mobile header

ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ପ୍ରାୟ ୨.୫ କୋଟି ଟଙ୍କାରେ ନିର୍ମିତ ହେଲା ବିଜୁ ଆଡଭେଞ୍ଚର୍ସ ପାର୍କ

ଗୋପାଳପୁର:ଗୋପାଳପୁର ବିଜୁ ପଟ୍ଟନାୟକ ପାର୍କ ପରିସରରେ ନୂତନ ଭାବେ ନିର୍ମାଣ ହୋଇଥିବା ବିଜୁ ଆଡଭେଞ୍ଚର ପାର୍କକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲାପାଳ ବିଜୟା ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିବାବେଳେ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପ ଜିଲାପାଳ ଭି. କୀର୍ତ୍ତି ଭାସନ, ପ୍ରବେଶନାରୀ ମଧୁମିତା, ଏନଏସି ଅଧ୍ୟକ୍ଷ ଏ.ଜାନକୀ ରାମ, ତହସିଲଦାର ସୋନାଲି ଚାନ୍ଦ,ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା, ବ୍ଲକ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲାପାଳ କହିଛନ୍ତି ଯେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାୟ ୨.୫ କୋଟି ଟଙ୍କାରେ ଏହି ପାର୍କ ନିର୍ମାଣ କରାଯାଇଛି। ଏହି ପାର୍କ ପରିସରରେ କ୍ରିକେଟ ଖେଳିବାର ମଜ୍ଜା ନେବା ସହ, ଏୟାର ଗନ୍, ବୋଫଲ ରାଇଡିଂ, ଡନଲପ ଜମ୍ପିଂ, ରେଷ୍ଟୁରାଣ୍ଟ, ରୋପ ସ୍ବିମିଂ, ଜିପ୍ ଲାଇନ ପ୍ରଭୃତିର ମଜା ପର୍ଯ୍ୟଟକ ମାନେ ନେଇ ପାରିବେ ବୋଲି ପ୍ରକାଶ କରିଥିଲେ। ଏବଂ ଗୋପାଳପୁର ଛକ ଠାରୁ ବେଳାଭୂମି ପଯ୍ୟନ୍ତ ମୁଖ୍ୟ ରାସ୍ତା ରେ ଅଲୋକିକରଣ ବହୁ ଶୀଘ୍ର କରାଯିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୨୦୦୬ ମସିହାରେ କେନ୍ଦ୍ର ପର୍ଯ୍ୟଟକ ବିଭାଗ ପକ୍ଷରୁ ପ୍ରାୟ ୧ କୋଟି ବ୍ୟୟରେ ଏହି ପାର୍କ ର ନିର୍ମାଣ କରାଯାଇଥିଲେ ସୁଦ୍ଧା ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଏହା ପର୍ଯ୍ୟଟକଙ୍କ ନିମନ୍ତେ ବ୍ୟବହାର ଉପଯୋଗୀ ହୋଇ‌ପାରି ନଥିଲା। ଏହା ପରେ ପୁଣିଥରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ମଧ୍ୟରେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଆଜି ଯାଏଁ ପାର୍କଟି ବ୍ୟବହାର ଉପଯୋଗୀ ହୋଇ‌ପାରି ନଥିଲା। ପ୍ରଥମେ ଏହି ପାର୍କକୁ ଗୋପାଳପୁର ପାର୍କ, ପରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଏବଂ ଏବେ ପୁଣି ଥରେ ବିଜୁ ଆଡ଼ଭେଞ୍ଚର୍ସ ପାର୍କର ନାମ ଦିଆଯାଇଛି। ଏଣୁ ଦେଖାଯାଉ ଆଗାମୀ ଦିନରେ ଏହା ପର୍ଯ୍ୟଟକଙ୍କ ମନୋରଞ୍ଜନର ମାଧ୍ୟମ ପାଲଟିବ ନା ପୁଣି ଅବ୍ୟବହୃତ ହୋଇ ପଡିରହିବ ବୋଲି ସାଧାରଣରେ ଆଲୋଚନା ହେଉଛି।
ଆୟୋଜିତ କାର୍ଯ୍ୟକ୍ରମରେ ଏନଏସି ଉପାଧ୍ୟକ୍ଷା ବି. ଉମାଙ୍କ ସମେତ ସମସ୍ତ କାଉନସିଲର , ଏନଏସି କର୍ମଚାରୀ, ବରିଷ୍ଠ ନାଗରିକ, ସ୍ଥାନୀୟ ବାସିନ୍ଦା, ଏମ ରାମ ହରି ପାତ୍ର , ଏମ ଶିବ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶାନ୍ତି ଶଙ୍ଖଲା ରକ୍ଷା କରିବା ପାଇଁ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ନେତୃତ୍ବରେ ଏସଆଇ ମହେନ୍ଦ୍ର ବେହେରା, ହାବିଲଦାର ଅଜୟ କୁମାର ଶତପଥୀଙ୍କ ସହ ବହୁ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.