xmas

ରାଗିଂ ରୋକିବାକୁ କଠୋର ହେଲେ ସରକାର: ଏଣିକି ଅଭିଯୁକ୍ତଙ୍କ ବିରୋଧରେ ଏତଲା

ଭୁବନେଶ୍ବର : ଆରମ୍ଭ ହେବାକୁ ଯାଉଛି ନାମଲେଖା ଋତୁ। ତା’ପୂର୍ବରୁ ରାଗିଂ ରୋକିବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିୟମ କରାଯାଇଛି। କୌଣସି ଶିକ୍ଷାନୁଷ୍ଠାନ ଛାତ୍ର/ଛାତ୍ରୀ ଯଦି ରାଗିଂରେ ସମ୍ପୃକ୍ତ ଥିବା‌ ଜ‌ଣାପଡ଼େ ତେବେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ନିକଟସ୍ଥ ଥାନାରେ ଏତଲା ଦେବାକୁ ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ନିର୍ଦେଶ ଦିଆଯାଇଛି।

କେବଳ ସେତିକି ନୁହେଁ, ରାଗିଂ ଉପରେ ନଜର ରଖିବାକୁ ତ୍ରିସ୍ତରୀୟ କମିଟି ଗଠନ କରାଯିବ। ରାଜ୍ୟ, ଜିଲ୍ଲା ଓ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଗଢ଼ା ହେବାକୁ ଥିବା କମିଟି ବିଭିନ୍ନ ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅଚାନକ ଗସ୍ତ କରି ଯାଞ୍ଚ କରିବେ। କଲେଜସ୍ତରରେ ଆଣ୍ଟି ରାଗିଂ ସ୍କ୍ବାଡ୍‌ ଗଠନ କରାଯିବ। ଯେଉଁଥିରେ ୩ରୁ ୪ ଜଣ ଅଧ୍ୟାପକ ସାମିଲ ରହିବେ। ଶିକ୍ଷାବର୍ଷ ଆରମ୍ଭରେ ପିଲାଙ୍କ ଅଭିଭାବକ www.antiragging.in ଓ www.amanmovement.org ୱେବସାଇଟ୍‌ରେ ୨୦୨୧ ଅକ୍ଟୋବର ୨୭ରେ ୟୁଜିସି ପକ୍ଷରୁ ଜାରି ଆଣ୍ଟିଂ ରାଗିଂ ଅଣ୍ଡରଟେକିଂ ଦାଖଲ କରିବେ। ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କଠାରୁ ଅନେକ୍ସ ସି(୧) ଓ ସି(୨)ରେ ଅଣ୍ଡରଟେକିଂ ଲେଖି ରଖିବେ। ଏହା କୌଣସି ଆଫିଡେବିଟ୍‌ ହୋଇ ନ ଥିବାରୁ ନୋଟାରିର ଦସ୍ତଖତର ଆବଶ୍ୟକତା ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ରାଗିଂ ଉପରେ ନଜର ରଖିବ ତ୍ରିସ୍ତରୀୟ କମିଟି
କଲେଜସ୍ତରରେ ହେବ ଆଣ୍ଟି ରାଗିଂ ସ୍କ୍ବାଡ୍‌
ଅଣ୍ଡରଟେକିଂ ଦେବେ ଛାତ୍ରଛାତ୍ରୀ, ଅଭିଭାବକ

