mobile header

କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଫେରାର ୩ ଅଭିଯୁକ୍ତ ଗିରଫ

ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଫେରାର ୩ ଅଭିଯୁକ୍ତଙ୍କୁ ଅଟକ ରଖିଲା ପୁରୀ ପୋଲିସ । ୩ ଅଭିଯୁକ୍ତ ଅଟକ ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍ପି । କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା ଅଟକ ରହିଥିବାର ସୂଚନା ମିଳିଛି । ଗତକାଲି ୬ ଜଣଙ୍କୁ ଗିରଫ କରିଥିଲା ପୁରୀ ପୋଲିସ ।

ସେବାୟତ କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା ପାଇଁ ହୋଇଥିଲା ୩୦ ଲକ୍ଷର ଡିଲ୍ । ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ ପାଇଁ ହୋଇଛି କୃଷ୍ଣଙ୍କୁ ମର୍ଡର । ୬ ଦିନରେ ଘଟଣାର ପର୍ଦ୍ଦଫାସ୍ ସହ ୬ ଜଣଙ୍କୁ ଆରେଷ୍ଟ କରିଛି ପୁରୀ ପୋଲିସ୍ । ଯାହାଙ୍କ ମଧ୍ୟରେ ଅଛନ୍ତି ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ । ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ପାଇଁ ମର୍ଡର ହୋଇ ଥାଇପାରେ ବୋଲି ଅନୁମାନ କରିଛନ୍ତି ଏସ୍‌ପି । ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ସହ ଫେରାର ଆଉ ୩ ଅଭିଯୁକ୍ତଙ୍କୁ ଶୀଘ୍ର ଧରାଯିବ ବୋଲି କହିଛନ୍ତି ।

ତେବେ ଗିରଫ ଅଭିଯୁକ୍ତମାନେ ହେଲେ କାଳିଆ ସିଂହାରୀ, ଦୋଳଗୋବିନ୍ଦ ସିଂହାରୀ, ମୁନା ପାତ୍ର, ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ ଓ ବାବା ମହାପାତ୍ର । କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା ପଛରେ ଏମାନଙ୍କ ମଧ୍ୟରୁ କାହାର ଥିଲା କେଉଁ ରୋଲ୍ ? କାଳିଆ ସିଂହାରୀ ଓରଫ୍ ତଳୁଛ ନିତ୍ୟାନନ୍ଦ ମହାପାତ୍ର ଗୁନ ସିଂହାରୀଙ୍କ ବଡ଼ ଭାଇ, ତଥା ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ । ଦୋଳଗୋବିନ୍ଦ ସିଂହାରୀ ହେଉଛନ୍ତି କାଳିଆ ସିଂହାରୀଙ୍କ ପୁଅ, ତଥା ଗୁନ ସିଂହାରୀଙ୍କ ପୁତୁରା ଏବଂ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ । ସେ ହିଁ କୃଷ୍ଣ ହତ୍ୟାକାଣ୍ଡ ପାଇଁ ଦେଇଥିଲା ସୁପାରୀ ।

କାଳୁ ପାଣିଗ୍ରାହୀ- ପୁରା ହତ୍ୟାକାଣ୍ଡର ରଚିଥିଲା ବ୍ଲୁ-ପ୍ରିଣ୍ଟ, ଦୁଇ ସୁପାରୀ କିଲରଙ୍କୁ ଫେରାର ବାଟ ବତାଇଥିଲା । ଇଏ ସେହି କାଳୁ ପାଣିଗ୍ରାହୀ ଯିଏ ୨୦୧୪ରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ ଗୁଳିମାଡ଼ ଘଟଣାରେ ଯାଇଥିଲା ଜେଲ୍ । ସେମିତି ଆଉ ଜଣେ ଅଭିଯୁକ୍ତ ବାବା ଓରଫ ଆଶିଷ ମହାପାତ୍ର । ହତ୍ୟାକାଣ୍ଡ ସ୍ଥଳରେ ସେ ଉପସ୍ଥିତ ଥିଲା । ମୁନା ପାତ୍ର, ହତ୍ୟାକାଣ୍ଡ ପାଇଁ ଯୋଗାଇଥିଲା ବନ୍ଧୁକ । ସନ୍ଦୀପ ଜେନା ଓ ଓରଫ୍ ଟୁଲିଆ ହତ୍ୟାକାଣ୍ଡର ଅନ୍ୟତମ ଷଡ଼ଯନ୍ତ୍ରକାରୀ ସହ ରଚିଥିଲା ଅଭିଯୁକ୍ତଙ୍କୁ ଫେରାର କରାଇବା ପ୍ଲାନ । ଏହି ଘଟଣାରେ ଆହୁରି ୩ ଅଭିଯୁକ୍ତ କୁନମୁନ ସୁଆର, ଟୁଟୁ ମହାପାତ୍ର ଓ ହରି ପଣ୍ଡା ଏବେ ବି ଫେରାର୍ ଅଛନ୍ତି । ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ୍‌ର ସ୍ୱତନ୍ତ୍ର ଟିମ୍ ଘୁରି ବୁଲୁଥିବା ପୁରୀ ଏସ୍‌ପି ସୂଚନା ଦେବା ସହ କୃଷ୍ଣ ହତ୍ୟାକାଣ୍ଡ ପଛର ସବୁଠୁ ବଡ଼ କାରଣ ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ବୋଲି ଆପାତତଃ ସ୍ପଷ୍ଟ ହୋଇଥିବା କହିଛନ୍ତି । ଅଧିକ ଖୋଳତାଡ଼ ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ।

