mobile header

ଭୁବନେଶ୍ୱର ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ନୂତନ ଭିତ୍ତିଭୂମି ଉଦଘାଟିତ:

ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନୂଆ କରି ନିର୍ମାଣ କରାଯାଇଥିବା ସାଇକେଲ ଓ ବାଇକ୍ ଷ୍ଟାଣ୍ଡର ଲୋକାର୍ପଣ କରାଯାଇଛି। ଶନିବାର ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଏହାର ଉଦ୍‌ଘାଟନ କରିଥିବେଳେ ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ଉପସ୍ଥିତ ଥିଲେ।

ମୋ କଲେଜ ଅଭିଯାନ ଅଧୀନରେ ରାଜା ମଧୁସୂଦନ ଦେବ କଲେଜ ପରିସରରେ ନିର୍ମାଣାଧୀନ ‘ଇ-ଲାଇବ୍ରେରି’ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିଥିଲେ ବିଧାୟକ ସୁଶାନ୍ତ ରାଉତ ଏବଂ ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସନାୟକ। ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଇ-ଲାଇବ୍ରେରି କାର୍ଯ୍ୟକ୍ଷମ ହେଲେ ଛାତ୍ରଛାତ୍ରୀମାନେ ଇଣ୍ଟରନେଟ୍ ବ୍ୟବହାର କରି ଜ୍ଞାନ ଆହରଣ କରିପାରିବେ।

ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଧାୟକ ଏବଂ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ବର୍ତ୍ତମାନର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, କଲେଜ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀମାନଙ୍କୁ ମୋ କଲେଜ ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

“ମୁଖ୍ୟମନ୍ତ୍ରୀଙ୍କ ଅଭିନବ ପରିକଳ୍ପନା ହେଉଛି ମୋ କଲେଜ ଅଭିଯାନ। ଏହି ଅଭିଯାନ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ପରିଚାଳନା ଢାଞ୍ଚାକୁ ବଦଳାଇ ଦେଇଛି। ଏହା ଅଧୀନରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ି ଏବେ ବିଭିନ୍ନ କଲେଜର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ତେଣୁ ସମସ୍ତେ ଏଥିରେ ସହଯୋଗ କରିବାକୁ ଅନୁରୋଧ’’, କହିଛନ୍ତି ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ।

‘‘ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଜ୍ଞାନ ଭୂମି ରୂପେ ବିବେଚନା କରାଯାଇଥାଏ। ଛାତ୍ରଛାତ୍ରୀମାନେ ଏହିଠାରୁ ଜ୍ଞାନ ଆହରଣ କରି ନିଜ ସ୍ୱପ୍ନ ଓ କ୍ୟାରିଅରକୁ ନୂଆ ଉଚ୍ଚତାକୁ ନେଇଥାନ୍ତି। ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ ଉଚ୍ଚଶିନୁଷ୍ଠାନ ସହ ଯୋଡ଼ିବା ଲାଗି ‘ମୋ କଲେଜ’ ଅଭିଯାନ ଏକ ସୁଯୋଗ ଆଣିଛି’’, କହିଛନ୍ତି ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ।

ଏହି ଅବସରରେ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହାକୁ ‘ମୋ କଲେଜ’ ଅଧ୍ୟକ୍ଷ ଉଦଘାଟନ କରି ରକ୍ତଦାନ କରିଥିବା ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ଵର ଉପ-ଜିଲ୍ଲାପାଳ ତଥା ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟର ପରିଚାଳନା ପରିଷଦର ଅଧ୍ୟକ୍ଷ ଦେବବ୍ରତ ସାହୁ, ମୋ କଲେଜ ପରିଚାଳନା ପରିଷଦର ସଦସ୍ୟ ତନ୍ମୟ ସ୍ଵାଇଁ, ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ ରାଉତ, ‘ମୋ କଲେଜ’ ସଂଯୋଜକ ଡକ୍ଟର ପ୍ରବୀଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.