mobile header

କୋଭିଡ୍ ମୃତ୍ୟୁ ପାଇଁ କ୍ଷତିପୂରଣ: ମେ’ ୨୦ ପର୍ଯ୍ୟନ୍ତ ବଢ଼ିଲା ଆବେଦନ ତାରିଖ

ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ସରକାର ଏବେ କୋଭିଡ୍ ମୃତ୍ୟୁରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୫୦ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେଉଛନ୍ତି । ନଭେମ୍ବର ୩ତାରିଖରୁ ରାଜ୍ୟରେ ଏହି କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରାଜ୍ୟ ସରକାର ଏହି କ୍ଷତିପୂରଣ ପାଇବା ନିମନ୍ତେ ଆବେଦନ ତାରିଖକୁ ଚଳିତବର୍ଷ ମେ’ ମାସ ୨୮ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

କୋଭିଡ୍ ମୃତ୍ୟୁଜନିତ କ୍ଷତିପୂରଣ ପାଇବାକୁ ଏବେ ପ୍ରାୟ ୧୭୫୦୦ଟି ଆବେଦନ ପଡ଼ି ରହିଥିବାବେଳେ ସେଥିରୁ ୧୬୨୫୦ଟି ଆବେଦନକାରୀଙ୍କୁ କ୍ଷତିପୂରଣ ମିଳିସାରିଛି । ଯଦିଓ ରାଜ୍ୟ ସରକାରଙ୍କ ୱେବସାଇଟରେ କୋଭିଡଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟରେ ମାତ୍ର ୯୧୨୧ ଜଣ ରହିଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଯେଉଁ ବ୍ୟକ୍ତିମାନେ ୨୦୨୨ ମାର୍ଚ୍ଚ ୨୦ତାରିଖ କିମ୍ବା ତା’ପୂର୍ବରୁ କୋଭିଡ-୧୯ରେ ପ୍ରାଣ ହରାଇଛନ୍ତି ଓ ସେମାନଙ୍କ ସମ୍ପର୍କୀୟମାନେ ଯଦି ଏହି ସହାୟତା ରାଶି(୫୦ହଜାର ଟଙ୍କା) ପାଇନାହାନ୍ତି, ତା’ହେଲେ ସେମାନେ ଆବଶ୍ୟକୀୟ ଦସ୍ତାବିଜ ସହ ଜିଲ୍ଲାପାଳଙ୍କୁ ଅଫଲାଇନରେ କିମ୍ବା ସରକାରଙ୍କ ୱେବସାଇଟ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ ।

ଯଦି କେହି କୋଭିଡରେ ପ୍ରାଣ ହରାଇଥିବେ ଅବା ଭବିଷ୍ୟତରେ ପ୍ରାଣ ହରାନ୍ତି ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରବର୍ଗ ତାଙ୍କ ମୃତ୍ୟୁର ୯୦ଦିନ ମଧ୍ୟରେ ଆବଶ୍ୟକୀୟ ଦସ୍ତାବିଜ ସହ ଉଭୟ ଅଫଲାଇନ୍ କିମ୍ବା ଅନଲାଇନରେ ଆବେଦନ କରିପାରିବେ । ଯଦି କେହି କୌଣସି ଅସୁବିଧା ପାଇଁ ଏହି ଧାର୍ଯ୍ୟ ସମୟସୀମା ମଧ୍ୟରେ ଆବେଦନ କରିବାରେ ବିଫଳ ହୋଇଥିବେ, ତା’ହେଲେ ସେ ପ୍ରତି ଜିଲ୍ଲାରେ ଗଠିତ ଅଭିଯୋଗ ସମାଧାନ କମିଟି ମାଧ୍ୟମରେ ଆବେଦନ କରିପାରିବେ । କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ଆବେଦନ କରିବାର ୩୦ଦିନ ମଧ୍ୟରେ ଏହି ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ । ଆବଶ୍ୟକସ୍ଥଳେ ସରକାରଙ୍କ ହେଲପଲାଇନ ନମ୍ବର ୧୫୫୩୫କୁ ଫୋନ୍ କରି ଏହି ସହାୟତା ପାଇପାରିବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ଦ୍ୱାରା ସୂଚନା ଦିଆଯାଇଛି ।

Leave A Reply

Your email address will not be published.