କ୍ରୀଡ଼ାର ବିକାଶ ନିମନ୍ତେ ଦୃଷ୍ଟିଭଙ୍ଗୀର ପରିବର୍ତନ ଆବଶ୍ୟକ: ଦିଗବିଜୟ ସିଂହଦେଓ

ଭୁବନେଶ୍ୱର: ଭାରତରେ କ୍ରୀଡ଼ାର ବିକାଶ ନିମନ୍ତେ କ୍ରୀଡ଼ା ପ୍ରତି ଜନସାଧାରଣଙ୍କ ଦୃଷ୍ଟିଭଙ୍ଗୀ ପରିବର୍ତିତ ହେବା ଆବଶ୍ୟକ ବୋଲି ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଶ୍ର୍ରୀ ଦିଗବିଜୟ ସିଂହଦେଓ କହିଛନ୍ତି ।

ଅଲିମ୍ପିକ୍ ସମେତ ଅନେକ ବିଶ୍ୱସ୍ତରୀୟ କ୍ରୀଡ଼ାକୁ ଗଣମାଧ୍ୟମରେ ଉପସ୍ଥାପିତ କରିଥିବା ଶ୍ରୀ ସିଂହଦେଓ କହିଥିଲେ ଯେ ଅଲିମ୍ପିକ୍‌ରେ ଅଧିକ ସଫଳ ହେଉଥିବା ଦେଶ ଯଥା ଆମେରିକା, ଚୀନ୍‌, ଜାପାନ୍‌, ଫ୍ରାନ୍ସ ଓ ଜର୍ମାନୀରେ କେହି ଅଲିମ୍ପିକରେ ପଦକ ଜିତିବା ନିମନ୍ତେ ଅନୁଶୀଳନ କରନ୍ତି ନାହିଁ । ଏହି ଦେଶଗୁଡ଼ିକରେ କ୍ରୀଡ଼ାରେ ଭାଗ ନେବା ସମସ୍ତଙ୍କ ନିମନ୍ତେ ଏକ ସ୍ୱାଭାବିକ ବିଷୟ । ସେମାନେ କ୍ରୀଡ଼ାରେ ନୈପୁଣ୍ୟ ହାସଲ ନିମନ୍ତେ. ଦଳଗତ ମନୋଭାବ ସୃଷ୍ଟି ନିମନ୍ତେ, ଶାରୀରିକ ସୁସ୍ଥତା ନିମନ୍ତେ ଓ ପ୍ରତିପକ୍ଷକୁ କିପରି ସମ୍ମାନ ଦିଆଯାଏ ସେ ବିଷୟ ଶିକ୍ଷା କରିବା ନିମନ୍ତେ କ୍ରୀଡ଼ାରେ ଭାଗ ନେଇଥାନ୍ତି ।

ଶ୍ରୀ ସିିଂହଦେଓ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ମହୋତ୍ସବ ‘ସୋଆ କପ୍‌’ର ପୁରସ୍କାର ବିତରଣୀ ସଭାରେ ବୁଧବାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମନ୍ତବ୍ୟ ରଖିଥିଲେ ।

ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ରୀଡ଼ା ସାମ୍ବାଦିକତା କରୁଥିବା ଶ୍ରୀ ସିଂହଦେଓ ପୂର୍ବରୁ ଷ୍ଟାର ନ୍ୟୁଜ୍‌, ସିଏନ୍‌ଏନ୍‌-ଆଇବିଏନ ଓ ଉଇଅନ୍ ଭଳି ସମ୍ବାଦ ଚ୍ୟାନେଲରେ କାର୍ଯ୍ୟ କରିଛନ୍ତି ଏବଂ ବର୍ତମାନ ଏସ୍‌ଜି ସ୍ପୋର୍ଟ୍ସ ମେଡିଆ ଓ ଏଂଟରଟେନ୍‌ମେଂଟର ଉପସଭାପତି ଭାବେ କାର୍ଯ୍ୟ କରୁଛନ୍ତି ।

ସେ କହିଥିଲେ ଯେ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ବର୍ତମାନ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି । କ୍ରୀଡ଼ାର ବିକାଶ ନିମନ୍ତେ ରାଜ୍ୟରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରି ଶ୍ରୀ ସିଂହଦେଓ କହିଥିଲେ ଯେ ରାଜ୍ୟରେ କ୍ରୀଡ଼ା ଭିତିଭୂମିର ଆଖିଦୃଶିଆ ଉନ୍ନତି ନିମନ୍ତେ ଜାତୀୟ ସ୍ତରରେ ଓଡ଼ିଶାର ପରିଚୟ ବର୍ତମାନ ବଦଳି ଯାଇଛି ।

ସେ ସୋଆ କପରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସେମାନଙ୍କୁ କ୍ରୀଡ଼ାରେ ସଂଶ୍ଲିଷ୍ଟ ହୋଇ ରହିବା ନିମନ୍ତେ ଉତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଏହି କ୍ରୀଡ଼ା ମହୋତ୍ସବରେ ଫୁଟବଲ୍‌, କ୍ରିକେଟ, ଭଲିବଲ, ବାସ୍କେଟବଲ, କବାଡ଼ି, ବ୍ୟାଡମିଂଟନ, ଟେବୁଲ ଟେନିସ. ସଫ୍ଟବଲ, ଟେନିସ୍‌, ଖୋ ଖୋ, ଚେସ୍‌. ଥ୍ରୋବଲ୍ ଓ ଆଥଲେଟିସ୍ ତଥା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନ୍ତର୍ଭୁକ୍ତ ଥିଲା ।

ଏହି କାର୍ଯ୍ୟକ୍ରମରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏବର୍ଷ ପାଇଁ ସୋଆ କପ୍ ସଂଯୋଜକ ଡକ୍ଟର ସୌର୍ଯ୍ୟ ରଂଜନ ଦାସ ଓ ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ର୍ବମା ଉପସ୍ଥିତ ଥିଲେ । ଆସନ୍ତା ବର୍ଷ ଏହି କାର୍ଯ୍ୟକ୍ରମ ନିମନ୍ତେ ଡକ୍ଟର ତନ୍ମୟ ପରଡ଼ା ସଂଯୋଜକ ହେବେ ବୋଲି ମଧ୍ୟ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.