ବୁଲା କୁକୁରର ଚିକିତ୍ସା ପାଇଁ ଦିଲ୍ଲୀରୁ ଆସିଲା ଫୋନ କଲ୍

ବେକରେ ଘା’ ହୋଇ ସଂକ୍ରମଣ ବଢ଼ି ଚାଲିଛି। ଏଥିଯୋଗୁ ଗୋଟିଏ ବୁଲା କୁକୁର ଖୁବ କଷ୍ଟ ପାଉଛି। ତୁରନ୍ତ ଚିକିତ୍ସା ନ ହେଲେ ସେ ଛଟପଟ ହୋଇ ମରିଯିବ। ଏମିତି କିଛି ଖବର ପାଇବା ପରେ ଦିଲ୍ଲୀରୁ ଆସିଥିଲା ଗୋଟିଏ ଫୋନ କଲ। ତାହା ପରେ ତୁରନ୍ତ ଆରମ୍ଭ ହୋଇଗଲା ଏହି କୁକୁରର ଚିକିତ୍ସା। ଡାକ୍ତର ସଂକ୍ରମିତ ସ୍ଥାନକୁ ପୋଛି ମଲମ ଲଗାଇ ଦେଇଛନ୍ତି। କହିଛନ୍ତି, ଶୀଘ୍ର କୁକୁରଟି ସୁସ୍ଥ ହୋଇଯିବ। ଆଜି ଜଗତସିଂହପୁର ବାଲିକୁଦା ମେଡିକାଲ ରୋଡରେ ପଡ଼ି ରହିଥିବା ଅସୁସ୍ଥ ବୁଲା କୁକୁରର ଚିକିତ୍ସା ପାଇଁ ଏଭଳି ଧାଁ ଧପଡ଼ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି।ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ନିକଟକୁ ଏହି କୁକୁର ଚିକିତ୍ସା ନିମନ୍ତେ ଦିଲ୍ଲୀରୁ ବିଜେପି ସାଂସଦ ତଥା ପିପୁଲ୍ସ ଫର ଆନିମଲର ଅଧ୍ୟକ୍ଷା ମେନକା ଗାନ୍ଧୀଙ୍କ ଫୋନ ଆସିଥିଲା। କୁକୁରର ତୁରନ୍ତ ଚିକିତ୍ସା କରାଇବାକୁ ସେ କହିଥିଲେ। ଫୋନ୍ କଲ୍ ପାଇବା ପରେ ବାଲିକୁଦା ମେଡିକାଲ ରୋଡ ନିକଟରୁ ଆନିମଲ ହେଲ୍ପଲାଇନ୍ ସହାୟତାରେ କୁକୁରକୁ ଉଦ୍ଧାର କରାଯାଇଥିଲା।ବାଲିକୁଦା ନରିଲୋ ଗାଁର ସାଇକ୍ରିଷ୍ଣା ଦାସ ନାମକ ଜଣେ ଯୁବତୀ କୁକୁର ବେକରେ କ୍ଷତ ହୋଇଥିବା ଦେଖିବା ପରେ ଭୁବନେଶ୍ୱର ପିପୁଲ୍ସ ଫର ଆନିମଲ କର୍ମଚାରୀଙ୍କୁ ଜଣାଇଥିଲେ। ଏହାପରେ ଭୁବନେଶ୍ୱର ପିପୁଲ୍ସ ଫର ଆନିମଲ କର୍ମଚାରୀ ଇମେଲ୍ ଯୋଗେ ମାନେକା ଗାନ୍ଧୀଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ। ଯାହା ପରେ ଏହି ତତ୍ପରତା ଦେଖିବାକୁ ମିଳିଥିଲା। ତାଙ୍କ ହସ୍ତକ୍ଷେପ ପରେ ଅସୁସ୍ଥ ବୁଲା କୁକୁରଟିକୁ ଉଦ୍ଧାର କରାଯାଇ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ସାମାନ୍ୟ ଏକ ସୂଚନା କୁକୁରର ଜୀବନ ରକ୍ଷା କରିଦେଇପାରିଛି।

Leave A Reply

Your email address will not be published.