ବଦଳି ନିର୍ଦେଶ ସତ୍ବେ ମାସ ମାସ ଧରି ସ୍ଥାନ ଛାଡୁନାହାନ୍ତି ୩ କନିଷ୍ଠ ଯନ୍ତ୍ରୀ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର
ମାଲକାନଗିରି, ୮।୧ ମାଲକାନଗିରି ଜିଲ୍ଲାରେ ସରକାରୀ ନିର୍ଦେଶକୁ ପାଳନ କରୁ ନାହାନ୍ତି ଅଧିକାରୀ। ବଦଳି ନିର୍ଦେଶର ମାସ ମାସ ପରେ ମଧ୍ୟ ନିଜ ସ୍ଥାନ ଛାଡୁ ନାହାନ୍ତି ଯନ୍ତ୍ରୀ। କିଛି ଏପରି ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର କୋରୁକୋଣ୍ଡା ଓ ମାଲକାନଗିରି ସଦର ବ୍ଲକରେ। ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ ସୁଦିପ୍ତା ସାହୁଙ୍କୁ ମାଲକାନଗିରି ଠାରୁ କୋରକୁଣ୍ତା, ମନିଷା ପୂଜାରୀଙ୍କୁ ମାଲକାନଗିରି ଠାରୁ କାଲିମେଳା ଏବଂ କାଇରା ପୂର୍ତ୍ତିଙ୍କୁ କୋରକୁଣ୍ତା ଠାରୁ ଖଇରପୁଟକୁ ବଦଳି କରଯାଇଥିଲା। ମୋଟ ୧୦ ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ଗତ ଅକ୍ଟୋବର ୨୯ ୨୦୨୪ରେ ଜିଲାପାଳ ଖୋଦ ଏହି ବଦଳି କରିଥିବା ନେଇ ନିର୍ଦେଶ ମଧ୍ୟ ଜାରି ହୋଇଥିଲା। କିନ୍ତୁ ଏଯାବତ ଉପରୋକ୍ତ ୩ ଜଣଙ୍କୁ ଆଜି ଯାଏଁ ବ୍ଲକସ୍ତରରେ ରିଲିଫ୍ କରାଯାଇନାହିଁ। ଯାହା ଫଳରେ ଏହି ୩ କନିଷ୍ଠ ଯନ୍ତ୍ରୀ ବଦଳି ହେବା ସତ୍ବେ ନିଜ ସ୍ଥାନ ପରିବର୍ତ୍ତନ କରୁନଥିବା ଅଭିଯୋଗ ହୋଇଛି। ତେବେ ଏହି କନିଷ୍ଠ ଯନ୍ତ୍ରୀ ମାନେ କାହା ସ୍ବାର୍ଥରେ ରହିଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସହ ଜିଲାପାଳଙ୍କ ଆଦେଶକୁ ବେଖାତିର କରି ବଦଳିର ୪ ମାସ ହୋଇଥିଲେବି ଏମାନେ କାହିଁକି ନିଜ କ୍ଷେତ୍ରରେ ରହିବାକୁ ନାରାଜ ହେଉଛନ୍ତି ତାହାକୁ ନେଇ ସାଧାରଣରେ ସନ୍ଧେହ ସୃଷ୍ଟି ହୋଇଛି। ତେବେ ଏନେଇ ଆମେ ମାଲକାନଗିରି ବ୍ଲକ ବିଡିଓ ତପନ କୁମାର ସେନାପତିଙ୍କୁ ଯୋଗଯୋଗ କରିବାରୁ ସେ ବଦଳି ଘଟଣାକୁ ସ୍ଵୀକାର କରିଥିବା ବେଳେ କେଉଁ କାରଣରୁ ଉଭୟ କନିଷ୍ଠ ଯନ୍ତ୍ରୀ ସ୍ଥାନ ଛାଡି ନାହାନ୍ତି ତାହାର କାରଣ ବିଷୟରେ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ସେହିପରି କନିଷ୍ଠ ଯନ୍ତ୍ରୀ କାଇରା ପୂର୍ତ୍ତିଙ୍କ ବଦଳିକୁ ନେଇ କୋରୁକୋଣ୍ଡା ବିଡିଓଙ୍କୁ ବାରମ୍ବାର ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ନଥିବାରୁ ତାଙ୍କର ମତାମତ ମିଳି ନାହି। ତେବେ ବଦଳି ନିର୍ଦେଶ ପରେ କିପରି ୩ ଜଣ ଅଧିକାରୀ ମାସ ମାସ ଧରି ନିଜ ସ୍ଥାନ ଛାଡୁ ନାହାନ୍ତି, ଏହା ପଛରେ କଣ କାରଣ ରହିଛି ତାହାକୁ ନେଇ ତଦନ୍ତର ଆବଶ୍ୟକତା ରହିଛି। ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର କରିବା ଜିଲ୍ଲାରେ ଚର୍ଚ୍ଚା ଜୋର୍ ଧରିଛି।