mobile header

ରାଜନୀତି କରିଥା’ନ୍ତେ ଗିରଫ କୋଟିପତି ଯନ୍ତ୍ରୀ

ରାଜନୀତିକୁ ଆସିଥାଆନ୍ତେ କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ। ଚାକିରିରୁ ଅବସର ପରେ ରାଜନୀତି କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଆଜି ସେ ଭିଜିଲାନ୍ସ ଜେରାର ସମ୍ମୁଖୀନ ହେଲା ବେଳେ ଏ କଥା କହିଥିବା ଜଣାପଡ଼ିଛି। ତେବେ କେଉଁ ଦଳକୁ ଯିବାକୁ ଇଚ୍ଛା କରିଥିଲେ, ସେ ବିଷୟରେ କିଛି ଜଣାପଡ଼ିନି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ହେଉଛନ୍ତି କାର୍ତ୍ତିକେଶ୍ୱର ରାଉଳ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବୁଧବାରଠାରୁ ଭିଜିଲାନ୍ସ ତାଙ୍କୁ ଘାଣ୍ଟୁଛି। ଆଜି ତାଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କୁ ବି ଗିରଫ କରିଛି ଭିଜିଲାନ୍ସ। ଭୁବନେଶ୍ୱର କଳିଙ୍ଗନଗର ଅଞ୍ଚଳର ଟାଟା ଆରିନାର୍‌ ଏକ ଫ୍ଲାଟ୍‌ ରହୁଥିଲେ କଳ୍ପନା। ଯାହାଙ୍କ ଘରୁ ଗତ ଗୁରୁବାର ମିଳିଥିଲା ନଗଦ ୨ କୋଟିରୁ ଅଧିକ ଟଙ୍କା। ଆଉ ଆଜି ସାଲିଆସାହି ହାତୀଆଶୁଣି ବସ୍ତିରେ ରହୁଥିବା ଶାଳୀ ଉର୍ବଶୀ ପ୍ରଧାନଙ୍କ ଘରୁ ଠାବ ହୋଇଛି ନଗଦ ୧ କୋଟି ୪୧ ଲକ୍ଷ ଟଙ୍କା, ୩୫୪ ଗ୍ରାମ୍‌ ସୁନା ଓ ୧ କେଜିର ରୁପା ଅଳଙ୍କାର। ଏଯାଏଁ କାର୍ତ୍ତିକେଶ୍ୱରଙ୍କଠାରୁ ନଗଦ ୩ କୋଟି ୪୧ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ୭ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ ହୋଇସାରିଲାଣି। ତାଙ୍କ ପ୍ରଥମ ପତ୍ନୀଙ୍କ ନାଁରେ ୭୮ ଲକ୍ଷ ଟଙ୍କାର ଏକ ୩ ମହଲା କୋଠା ରହିଛି।

ସେପଟେ କାର୍ତ୍ତିକେଶ୍ୱରଙ୍କୁ ଜେରା ବେଳେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ। କଳ୍ପନା ରହୁଥିବା ଟାଟା ଆରିନାର ଫ୍ଲାଟ୍‌ଟି ଫୁଲବାଣୀର ଜଣେ ଏ କ୍ଲାସ୍‌ କଣ୍ଟ୍ରାକ୍ଟରଙ୍କ ନାଁରେ ଥିବା ଜଣାପଡ଼ିଛି। ତେବେ ସେହି ଏ କ୍ଲାସ୍‌ କଣ୍ଟ୍ରାକ୍ଟର କିଏ? କେଉଁ ଆଧାରରେ କାର୍ତ୍ତିକେଶ୍ୱରଙ୍କ ପତ୍ନୀ ରହୁଥିଲେ ଏହି ଫ୍ଲାଟ୍‌ରେ? ତାହା ଏବେ ରହସ୍ୟଜନକ ଥିବାବେଳେ କାର୍ତ୍ତିକେଶ୍ୱରଙ୍କ ଶାଳୀ କିନ୍ତୁ ଚର୍ଚ୍ଚାରେ। କାରଣ ଶାଳୀ ଉର୍ବଶୀ ଜଣେ ଦିନ ମଜୁରିଆ। କିଛିଦିନ ତଳେ ବସ୍ତିକୁ ଆସି ଘରଭଡ଼ା ନେଇ ରହୁଥିଲେ। ରାତି ପାହିଲେ ସିମେଣ୍ଟ, ଗୋଡ଼ି, ମାଟି କାମ କରୁଥିଲେ ବୋଲି ବସ୍ତି ବାସିନ୍ଦା କହିଥିଲେ। ହେଲେ ତାଙ୍କ ଘରୁ କୋଟିଏରୁ ଅଧିକ ଟଙ୍କା ମିଳିବା ଓ ତାଙ୍କ ଭିଣୋଇ ଯେ ଜଣେ ସହକାରୀ ଯନ୍ତ୍ରୀ, ଏହା ଜାଣିବା ପରେ ବସ୍ତି ବାସିନ୍ଦା ତାଜୁବ ହୋଇଛନ୍ତି।

ଭିଜିଲାନ୍ସ ଜେରା ବେଳେ କାର୍ତ୍ତିକେଶ୍ୱର କହିଛନ୍ତି, ଆଉ ୨-୩ ବର୍ଷ ପରେ ଚାକିରିରୁ ଅବସର ନେଇ ରାଜନୀତିକୁ ଆସିବାକୁ ଇଚ୍ଛା ରଖିଥିଲେ। ତେବେ କାହା ଛତ୍ରଛାୟାରେ କୋଟି କୋଟି ଟଙ୍କା ଠୁଳ କରିଥିଲେ କାର୍ତ୍ତିକେଶ୍ୱର?

Leave A Reply

Your email address will not be published.