ଦୋଷ ମାନିଲେ ଶର୍ମିଷ୍ଠା, କିନ୍ତୁ କାହିଁକି ମାରିଲେ କହିଲେନି!

ଫେବ୍ରୁଆରୀ ୭ ତାରିଖରେ ରଞ୍ଜନ ନାଏକ, ଝୁନା ଭୋଇ, ଭାଗ୍ୟଧର ନାୟକ ଓ ନିଲୁ ଓରଫ ବିବେକ ସହିତ ମିଶି ସେ ତାଙ୍କ କାରରେ ମାନସ ସ୍ୱାଇଁଙ୍କୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାସପୁରରୁ ଅପହରଣ କରିଥିଲେ। ସେମାନେ ମାନସଙ୍କୁ ଭୁବନେଶ୍ୱରର ଏୟାରଫିଲ୍ମ ଥାନା ଅନ୍ତର୍ଗତ ଦୟାଲ ଆଶ୍ରମକୁ ଆଣିଥିଲେ। ମଧ୍ୟାହ୍ନ ସୁଦ୍ଧା ସେମାନେ ଦୟାଲ ଆଶ୍ରମରେ ପହଞ୍ଚି ଯାଇଥିଲେ। ସେମାନେ ଆଶ୍ରମରେ ମାନସଙ୍କୁ ନିସ୍ତୁକ ପିଟିଥିଲେ। ମାନସର ମୃତ୍ୟୁ ହୋଇଯିବା ପରେ ୮ ତାରିଖ ଅପରାହ୍ଣରେ ଶର୍ମିଷ୍ଠାଙ୍କ କାରରେ ମୃତଦେହକୁ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳକୁ ନେଇଥିଲେ। ସେଠାରେ ସେଦିନ ସନ୍ଧ୍ୟାରେ ମାନସଙ୍କ ମୃତଦେହକୁ ପୋତି ଦେଇଥିଲେ। ମୃତଦେହକୁ ପୋତି ଦେବା ପରେ ସେମାନେ ଚଣ୍ଡିଖୋଲ ଯାଇ ସେଠାରୁ ଦୁଇ କିଲୋମିଟର ଦୂରରେ ଦଇତାରୀ-ପାରାଦୀପ ଏକ୍ସପ୍ରେସ୍ ହାଇୱେ ପାଖରେ ମୃତଦେହକୁ ପୋତିବା ପାଇଁ ଗାତ ଖୋଳିବାକୁ ବ୍ୟବହାର କରାଯାଇଥିବା ଗଇଁତି, ଫାଉଡ଼ା ସହିତ ଏକ ଅଖା ଓ ଶାଢ଼ି ଫୋପାଡ଼ି ଦେଇଥିଲେ।

ହତ୍ୟା ପରେ ଝୁନା ଭୋଇଙ୍କ ସହିତ ଶର୍ମିଷ୍ଠା ଭୁବନେଶ୍ୱର ଏକ ନମ୍ୱର ମାର୍କେଟକୁ ଯାଇ ଅଖା, ଗ୍ଲୋବ୍ସ, ସୁତୁଲି କିଣିଥିଲେ। ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ରାଜସୁନାଖଳାରୁ ୧୦ କେଜି ଲୁଣ କିଣିଥିଲେ। ସେହିପରି ଶର୍ମିଷ୍ଠାଙ୍କ ସହଯୋଗୀ ଭାଗ୍ୟଧର ନାୟକ ଓ ରଞ୍ଜନ ରାଜସୁନାଖଳାରୁ କୋଦାଳ ଏବଂ ଗଇଁତି କିଣିଥିଲେ। ଏହା ପରେ ମୃତଦେହକୁ ପୋତିବା ପାଇଁ ସ୍ଥାନ ସ୍ଥିର କରିଥିଲା। ନିଷ୍ପତ୍ତି ଅନୁସାରେ ଭାଗ୍ୟଧର ନାୟକଙ୍କ ଗାଁ ରଣପୁର ଥାନା ବଧିପାଟଣାଠାରୁ ଦୁଇରୁ ତିନି କିମି ଦୂରରେ ମାନସଙ୍କ ମୃତଦେହ ପୋତି ଦେଇଥିଲେ।

ଆଜି ଶର୍ମିଷ୍ଠାଙ୍କୁ ନେଇ ସିନ୍ ରିକ୍ରିଏସନ୍ କରିଥିଲା କ୍ରାଇମବ୍ରାଞ୍ଚ। ଡିଏସ୍‌ପି କଳ୍ପନା ସାହୁଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ଶର୍ମିଷ୍ଠାଙ୍କୁ ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ପଳାସପୁର ଗାଁକୁ ଯାଇଥିଲା। ଫେବ୍ରୁଆରୀ ୬ ତାରିଖରେ ଶର୍ମିଷ୍ଠା ଅନ୍ୟ ଅଭିଯୁକ୍ତମାନଙ୍କ ସହିତ କେଉଁ ରାସ୍ତା ଦେଇ ପଳାସପୁର ଗାଁରେ ରାତିରେ ପହଞ୍ଚିଥିଲେ ଓ ୭ ତାରିଖ ସକାଳ ପର୍ଯ୍ୟନ୍ତ କେଉଁଠି ଅପେକ୍ଷା କରିଥିଲେ ଓ ମାନସଙ୍କୁ କେମିତି ଅପହରଣ କରିଥିଲେ, ତାହା ବର୍ଣ୍ଣନା କରିଥିଲେ। ସେହିପରି ଶର୍ମିଷ୍ଠାଙ୍କୁ ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମ ନିଆଯାଇ ସିନ୍‌ ରି କ୍ରିଏସନ୍ କରାଯାଇଥିଲା। ତା’ପରେ ତାଙ୍କୁ ନୟାଗଡ଼ ସେହି ସ୍ଥାନକୁ ନିଆଯାଇଥିଲା ଯେଉଁଠି ମାନସଙ୍କ ମୃତଦେହକୁ ପୋତା ଯାଇଥିଲା।

Leave A Reply

Your email address will not be published.