୨୦୧୨ ଅଗଷ୍ଟ ୨୨ରେ ପ୍ରଭାବୀ ସେବାୟତ ତଳୁଛ ଭଗବାନ ମହାପାତ୍ର ଓରଫ ଗୁନ ସିଂହାରୀଙ୍କୁ ହୋଇଥିଲା ହତ୍ୟା । ଏହି ଘଟଣାରେ ସେବାୟତ କୃଷ୍ଣ ପ୍ରତିହାରୀ ଓରଫ କାଳିଆ ପଢିଆରୀ ସମେତ ୬ ଜଣଙ୍କୁ ଗିରଫ କରି ଜେଲ୍ ପଠାଇଥିଲା ପୋଲିସ୍ । ହେଲେ ଗତ ଜାନୁଆରୀ ୧୯ରେ ପ୍ରମାଣ ଅଭାବରୁ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରିଥିଲେ ପୁରୀ ଏସଡିଜେଏମ୍ କୋର୍ଟ । ଯେଉଁଥିରେ ପ୍ରତିଶୋଧ ପରାୟଣ ହୋଇ ଗୁନ ସିଂହାରୀଙ୍କ ଭାଇ ଓ ପୁତୁରା, କୃଷ୍ଣଙ୍କୁ ହତ୍ୟା ପାଇଁ ରଚିଥିଲେ ଷଡ଼ଯନ୍ତ୍ର । ଏକ ଲଜ୍‌ରେ ଏଥିପାଇଁ ଦୁଇ ଦୁଇ ଥର ପ୍ଲାନ ପ୍ରସ୍ତୁତ ହୋଇଥିଲା ।

ପ୍ରଥମ ଥର ପ୍ଲାନ୍ ଫେଲ୍ ମାରିଥିଲା । ଦ୍ୱିତୀୟ ଥର ଲୋକନାଥ ମନ୍ଦିରରେ ଶପଥ ନେବା ପରେ ସଫଳ ହୋଇଥିଲା । ଗତ ୧୬ ତାରିଖରେ କୃଷ୍ଣଙ୍କୁ ଜିରୋ ରେଞ୍ଜରୁ ହତ୍ୟା ପାଇଁ ହୋଇଥିଲା ୩୦ ଲକ୍ଷ ଟଙ୍କାର ଡିଲ୍ । ଯେଉଁଥିରୁ ଅଗ୍ରୀମ ଆକାରରେ ୨ଲକ୍ଷ ଓ ବନ୍ଧୁକ ପାଇଁ ୭୦ ହଜାର ଟଙ୍କା ବି ଦିଆଯାଇଥିଲା । ଯେଉଁଥିରୁ ଅଭିଯୁକ୍ତ କାଳୁ ପାଣିଗ୍ରାହୀଠାରୁ ଦେଢ଼ ଲକ୍ଷ ଟଙ୍କା ଉଦ୍ଧାର ହୋଇସାରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଗୁଳି ଓ ବନ୍ଧୁକ ଜବତ କରାଯାଇଛି । ସେବାୟତ ଗୁନ ସିଂହାରୀଙ୍କଠୁ କୃଷ୍ଣ ପ୍ରତିହାରୀଙ୍କ ହତ୍ୟାରେ ଅଧିକରୁ ଅଧିକ ସେବାୟତଙ୍କ ସଂପୃକ୍ତି ସ୍ପଷ୍ଟ ହେବା ପରେ ଏହାକୁ ନେଇ ପୁରୀର ବୁଦ୍ଧିଜୀବୀ ଓ ଭକ୍ତଙ୍କ ମନରେ ସୃଷ୍ଟି ହୋଇଛି କ୍ଷୋଭ । ଜିଲ୍ଲାପାଳ କହିଛନ୍ତି ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ପାଇଁ ଉଦ୍ୟମ କରାଯିବ ।

Leave A Reply

Your email address will not be published.