ଭୂତଳ ଜଳ ଶୋଶୁଛି ରାମକୋ ସିମେଣ୍ଟ । ପାନୀୟ ଜଳ ପାଇଁ ହନ୍ତସନ୍ତ ଗ୍ରାମବାସୀ । ରାମକୋ ସିମେଣ୍ଟ କାରଖାନା ଯୋଗୁ ଯାଜପୁର ଧର୍ମଶାଳା ବ୍ଲକର ଥାନୁଆଳ, ହରିଦାସପୁର, ଆରୁହା ପଂଚାୟତର ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ପାହାଡିଆ ଅଂଚଳ ହୋଇଥିବାରୁ ଏହି ସବୁ ପଂଚାୟତରେ ପାନୀୟ ଜଳ ସମସ୍ୟା ରହିଛି । କେଉଁଠି ନଳକୂଅ ଥାଇ ସେଥିରୁ ଆଇରନ ପାଣି ବାହାରୁଛି ତ ଆଉ କେଉଁଠି ପଚାପାଣି ବାହାରୁଛି । ଯାହାକି ବ୍ୟବହାର ଉପଯୋଗୀ ନୁହେଁ ।
ଏବେ ହରିଦାସପୁରଠାରେ କାର୍ଯ୍ୟକ୍ଷମ ଥିବା ରାମକୋ ସିମେଂଟ କମ୍ପାନୀ କାରଖାନା ପରିସରରେ ତିନୋଟି ଡିପ୍ ବୋର ୱେଲ କରି ପ୍ରଚୁର ମାତ୍ରାରେ ଭୂତଳ ଜଳ ବ୍ୟବହାର କରୁଛି । ଫଳରେ ସ୍ଥନୀୟ ଅଂଚଳରେ ଏଭଳି ପାନୀୟ ଜଳ ସମସ୍ୟା ବଢିବାରେ ଲାଗିଥିବା ଅଭିଯୋଗ ହୋଇଛି ।
୨୦୧୭ ମସିହାରୁ ହରିଦାସପୁରଠାରେ ରାମକୋ ସିମେଂଟ କମ୍ପାନୀ କାର୍ଯ୍ୟକ୍ଷମ ଅଛି । ଜଳ ସମ୍ପଦ ବିଭାଗ ପକ୍ଷରୁ କାରଖାନା ପରିସରରେ ଜଳମାପକ ଯନ୍ତ୍ର ବସାଯାଇ ଶୁଳ୍କ ଆଦାୟ ହେଉଛି ବୋଲି କୁହାଯାଉଛି । ମାତ୍ର କାରଖାନା କର୍ତ୍ତୃପକ୍ଷ କେଉଁଠାରେ ବୋରୱେଲ ଖୋଳିଛନ୍ତି, କେଉଁଠି ଜଳମାପକ ଯନ୍ତ୍ର ବସାଯାଇଛି ତାହା କେବଳ କାରଖାନା ଓ ଜଳସେଚନ କର୍ତ୍ତୃପକ୍ଷଙ୍କୁ ହିଁ ଜଣା ।