mobile header

ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଭୁବନେଶ୍ୱରରେ ନୂତନ ପ୍ରକଳ୍ପ ‘ବାସୁଦେବ ବିହାର’ର ଶୁଭାରମ୍ଭ

ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଦ୍ବାରା ଭୁବନେଶ୍ବରର ଜଗନ୍ନାଥ ପ୍ରସାଦ ମଉଜା ରେ ‘ ବାସୁଦେବ ବିହାର’ ନାମରେ ଏକ ଉନ୍ନତ ଗୃହପୋଯୋଗୀ ଭୂଖଣ୍ଡ ( ପ୍ଲଟିଂ ) ପ୍ରକଳ୍ପର ଶୁଭାରମ୍ଭ ପରିପ୍ରେକ୍ଷୀରେ , ଏହାର ସୂଚନା ପୁସ୍ତିକା ଶନିବାର ସଂସ୍ଥା ମୁଖ୍ୟ ଦପ୍ତର ‘ ଗୃହ ନିର୍ମାଣ ଭବନ ‘ ରେ , ଏହାର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି ।

ଏହି ପ୍ରକଳ୍ପରେ ମୋଟ୍ ୧୬୫ ଟି ଉନ୍ନତ ଗୃହପୋଯୋଗୀ ଭୂଖଣ୍ଡ/ପ୍ଲଟ୍ ଆବଣ୍ଟନ ପାଇଁ ଥିବାବେଳେ , ଏଥିରୁ ୩୪ଟି ମଧ୍ୟମ ଆୟକାରୀ ବର୍ଗ , ୫୮ଟି ନିମ୍ନ- ମଧ୍ୟମ ଆୟକାରୀ ବର୍ଗ , ୩୨ଟି ନିମ୍ନ ଆୟକାରୀ ବର୍ଗ ଓ ୪୧ଟି ଆର୍ଥିକ ଦୁର୍ବଳ ଶ୍ରେଣୀ ଅନ୍ତର୍ଗତ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ଅଟେ । ଏହି ପ୍ରକଳ୍ପଟି ଅନ୍ଧାରୁଆ ପାଖଦେଇ ଯାଇଥିବା ଖଣ୍ଡଗିରି ଚନ୍ଦକା ମୁଖ୍ୟ ରାସ୍ତା ନିକଟରେ ଓ ପ୍ରସ୍ତାବିତ ଇଏସଆଇ ହସ୍ପିଟାଲ ପାର୍ଶ୍ଵରେ ଅବସ୍ଥିତ । ଏହି ମୁଖ୍ୟ ରାସ୍ତାକୁ ପ୍ରକଳ୍ପ ସହ ଏକ ପ୍ରଶସ୍ତ ରାସ୍ତା ଯୋଗେ ସଂଯୋଗ କରାଯିବ । ପ୍ରକଳ୍ପର ପ୍ରତ୍ୟେକ ପ୍ଲଟ୍ କୁ ସୀମାଙ୍କନ କରାଯାଇ ପ୍ରାଚୀର ଦ୍ୱାରା ଆବଦ୍ଧ କରାଯିବ ଓ ଆଭ୍ୟନ୍ତରୀଣ ପକ୍କା ରାସ୍ତା ଗୁଡିକ ଦ୍ୱାରାଏଗୁଡ଼ିକୁ ସଂଯୋଗ କରି ବିଦ୍ୟୁତ୍‌ , ପାଇପ୍ ଜଳ ଓ ଡ୍ରେନ୍ ଆଦି ସୁବିଧା ଏହି ପ୍ଲଟ୍ ଗୁଡ଼ିକୁ ଉପଲବ୍ଧ କରାଯିବ ।

