xmas

ଅଗଷ୍ଟ ୨୭ରୁ ଟି-୨୦ ଫର୍ମାଟରେ ଏସିଆ କପ, ଏହି ଦେଶ କରିବ ଆୟୋଜନ

ଏସିଆ କପ୍‌ର ପରବର୍ତ୍ତୀ ସଂସ୍କରଣ ଆସନ୍ତା ଅଗଷ୍ଟ ୨୭ରୁ ଆରମ୍ଭ ହେବ। ଏଥିର ଟି-୨୦ ଫର୍ମାଟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଶ୍ରୀଲଙ୍କା ଏସିଆ କପ ଆୟୋଜନ କରିବାକୁ ଅଧିକାର ପାଇଥିବା ଆଜି ଏସିଆନ କ୍ରିକେଟ କାଉନସିଲ(ଏସିସି) ପକ୍ଷରୁ ଘୋଷଣା କରାଯାଇଛି।

ଏସିସି ଗୋଟିଏ ବିବୃତିରେ କହିଛି ଯେ “ଏସିଆ କପ ୨୦୨୨ ଟି-୨୦ ଫର୍ମାଟରେ ଖେଳାଯିବ। ଅଗଷ୍ଟ ୨୭ରୁ ଆରମ୍ଭ ହୋଇ ଏହା ସେପ୍ଟେମ୍ବର ୧୧ ଯାଏ ଚାଲିବ। ଶ୍ରୀଲଙ୍କା ଏହାର ହୋଷ୍ଟିଂ ଦାୟିତ୍ୱ ପାଇଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଗୁଡ଼ିକ ଅଗଷ୍ଟ ୨୦ରୁ ଆରମ୍ଭ ହେବ।”

ଏସିଆ କପ ପ୍ରତି ୨ ବର୍ଷରେ ଥରେ ଆୟୋଜନ ହୋଇଥାଏ। ତେବେ ମହାମାରୀ କରୋନା ଯୋଗୁ ଏହାର ୨୦୨୦ ସଂସ୍କରଣ ଅନୁଷ୍ଠିତ ହୋଇପାରି ନଥିଲେ। ହେଲେ ଏବେ ୨୦୨୨ରେ ଏସିଆ କପ ଖେଳାଯିବ। ୧୯୮୪ରେ ପ୍ରଥମଥର ପାଇଁ ଏସୀୟ ଦେଶଗୁଡ଼ିକୁ ନେଇ ଏସିଆ କପ ଆରମ୍ଭ ହୋଇଥିଲା।

ଇତି ମଧ୍ୟରେ ଭାରତ ସର୍ବାଧିକ ୭ ଥର ଏସିଆ କପ ଜିତିବାର ରେକର୍ଡ କରିଛି। ଟିମ ଇଣ୍ଡିଆ, ୧୯୮୪, ୧୯୮୮, ୧୯୯୦/୯୧, ୧୯୯୫, ୨୦୧୦, ୨୦୧୬ ଓ ୨୦୧୮ରେ ଚାମ୍ପିୟନ ହୋଇଥିଲା। ୨୦୧୮ ସଂସ୍କରଣରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳୁଥିବା ଭାରତ ଫାଇନାଲରେ ବାଂଲାଦେଶକୁ ହରାଇ ଥିଲା। ଏହି ମ୍ୟାଚ୍‌ଟି ଦୁବାଇରେ ଖେଳା ଯାଇଥିଲା।

ଏସିଆ କପ ପ୍ରକୃତିରେ ୫୦ ଓଭର ବିଶିଷ୍ଟ ଥିଲା। କିନ୍ତୁ ୨୦୧୬ରେ ଏହା ଟି-୨୦ ଫର୍ମାଟରେ ଖେଳାଯାଇଥିଲା। ୨୦୧୮ରେ ଏହା ୫୦ ଓଭର ବିଶିଷ୍ଟ ଥିଲା। ଏବେ ୨୦୨୨ରେ ଟି-୨୦ ଫର୍ମାଟରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ।

Leave A Reply

Your email address will not be published.