ସେପଟେ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତି ତିନି ମାସରେ ଛାତ୍ରଛାତ୍ରୀଙ୍କୁ ଆଣ୍ଟି-ରାଗିଂ ସମ୍ପର୍କିତ ପଚାରପତ୍ର ବାଣ୍ଟିବେ। ଏଥିରେ ଜାତୀୟ ଆଣ୍ଟିଂ ରାଗିଂ ହେଲ୍‌ପ୍‌ଲାଇନ୍‌ ନମ୍ବର, ଶିକ୍ଷାନୁଷ୍ଠାନର ଇ-ମେଲ୍‌ ଆଇଡି, ମୋବାଇଲ୍‌ ନମ୍ବର, ହଷ୍ଟେଲ ୱାର୍ଡେନ୍‌, ସୁପରିଟେଣ୍ଡେଣ୍ଟ, ଅଧ୍ୟକ୍ଷ, ଆଣ୍ଟି ରାଗିଂ ସ୍କ୍ବାଡ୍‌ ସଦସ୍ୟଙ୍କ ଫୋନ୍‌ ନମ୍ବର ଓ ଇମେଲ୍‌ ଆଇଡି ରହିବା ନିତ୍ୟାନ୍ତ ଜରୁରୀ। ଶିକ୍ଷାନୁଷ୍ଠାନର ବିଭିନ୍ନ ସ୍ଥାନରେ ଲାଗିଥିବା ଡିସ୍‌ପ୍ଲେ ବୋର୍ଡରେ ମଧ୍ୟ ଉକ୍ତ ନମ୍ବରଗୁଡ଼ିକ ପ୍ରଦର୍ଶିତ ହେବ। ହଷ୍ଟେଲଗୁଡ଼ିକରେ ମଧ୍ୟ ଉକ୍ତ ନମ୍ବର ଲଗାଯିବା ବାଧ୍ୟତାମୂଳକ। ଆଣ୍ଟି ରାଗିଂ ନେଇ କ୍ୟାମ୍ପସରେ ଡ୍ରାମା, ଅଡିଓ ଭିଜୁଆଲ୍‌ ମାଧ୍ୟମରେ ସଚେତନତ‌ା କାର୍ଯ୍ୟକ୍ରମ ‌ହେବ। ଆଣ୍ଟି ରାଗିଂ ସ୍କ୍ବାଡ୍‌ରେ ୩ରୁ ୪ ଜଣ ଅଧ୍ୟାପକ ରହିବେ। ଶିକ୍ଷାନୁଷ୍ଠାନ ମୁଖ୍ୟ ଏହାର ତଦାରଖ କରିବେ। ସ୍କ୍ବାଡ୍‌ର ସଦସ୍ୟମାନେ ବିଭିନ୍ନ ସମୟରେ ହଷ୍ଟେଲକୁ ଅଚାନକ ଗସ୍ତ କରି ଯାଞ୍ଚ କରିବେ। ଅଭିଯୋଗ ଆସିଲେ ସ୍କ୍ବାଡ୍‌ ପକ୍ଷରୁ ଘଟଣାର ଯାଞ୍ଚ କରାଯିବା ସହ ତାହାର ରିପୋର୍ଟ ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କୁ ପ୍ରଦାନ କରିବେ। ଯାଞ୍ଚ ସମୟରେ ଯେପରି ସ୍ବଚ୍ଛତା ବଜାୟ ରୁହେ ସେଥିପ୍ରତି ଗୁରୁତ୍ବ ଦେବେ

କ୍ୟାମ୍ପସ ରାଗିଂ ମୁକ୍ତ କରିବା ଲାଗି ସ୍କ୍ବାଡ୍‌ର ସଦସ୍ୟମାନେ ଶିକ୍ଷାବର୍ଷର ପ୍ରଥମ ତିନି ମାସ ଧରି ଯାଞ୍ଚ କରିବେ। ୟୁଜିସି ନିୟମ ଅନୁଯାୟୀ ରାଗିଂରେ ସମ୍ପୃକ୍ତ ଥିବା କୌଣସି ବି ଛାତ୍ର/ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଯଦି ରାଗିଂର ସତ୍ୟତା ଜଣାପଡ଼େ ତେବେ ଆଇପିସି ଧାରା ଅନୁଯାୟୀ ଶିକ୍ଷାନୁଷ୍ଠାନ ପକ୍ଷରୁ ନିକଟସ୍ଥ ଥାନାରେ ଏତଲା କରିବେ। ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ନ କରି ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ୟୁଜିସି ନିୟମର ପାରା-୯(ବି) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇପାରିବେ। କ୍ୟାମ୍ପସକୁ ରାଗିଂ ମୁକ୍ତ କରିବା ଦିଗରେ ଶିକ୍ଷାନୁଷ୍ଠାନଗୁଡ଼ିକ ପଦକ୍ଷେପ ନେବେ। ରାଗିଂ ଏକ ଅପରାଧିକ କାର୍ଯ୍ୟକଳାପ ହୋଇଥିବାରୁ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ତାହାକୁ ହାଲୁକାରେ ନେବା ଉଚିତ୍‌ ନୁହେଁ। ଅଭିଯୁକ୍ତ ଓ ଅଭିଯୋଗକାରୀଙ୍କ ମଧ୍ୟରେ ଆପୋଷ ବୁଝାମଣା ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଆଜି ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ ଡିଗ୍ରି କଲେଜ ଓ ଶିକ୍ଷକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ, ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.