ସିଙ୍ଗଲ୍‌ ୱିଣ୍ଡୋ କମିଟିର ମଞ୍ଜୁରି: ୧୧ ପ୍ରକଳ୍ପରେ ନିବେଶ ହେବ ୨,୨୫୩ କୋଟି

ଭୁବନେଶ୍ବର: ରାଜ୍ୟରେ ୧୧ଟି ପ୍ରକଳ୍ପରେ ୨,୨୫୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୩,୧୮୭ ଜଣଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଜି ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକ ସେବା ଭବନରୁ ଡିଜିଟାଲ୍ ମାଧ୍ୟମରେ ଅନୁଷ୍ଠିତ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଆଲୁମିନିୟମ୍ ଓ ଇସ୍ପାତ ଆନୁଷଙ୍ଗିକ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଖାଦ୍ୟ ପ୍ରକ୍ରିୟାକରଣ, ତୈଳ ଓ ଗ୍ୟାସ୍, ବୈଦୁତିକ ପଦାର୍ଥ ଉତ୍ପାଦନ ଓ ମାନୁଫାକ୍‌ଚରିଂ କ୍ଷେତ୍ରରେ କାର୍ଯକାରୀ ହେବ। ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ପ୍ରକଳ୍ପଗୁଡ଼ିକର ବୈଷୟିକ, ଆର୍ଥିକ ଓ ଭିତ୍ତିଭୂମି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି।

ମିଳିଥିବା ତଥ୍ୟ ଅନୁଯାୟୀ, ଫିଡର୍ସ ଇଲେକ୍ଟ୍ରିକ୍ ଆଣ୍ଡ୍‌ ଇଞ୍ଜିନିୟରିଂ ପକ୍ଷରୁ ସୁନ୍ଦରଗଡ଼ରେ ୫୩୩.୨୫ କୋଟି ଟଙ୍କା ବିନିଯୋଗରେ ଏକ ଲୁହାପଥର ବେନିଫିକେସନ କାରଖାନା ସ୍ଥାପନ କରାଯିବ। ସେହିପରି, ଏନ୍‌ଭିରୋକେୟାର ଇନଫ୍ରାସଲ୍ୟୁସନ୍‌ ସୁନ୍ଦରଗଡ଼ରେ ୫୨୦ କୋଟି ଟଙ୍କା ନିବେଶ କରି ଡିଆର୍‌ଆଇ ସହିତ ପେଲେଟ୍‌ ଓ ବେନିଫିକେସନ୍ ପ୍ଲାଣ୍ଟ୍‌ ଓ ଫେରୋ ଆଲଏଜ୍ ପ୍ଲାଣ୍ଟ୍ ସ୍ଥାପନ କରିବ। ଆର୍ଯ୍ୟ ଆଇରନ୍ ଆଣ୍ଡ୍‌ ଷ୍ଟିଲ୍‌ କଂପାନି କେନ୍ଦୁଝରରେ ୧୭୫.୭୫ କୋଟି ଟଙ୍କା ବିନିଯୋଗରେ ବିଲେଟ୍‌/ କଲର କୋଟେଡ୍ ଟିଏମ୍‌ଟି ଓ ଫିଲ୍‌ଟର କେକ୍ ହାଣ୍ଡଲିଂ ସିଷ୍ଟମ୍ ସ୍ଥାପନ କରିବ। ସିଏମ୍‌ଆର୍‌ ଇକୋ ଆଲୁମିନିୟମ୍ ସମ୍ବଲପୁରରେ ୧୦୧ କୋଟି ଟଙ୍କା ନିବେଶରେ ଲିକ୍ୟୁଇଡ୍ ଆଲୁମିନିୟମ୍ ଆଲଏଜ୍ କାରଖାନା ସ୍ଥାପନ କରିବ। ଆଦାନି ଏଣ୍ଟପ୍ରାଇଜେସ୍‌ ଖୋର୍ଦ୍ଧାରେ ୫୦୦ କୋଟି ଟଙ୍କା ଖଟାଇ ଏକ ଡାଟା ସେଣ୍ଟର୍‌ ସ୍ଥାପନ କରିବାକୁ ଥିବା ବେଳେ ପୁଷ୍ପମ୍ ‌ଟେକ୍ନୋଲୋଜି ପକ୍ଷରୁ ଖୋର୍ଦ୍ଧାରେ ସଫ୍ଟଓୟାର ବିକାଶ ଓ ବାଣିଜ୍ୟ ପାଇଁ ଡିଜିଟାଲ୍ ପ୍ଲାଟଫର୍ମରେ ୫୦ କୋଟି ଟଙ୍କା ନିବେଶ କରାଯିବ।

