ ଓ ଅନ୍ୟାନ୍ୟ ପୁଲିସ ଅଧିକାରୀଙ୍କ ସହିତ ମାଓ ଦମନର ରଣନିତି ସମ୍ପର୍କରେ ଆଲୋଚନା କରିବା ସହିତ ମାଓ ସମୀକ୍ଷା କରିଛନ୍ତି। ଅପରାହ୍ନରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଜିପି ସୂଚନା ଦେଇଛନ୍ତି। ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓ ମୁକ୍ତ ଘୋଷଣା କରାଯିବାର ଲକ୍ଷ୍ୟ ରଖାଯାଇଛି । ଏନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଲକ୍ଷ୍ୟ ଧାର୍ଯ୍ୟ କରି ସାରିଛନ୍ତି ।
ମାଓବାଦୀଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଗଞ୍ଜେଇ ଚାଷ ହେଉଥିଲା, ଏବେ ମାଓବାଦୀଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ବେଇଆଇନ ଗଞ୍ଜେଇ ଚାଷ ଓ ଚାଲାଣ ମଧ୍ୟ କମିଛି। ଆସନ୍ତା ୨୦୨୬ ମସିହା ମାର୍ଚ୍ଚ ମାସ ସୁଦ୍ଧା ଜିଲ୍ଲାରୁ ମାଓବାଦୀ ନିପାତ ହେବା ସହିତ ବେଆଇନ ଗଞ୍ଜେଇ ଚାଷକୁ ରୋକାଯିବ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଜିଲ୍ଲାରୁ ବିଏସଏଫ ଯବାନଙ୍କୁ ସ୍ଥାନାନ୍ତର ବିଷୟରେ ସେ ପ୍ରକାଶ କରିଛନ୍ତି ଯେ, ସ୍ଵାଭିମାନ ଅଞ୍ଚଳରେ ଯେଉଁ ଶାନ୍ତି ଫେରି ଆସିଛି ତାହା ସବୁବେଳେ ରହିବା ପାଇଁ ଆମର ପ୍ରୟାସ ରହିବ। ସ୍ଵାଭିମାନ ଅଞ୍ଚଳରେ ସବୁବେଳେ ସୁରକ୍ଷା ବଳର ସ୍ଵତନ୍ତ୍ର କ୍ୟାମ୍ପ ରହିବ, ତେଣୁ ଏହାକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହି ବୋଲି ଶ୍ରୀ ଖୁରାନିଆ ଲୋକଙ୍କୁ ଅପିଲ କରିଥିଲେ। ତେବେ ଡିଜିପିଙ୍କ ଏହି ଗସ୍ତ ସମୟରେ ଡିଆଇଜି ଅପରେସନ ଅଖିଳେଶ୍ଵର ସିଂ, ଡିଆଇଜି ଏସଆଇଡବ୍ଲ୍ୟୁ କେଭି ସିଂ, କୋରାପୁଟ ଏସପି ରୋହିତ ବର୍ମା, ମାଲକାନଗିରି ଅତିରିକ୍ତ ଏସପି ତପନ ନାରାୟଣ ରଥ ପ୍ରମୁଖଙ୍କ ସହ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ଡିଜିପି ଆଜି ମାଲକାନଗିରିରେ ରାତ୍ର ରହଣୀ କରି ଆସନ୍ତାକାଲି ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.