mobile header

ସେବାୟତଙ୍କୁ ହତ୍ୟା ପାଇଁ ଡିଲ୍‌ ହୋଇଥିଲା ୩୦ ଲକ୍ଷ ଟଙ୍କା

ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ ପାଇଁ ସେବାୟତଙ୍କୁ କରାଯାଇଥିଲା ହତ୍ୟା ! ଏଥିପାଇଁ ହୋଇଥିଲା ୩୦ ଲକ୍ଷ ଟଙ୍କାର ଡିଲ୍। ପୁରୀ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ୬ ଅଭିଯୁକ୍ତ ଗିରଫ ପରେ ଏସ୍‌ପି କନଓ୍ୱର ବିଶାଲ ସିଂହ ଏହି ସୂଚନା ଦେଇଛନ୍ତି। ଏହାସହ ପୁରା ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛନ୍ତି ଏସ୍‌ପି।

ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାରେ ଗିରଫ ୬ ଜଣଙ୍କ ମଧ୍ୟରେ ୨ ଜଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଛନ୍ତି। ଏହି ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଲେ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ। ଗିରଫ ଅନ୍ୟ ଅଭିଯୁକ୍ତ ହେଲେ ମୁନା ପାତ୍ର, ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ, ବାବା ମହାପାତ୍ର। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପରେ କ୍ରାଇମ ସିନ୍ ରିକ୍ରିଏଟ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ହତ୍ୟା ଘଟଣା ସମ୍ପର୍କରେ ସୂଚନା ଦେଇ ଏସ୍‌ପି କହିଛନ୍ତି, ଗିରଫ କାଳୁଠାରୁ ଦେଢ଼ ଲକ୍ଷ ଟଙ୍କା ଜବତ ହୋଇଛି। ତେବେ ଏତଲାରେ ନାଁ ଥିବା ଆଉ ୩ ଜଣଙ୍କୁ ଗିରଫ କରାଯିବ। ସେଥିପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ। ଏମାନେ ପୂର୍ବରୁ ଥରେ ସେବାୟତ କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲେ। ତେବେ ପ୍ରତିଶୋଧ ପାଇଁ କିମ୍ବା ହତ୍ୟାର ଅନ୍ୟ କିଛି କାରଣ ଥାଇପାରେ ବୋଲି ଏସ୍‌ପି କହିଛନ୍ତି। ହତ୍ୟାକାଣ୍ଡ ପାଇଁ ୨ ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳୁକୁ ଯୋଜନା ପ୍ରସ୍ତୁତ ପାଇଁ କହିଥିଲେ। ଅଭିଯୁକ୍ତଙ୍କୁ ଫେରାର କରାଇବାରେ ସନ୍ଦୀପ ଜେନାର ଭୂମିକା ରହିଛି। ସେହିପରି ଗିରଫ ମୁନା ପାତ୍ର ହତ୍ୟାକାଣ୍ଡ ପାଇଁ ପିସ୍ତଲ ଯୋଗାଇଥିଲା।

ଏତଲା ଅନୁସାରେ ବାବା ମହାପାତ୍ର ଘଟଣାସ୍ଥଳରେ ଥିବାରୁ ତାକୁ ଗିରଫ କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଜଣଙ୍କ ବିରୋଧରେ ପ୍ରମାଣ ମିଳିଛି। ହତ୍ୟାକାଣ୍ଡ ପାଇଁ ଟଙ୍କା ଡିଲ୍ ହୋଇଥିବା ପୁରୀ ଏସ୍‌ପି ସୂଚନା ଦେଇଛନ୍ତି। ଫାୟାରିଂ କରିଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ଧରାଯାଇଛି। ପ୍ରାଥମିକ ତଦନ୍ତରୁ ଗୁନ ସିଂହାରୀ ହତ୍ୟା ଲିଙ୍କ୍‌ର ସୂଚନା ମିଳିଥିବା ପୁରୀ ଏସ୍‌ପି କହିଛନ୍ତି। ଗତ ୧୬ ତାରିଖରେ ସେବାୟତ କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା କରାଯାଇଥିଲା।

