
ମାଲକାନଗିରି,୧୧/୪ ମାଲକାନଗିରି ପୁଲିସ ଚଢାଉ କରି ମହୁଲ ବୋଝେଇ ପିକ ଅପ ଭ୍ୟାନକୁ ଜବତ କରିବା ସହ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ଗତକାଲି ରାତିରେ ମାଲକାନଗିରି ପୁଲିସ ଆଇଆଇସି ରିଗାନ କିଣ୍ଡୋଙ୍କ ନିର୍ଦେଶକ୍ରମେ ପୁଲିସ ଏସଆଇ ଗିରିଶ କୁମାର ସାରକାଙ୍କ ନେତୃତ୍ବରେ ଏକ ଟିମ ରାତିରେ ପେଟ୍ରୋଲିଂ କରୁଥିଲା।ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଶିଖପାଲି ରାସ୍ତାରେ ଗଂଜେଇ ବୋଝେଇ ପିକଅପ ଭ୍ୟାନ ଛତିଶଗଡ ଆଡକୁ ଯାଉଛି।ତୁରନ୍ତ ପୁଲିସ ପିକ ଅପ ଭ୍ୟାନକୁ ପିଛା କରି ନାମକୋଣ୍ଡା ଛକ ନିକଟରେ ଚଢାଉ କରି ପିକଅପ ଭ୍ୟାନକୁ ଅଟକାଇ ଯାଞ୍ଚ କରିଥିଲା।ଏହି ଭ୍ୟାନରେ ୭୦ ପ୍ୟାକେଟ ମହୁଲ ରହିଥିବା ପୁଲିସ ଦେଖିବାକୁ ପାଇଥିଲା।ସମସ୍ତ ମହୁଲକୁ ଜବତ କରିବା ସହ ଏହି ମହୁଲକୁ ବେଆଇନ ଭାବେ ପଡୋଶୀ ରାଜ୍ୟକୁ ଚାଲାଣ କରୁଥିବା ଦୁଇ ଜଣକୁ ଗିରଫ କରିଥିଲା।ଗିରଫ ହୋଇଥିବା ଦୁଇ ଜଣ ଏମଭି-୧୮ ଗ୍ରାମର ଆସାମୀ ହେଲେ ପ୍ରଶାନ୍ତ ବୈଦ୍ୟ(୨୭) ଏବଂ ଏମଭି-୧୬ ଗ୍ରାମର କୁମୁଦ ମଲ୍ଲିକ(୨୮)।ତେବେ ୭୦ ପ୍ୟାକେଟରେ ୩୭ କିଲୋ ଲେଖାଏଁ ମହୁଲ ରହିଥିବା ଦେଖିବାକୁ ମିଳିଥିଲା।ମୋଟରେ ୨୫୫୨ କିଲୋ ମହୁଲ ଜବତ ହୋଇଥିବା ପୁଲିସ କହିଛି।ଏଥିସହ ପିକଅପ ଭ୍ୟାନକୁ ମଧ୍ୟ ପୁଲିସ ଜବତ କରିଛି।