ଗଞ୍ଜାମରେ ରାଜ ରାଜେଶ୍ବର ଲଲିଆ ତ୍ରିପୁର ସୁନ୍ଦରୀ ପକ୍ଷରୁ ୧୫୦ କୋଟି ଟଙ୍କା ନିବେଶରେ ଉଚ୍ଚ ମାନର ଟିଟାନିୟମ୍ ସ୍ଲାଗ୍ ଓ ବାଇ ପ୍ରଡକ୍ଟ, ପିଗ୍ ଆଇରନ୍‌ ଉତ୍ପାଦନ କରାଯିବ। ଅମ୍ରିତ ଧାରା ନ୍ୟୁଟ୍ରି ଫୁଡ୍‌ ପକ୍ଷରୁ କଟକରେ ୫୯.୪୮ କୋଟି ଟଙ୍କା ନିବେଶରେ ଏକ ଡେରି ଉତ୍ପାଦ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯିବ। ଜାତକ ଜୀଭନ ପେଟ୍ରୋକେମିକାଲ୍‌ସ ପକ୍ଷରୁ ଢେଙ୍କାନାଳରେ ୬୧.୩୦ କୋଟି ଟଙ୍କା ନିବେଶରେ ଏକ ଶସ୍ୟ ଭିତ୍ତିକ ଇଥାନଲ୍ ପ୍ଲାଣ୍ଟ୍‌ ସ୍ଥାପନ କରାଯିବ। ସ୍ମାର୍ଟ ଡିଜାଇନ୍ ପ୍ରୋଜେକ୍ଟସ୍‌ ପକ୍ଷରୁ ଖୋର୍ଦ୍ଧାରେ ୫୨.୩୭ କୋଟି ଟଙ୍କା ବିନିଯୋଗରେ ଓୟାରହାଉସିଂ ଓ ଲଜିଷ୍ଟିକ୍ ପ୍ରକଳ୍ପ ସ୍ଥାପନ କରାଯିବ। ଭାରତ ଗ୍ୟାସ୍‌ ରିସୋର୍ସେସ୍‌ ପକ୍ଷରୁ ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ପ୍ରାକୃତିକ ଗ୍ୟାସ ରେଗୁଲେଟିଂ ସିଷ୍ଟମ୍ ଓ ଡି କମ୍ପ୍ରେସିଂ ୟୁନିଟ୍ ପାଇଁ ୫୦ କୋଟି ଟଙ୍କା ନିବେଶ କରାଯିବ।

ଏହି ପ୍ରକଳ୍ପଗୁଡ଼ିକୁ ନୀତିଗତ ଅନୁମୋଦନ ଦେଇ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ବାରୋପ କରିଛନ୍ତି। ଏଥିପାଇଁ ପ୍ରଶାସନିକ ସହଯୋଗ ଦେବା ଲାଗି ସବୁ ବିଭାଗକୁ ନିର୍ଦେଶ ଦେଇଛନ୍ତି। ବିଭିନ୍ନ ଶିଳ୍ପ ଦରକାର କରୁଥିବା ଜମି ଓ ଜଳର ସଠିକ୍ ଅନୁଶୀଳନ କରି ସେହି ଅନୁସାରେ ବ୍ୟବସ୍ଥା କରିବାକୁ କହିଛନ୍ତି। ଶିଳ୍ପ ସଂସ୍ଥାଗୁଡ଼ିକ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ଯେଭଳି ବ୍ୟବସ୍ଥା ଗ୍ରହଣ କରିବେ ତାହା ନିଶ୍ଚିତ କରିବାକୁ ସେ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଅନୁମୋଦନ କରାଯାଇଥିବା ପ୍ରକଳ୍ପଗୁଡ଼ିକୁ ନିର୍ଧାରିତ ସମୟ ଭିତରେ ନିର୍ମାଣ ଓ ଉତ୍ପାଦନ ଆରମ୍ଭ କରିବା ଉପରେ ଦୃଷ୍ଟି ଦେବାକୁ ସେ ଇପିକଲ୍‌କୁ କହିଛନ୍ତି। ସବୁ ପ୍ରକଳ୍ପରେ ସ୍କିଲ୍‌ଡ ଇନ୍ ଓଡ଼ିଶାର ଯୁବକଯୁବତୀମାନଙ୍କୁ ନିଯୁକ୍ତି ଦେବା ଉପରେ ମୁଖ୍ୟ ସଚିବ ଗୁରୁତ୍ବ ଦେଇଛନ୍ତି।

Leave A Reply

Your email address will not be published.