କାଳିଆ ସିଂହାରୀ – କାଳିଆ ସିଂହାରୀ ହେଉଛନ୍ତି ମୃତ ଗୁନ ସିଂହାରୀଙ୍କ ଭାଇ । ଗୁନ ସିଂହାରୀଙ୍କ ମୃତ୍ୟୁ ପରେ ପ୍ରତିଶୋଧ ନେବା ପାଇଁ ଚାହୁଁଥିଲେ କାଳିଆ ସିଂହାରୀ । ଏହି ହତ୍ୟା ଘଟଣାରେ କାଳିଆ ସିଂହାରୀ ମୁଖ୍ୟ ଷଡ଼ଯନ୍ତ୍ରୀକାରୀ ବୋଲି ପୋଲିସ କହିଛି ।

ଦୋଳ ଗୋବିନ୍ଦ ସିଂହାରୀ – ଦୋଳ ଗୋବିନ୍ଦ ସିଂହାରୀ ହେଉଛନ୍ତି ମୃତ ଗୁନ ସିଂହାରୀଙ୍କ ପୁତୁରା । ଗୁନ ସିଂହାରୀଙ୍କ ମୃତ୍ୟୁ ପରେ ପ୍ରତିଶୋଧ ନେବା ପାଇଁ ଚାହୁଁଥିଲେ ଦୋଳ ଗୋବିନ୍ଦ ସିଂହାରୀ । ଏହି ହତ୍ୟା ଘଟଣାରେ ଦୋଳ ଗୋବିନ୍ଦ ସିଂହାରୀ ମୁଖ୍ୟ ଷଡ଼ଯନ୍ତ୍ରୀକାରୀ ବୋଲି ପୋଲିସ କହିଛି ।

କାଳୁ ପ୍ରାଣିଗ୍ରାହୀ – କାଳୁ ପ୍ରାଣିଗ୍ରାହୀ ପୁରା ହତ୍ୟା ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିବାରେ ମୁଖ୍ୟ ଭୂମିକା ନେଇଥିଲା । ସେ ହୋଟେଲର ମ୍ୟାନେଜର ଥିଲେ । ଟଙ୍କା କାରବାର ସହିତ ଅନ୍ୟ ଆନୁସଙ୍ଗିକ ସହାୟତା ଦେଇଥିଲେ କାଳୁ ପାଣିଗ୍ରାହୀ ।

ସନ୍ଦିପ ଜେନା – ସନ୍ଦିପ ଜେନା ହତ୍ୟାକାରୀଙ୍କୁ ଲୁଚିବା ପାଇଁ ବ୍ୟବସ୍ଥା କରିଥିଲେ । ସେମାନେ ପୁରୀରୁ କେମିତି ଯିବେ ଏବଂ କେଉଁଠି ରହିବେ ସେ ବ୍ୟବସ୍ଥା କରିଥିଲେ ।

ମୁନା ପାତ୍ର – ମୁନା ପାତ୍ର ହତ୍ୟାକାରୀଙ୍କୁ ବନ୍ଧୁକ ଯୋଗାଇଥିଲେ । ମୁନା ପାତ୍ର ଜଣେ ଅପରାଧୀ ଭାବରେ ପୋଲିସ ଫାଇଲରେ ନାଁ ରହିଛି । ବାହାର ରାଜ୍ୟରୁ ବନ୍ଧୁକ ଆଣି ଅପରାଧୀଙ୍କୁ ବନ୍ଧୁକ ଯୋଗାନ୍ତି ମୁନା ପାତ୍ର ।

ବାବା ମହାପାତ୍ର – କୃଷ୍ଣ ପ୍ରତିହାରୀ ହତ୍ୟା ଘଟଣାରେ ବାବା ମହାପାତ୍ରଙ୍କ ନାଁ ଏଫଆଇଆରରେ ରହିଛି । ସେ ଘଟଣା ସ୍ଥଳରେ ଥିବା ପୋଲିସ କହିଛି । ଗୁଳିକାଣ୍ଡ ସାରି ପଳାଉଥିବା ବେଳେ ବାବା ମହାପାତ୍ରଙ୍କୁ ଦେଖିଥିଲେ ମୃତ କୃଷ୍ଣ ପ୍ରତିହାରୀଙ୍କ ଭାଇ ।

Leave A Reply

Your email address will not be published.