ଆଗ୍ରହୀ କ୍ରେତା ମାନେ ପ୍ଲଟ୍ ଟିଏ ପାଇବା ପାଇଁ ଆବେଦନ କଲାବେଳେ ପ୍ଲଟ୍ ଟି ମୂଲ୍ୟ ର ମାତ୍ର ୧୦ % ଦାଖଲ କରି , ଲଟେରୀ ମାଧ୍ୟମରେ ଆବଣ୍ଟନ ଗ୍ରହୀତା ହେବା ପରେ ଅବଶିଷ୍ଟ ମୂଲ୍ୟ ଦାଖଲ ପାଇଁ ବ୍ୟାଙ୍କ ମାନଙ୍କଠୁଁ ଋଣ ନେଇ ସହଜ କିସ୍ତି ଆକାରରେ ବ୍ୟାଙ୍କକୁ ସୁଝି ପାରିବେ । ଅବଶ୍ୟ , କୌଣସି କ୍ରେତା ଚାହିଁଲେ ପ୍ଲଟ୍ ର ପୁରା ମୂଲ୍ୟ ଦେଇ ଆବେଦନ କରିପାରିବେ , ଯାହାଙ୍କୁ ଆବଣ୍ଟନ ବେଳେ ପ୍ରାଥମିକତା ଦିଆଯିବ । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ସଂସ୍ଥାର ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଥିଲେ ଯେ , ସଂସ୍ଥା ତରଫରୁ ଏବେ , ଭୁବନେଶ୍ବର ସମେତ ଅନୁଗୁଳ ସହରରେ ଆଗ୍ରହୀ କ୍ରେତା ମାନଙ୍କୁ ବାସପୋଯୋଗୀ ପ୍ଲଟ୍ ଓ ଗୃହ ଯୋଗାଇ ଦିଆଯାଉଛି । ଆଗାମୀ ଦିନରେ ଅନ୍ୟ ସହରମାନଙ୍କରେ ମଧ୍ୟ ସଂସ୍ଥା ତରଫରୁ ବିଭିନ୍ନ ଆବାସିକ ପ୍ରକଳ୍ପ କରିବା ପାଇଁ ପ୍ରସ୍ତୁତି ଚାଲିଛି । ବୈଠକରେ ଉପସ୍ଥିତ ଥିବା ସଂସ୍ଥାର ସଚିବ ସାଗରିକା ପଟ୍ଟନାୟକ କହିଥିଲେ ଯେ , ସଂସ୍ଥାର ପ୍ରକଳ୍ପ ଗୁଡ଼ିକ ନିର୍ଦ୍ଧାରିତ ସମୟରେ ସାରି ଗୃହ ବା ପ୍ଲଟ୍ ଗୁଡ଼ିକ ଆବଣ୍ଟନ ଗ୍ରହୀତା ମାନଙ୍କୁ ଠିକ୍ ସମୟରେ ହସ୍ତାନ୍ତର କରି ସଂସ୍ଥା ର ସୁନାମ ବୃଦ୍ଧି ପାଇଁ ସମସ୍ତେ ତତ୍ପରତାର ସହ କାର୍ଯ୍ୟ କରିବା ଉଚିତ୍ ।

ଅନ୍ୟମାନଙ୍କ ମଧ୍ୟରେ ସଂସ୍ଥାର ମୁଖ୍ୟ ଯନ୍ତ୍ରୀ ଲୋକନାଥ ପ୍ରସାଦ ମହାପାତ୍ର, ଭୂମି ତଥା ପ୍ରଶାସନିକ ଅଧିକାରୀ ଆରାଧନା ଦାସ, ବିତ୍ତ ଉପଦେଷ୍ଟା ତଥା ମୂଖ୍ୟ ହିସାବ ରକ୍ଷକ ପୁଷ୍ପାଞ୍ଜଳି ତ୍ରିପାଠୀ , ସ୍କ୍ରୀମ୍ ଅଫିସର୍ ମାନସ ରଞ୍ଜନ ଦାସ୍‌ , ପ୍ରକଳ୍ପ ଯନ୍ତ୍ରୀ ନାରାୟଣ ମାଝୀ , ଶ୍ରୀମନ୍ତ ପଣ୍ଡା , ଲଲାଟେନ୍ଦୁ ସାହୁ ଓ ଲୋକସମ୍ପର୍କ ଅଧିକାରୀ ଡଃ ବସନ୍ତ କୁମାର ସାହାଣୀ ପ୍ରମୁଖ ଏହି ବୈଠକ ରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.