mobile header

ମାହାଙ୍ଗାରେ ଚାଞ୍ଚଲ୍ୟକର ଗଣହତ୍ୟା

ଜମିବାଡି ବିବାଦକୁ ନେଇ ଜଣେ ସାନ ଭାଇ, ତାର ବଡ ଭାଇର ପରିବାରକୁ ଉଜାଡି ଦେଇଛି । ବଡ ଭାଇ, ଭାଉଜ ଓ ତିନି ଜଣ ପୁତୁରା ଓ ଝିଆରିଙ୍କୁ କଟୁରୀରେ ହାଣି ହତ୍ୟା କରିଛି । କେବଳ ସେତିକି ନୁହେଁ ସେମାନଙ୍କୁ ହତ୍ୟା କରିବା ପରେ ଏହି ବ୍ୟକ୍ତି ଜଣକ, ଏକ ଭିଡିଓରେ ସମସ୍ତ ଦୋଷ ସ୍ୱୀକାର କରିଛନ୍ତି । ଭିଡିଓରେ କହିଛନ୍ତି, ବଡ ଭାଇ ଓ ତାଙ୍କ ପରିବାର ତାଙ୍କୁ ପିଟାପିଟି କରୁଥିଲେ, ତେଣୁ ସେ ରାଗିଯାଇ, ପାଂଚ ଜଣଙ୍କୁ ହତ୍ୟା କରିଛନ୍ତି । ଏହାପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଏହି ଘଟଣା ସାରା ଅଂଚଳରେ ହଇଚଇ ଖେଳାଇ ଦେଇଛି, ଶହ ଶହ ଲୋକ ଘଟଣା ଘଟିଥିବା ସ୍ଥାନରେ ପହଞ୍ଚିଥିଲେ ।

ବିଭତ୍ସ, ବର୍ବର ଆଉ ନୃଶଂସତାର ସବୁ ସୀମା ଟପିଯାଇଛି ସାନ ଭାଇ । ସାମାନ୍ୟ ଜମିବାଡି ବିବାଦକୁ କେନ୍ଦ୍ର କରି ନରରାକ୍ଷସ ପାଲଟି ଯାଇ ବଡ ଭାଇ ପରିବାରର ୫ ଜଣଙ୍କୁ ଅତି ନୃଶଂସ ଭାବେ କରିଛି ହତ୍ୟା । କଟକ ମାହାଙ୍ଗା କୁସୁପୁର ଗାଁରେ ଘଟିଥିବା ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଖବର ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ।

ସମୟ- ପ୍ରାୟ ସକାଳ ୧୦ଟା । ସ୍ଥାନ – କୁସୁପୁର । ବଡ ଭାଇର ପରିବାରର ୫ଜଣଙ୍କୁ ସାନ ଭାଇ ଅତି ବିଭତ୍ସ ଭାବେ ହତ୍ୟା କରିଥିବା ଖବର ପ୍ରଚାରିତ ହୋଇଯିବା ପରେ ଗାଁରେ ଭିଡ ଜମିଥିଲା । ପୁଲିସ ପହଁଚି କବାଟ ଭାଙ୍ଗି ଘର ଭିତରକୁ ଯାଇ ଯାହା ଦେଖିଥିଲା, ତାହା ସମସ୍ତଙ୍କ ଛାତି ଥରାଇ ଦେଇଛି । ଘର ଭିତରେ ଥିବା ଖଟ ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ ବଡ ଭାଇ, ଭାଉଜ ଓ ସାନ ପୁତୁରାର ମୃତ ଦେହ । ତଳେ ପଡିଥିଲା ଝିଆରି ଓ ବଡ ପୁତୁରାର ଶବ । ସେହି ଦୃଶ୍ୟ ଏତେ ବିଭତ୍ସ, ତାହା ବର୍ଣ୍ଣନା କରିବା ବି ଅସମ୍ଭବ । ଜଣଙ୍କ ପରେ ଜଣେ ୫ ଜଣଙ୍କୁ କଟୁରୀରେ ହାଣିି ହତ୍ୟା କରିଛି ଶିବ ସାହୁ ।

ବଡଭାଇ ପରିବାରର ସମସ୍ତ ପାଂଚ ଜଣଙ୍କୁ ହତ୍ୟା କରିଛି ସଇତାନ ସାନ ଭାଇ । ବଡ ଭାଇ ଅଲେଖ ସାହୁ, ସ୍ତ୍ରୀ ରଶ୍ମୀ ରେଖା ସାହୁ, ଝିଆରି ସ୍ମୃତି ସନ୍ଧ୍ୟା ସାହୁ, ପୁତୁରା ସ୍ମୃତି ସାହିଲ ଓ ସ୍ମୃତି ସୌରଭ । ଏମାନଙ୍କ ମଧ୍ୟରୁ ଦୁଇ ପୁତୁରା ନାବାଳକ ଥିଲେ । ଏମାନେ ଜମିବାଡି ବିବାଦ ହୁଏତ ଭଲ ଭାବରେ ବୁଝି ନଥିବେ । ଝିଆରିର ବୟସ ମାତ୍ର ୧୮ ବର୍ଷ । ସେ ବି ଦାଦା ସହ ଥିବା ବାପାଙ୍କ କଳିକୁ ହୁଏତ ବୁଝି ପାରିନଥିବ । କିନ୍ତୁ ଜମିବାଡି ବିବାଦକୁ ନେଇ ରାକ୍ଷସ ପାଲଟି ଯାଇଥିବା ଦାଦା ଏମାନଙ୍କ ରକ୍ତରେ ହୋଲି ଖେଳିଥିଲା । ଆଉ କଟୁରୀରେ ହାଣି ହତ୍ୟା କରିବାକୁ ପଛାଇନଥିଲା । ସବୁଠୁ ବଡ ବିଡମ୍ବନା ହେଉଛି, ହତ୍ୟା କରିବା ପରେ ଭିଡିଓ କରି ହତ୍ୟାକାଣ୍ଡକୁ ସ୍ୱୀକାର କରିଛି ନିଜେ ଅଭିଯୁକ୍ତ । ହତ୍ୟାକାଣ୍ଡ ଘଟାଇବା ପରେ ଘରେ ତାଲା ପକାଇ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି ହତ୍ୟାକାରୀ ଶିବ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.