ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପାଣ୍ଡରା ଛକଠାରେ ରାସ୍ତାରୋକ

ଭୁବନେଶ୍ୱର ତା ୧.୮- ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ତରଫରୁ ଆଜି ପାଣ୍ଡରା ଛକଠାରେ ୨୦୩ ନମ୍ବର ଜାତୀୟ ରାଜପଥରେ ରାସ୍ତାରୋକ କରାଯାଇଥିଲା । ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ ଭୁବନେଶ୍ୱର ଭାରତବର୍ଷରେ ଏକ ଅତ୍ୟାଧୁନିକ ସ୍ମାର୍ଟସିଟିର ଡିଣ୍ଡିମ ପିଟୁଥିଲା ବେଳେ ପ୍ରକୃତ ସତକଥା ହେଉଛି ଦୀପତଳ ଅନ୍ଧାର । ଏହି ସ୍ମାର୍ଟସିଟି ଅର୍ନ୍ତର୍ଗତ ୨୦୩ ନମ୍ବର ଜାତୀୟ ରାଜପଥ ଯାହା ସର୍ବସାଧାରଣ ପୁରୀ ବାଇପାସ ରୋଡ଼ ବୋଲି କୁହାଯାଉଛି, ଏହି ରାଜପଥ ବର୍ତମାନ ସବୁଠାରୁ ଏକ ବ୍ୟସ୍ତବହୁଳ ରାଜପଥ ରୂପେ ପରିଗଣିତ । ପ୍ରତିଦିନ ଲକ୍ଷାଧିକ ଯାନବାହାନ ଚଳାଚଳ କରୁଅଛି । ସପ୍ତସତି ମନ୍ଦିର ଠାରୁ ଆରମ୍ଭ କରି ଦୟାନଦୀ ଶିଶୁପାଳ ଛକ ପର୍ଯ୍ୟନ୍ତ ଏହି ରାସ୍ତାରେ ଦିନରେ ଏବଂ ରାତିରେ ରାହାଜାନୀ ଠାରୁ ଆରମ୍ଭ କରି ଚେନ ଛିନତାଇ, ଚୋରି ଇତ୍ୟାଦି ବହୁଳ ଭାବରେ ହେଉଛନ୍ତି କିନ୍ତୁ କମିଶନରେଟ ପୋଲିସ ପ୍ରଶାସନ ଏଥିପାଇଁ କୌଣସି ଧ୍ୟାନ ଦେଉନାହାନ୍ତି । ଏହି ସୁଦୀର୍ଘ ରାସ୍ତାରେ ଗୋଟିଏ ବୋଲି ଯାତ୍ରୀ ବିଶ୍ରାମଗାର ତଥା ଶୌଚାଳଟିଏ ନାହିଁ । ବହୁ ଯାନବାହାନ ଗମନାଗମନ କରୁଥିଲେ ମଧ୍ୟ ଗୋଟିଏ ବୋଲି ପେଟ୍ରୋଲପମ୍ପ ମଧ୍ୟ ନାହିଁ ଏହି ସମସ୍ତ ଅବବ୍ୟବସ୍ଥାକୁ ନେଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଏହି ରାସ୍ତାରୋକ କାର୍ଯ୍ୟକ୍ରମ ଦିନ ଘ. ୧୦.୩୦ ମି. ରେ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୬ ନମ୍ବର ବ୍ଲକ ସଭାପତି ଶ୍ର୍ରୀଧର ବଳିଆର ସିଂ, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ବ୍ରହ୍ମାନନ୍ଦ ସାହୁ, ଅକ୍ଷୟ କୁମାର ଦାସ, ମିତ୍ରଭାନୁ ମହାପାତ୍ର, ସଭଦ୍ରା ମିଶ୍ର, ଜୟଶ୍ରୀ ନନ୍ଦ, ଜିତେନ୍ଦ୍ର ଜଗଦେବ, ଅଶୋକ ସାହୁ, ମାଧବ ବେହେରା, ଆଲୋକ ବାରିକ ଏବଂ ସେ ଅଂଚଳର ବହୁ ବାସିନ୍ଦା ଅଂଶଗ୍ରହଣ କରିଥିଲେ । ମଂଚେଶ୍ୱର ଥାନା ଅଧିକାରୀଙ୍କୁ ଭୁବନେଶ୍ୱର ମହାନଗର ନିଗମର ମେୟରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସରକାରୀ ଅଧିକାରୀ ମାନଙ୍କ ବୁଝାସୁଝା ପରେ ଏହି ରାସ୍ତାରୋକ କାର୍ଯ୍ୟକ୍ରମର ନେତୃବର୍ଗମାନେ ହଟିଥିଲେ । ଯଦି ଏହି ଦାବି ଅତିଶୀଘ୍ର ପୂରଣ ନହୁଏ ତାହାହେଲେ ଆସନ୍ତା ଦିନରେ ଏକ ବିରାଟ ଜନ ଆନ୍ଦୋଳନ ହେବ ବୋଲି ଚେତାଇ ଦେଇଛି ।

Leave A Reply

Your email address will not be published.