mobile header

ଏକାଠି ପାଞ୍ଚଟି ଜୁଇରେ ଜଳିଲେ ମାହାଙ୍ଗା ବାପା,ମା ଓ ୩ ପିଲା

ନିୟତିର ବିଚିତ୍ର ବିଚାର । ଦୁନିଆକୁ ଆଗ ପଛ ହୋଇ ଆସିଥିଲେ । ହେଲେ, ଏକା ସାଙ୍ଗରେ ଜଳିଛି ମାହାଙ୍ଗା କୁସୁପରରେ ଗଣହତ୍ୟାର ଶିକାର ବାପା, ମା’, ଝିଅ ଓ ୨ ପୁଅଙ୍କ ଜୁଇ । ଯାହାର ଦୃଶ୍ୟ ଯେତିକି ହୃଦୟ ବିଦାରକ ସେତିକି କଷ୍ଟଦାୟକ ।

କାହିଁକି ବଡ ଭାଇର ପରିବାରକୁ ସଫା କରିଦେଲା ସାନ ଭାଇ?
କାହିଁକି ଶତ୍ରୁତା ନେଲା ଏତେ ଭୟଙ୍କର ରୂପ?
ମାହାଙ୍ଗାର ଗଣହତ୍ୟା ଘଟଣା ସାରାରାଜ୍ୟକୁ ସ୍ତବ୍ଧ କରିଦେଇଥିବାବେଳେ, ସାମନାକୁ ଆସିଛି ହତ୍ୟାକାଣ୍ଡ ପଛର କାରଣ । ଲୋକଙ୍କ କହିବା ଅନୁସାରେ, ଅନେକ ଦିନ ଧରି ଦୁଇ ଭାଇ ଭିତରେ ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା । ସେମାନେ ଦୁଇଟି ପରିବାର ଗୋଟିଏ ଘରେ ରହୁଥିଲେ । ଘରେ ଗୋଟିଏ ବାଥରୁମ୍ ଓ ଟଏଲେଟ ଥିଲା । ଯାହାକୁ ନେଇ ଦୁଇ ପରିବାର ଭିତରେ ଝଗଡା ଲାଗିରହୁଥିଲା । ମୃତ ଅଲେଖ ସାହୁ କୁଆଡେ ଟଏଲେଟକୁ ତାଲା ଲଗାଇଦେଉଥିଲେ । ଏଭଳି ଘଟଣାରେ ରାଗିଯାଉଥିଲେ ଶିବପ୍ରସାଦ । ଆଉ ସୋମବାର ରାତିରେ ଏହାର କରୁଣ ପରିଣତି ସାମ୍ନାକୁ ଆସିଲା ।

ଦାଦା ବନି ଯାଇଥିଲେ ଦାନବ
ଗୁହାରି ପରେ ବି କରିଥିଲେ ହତ୍ୟା
ରାତି ପ୍ରାୟ ୨ଟାରୁ ୩ ଟା ଭିତରେ ବଡଭାଇ, ଭାଉଜ, ଓ ପିଲାମାନେ ଶୋଇଥିବା ରୁମ୍ ଭିତରେ ପଶିଥିଲେ ସାନଭାଇ ଶିବପ୍ରସାଦ ସାହୁ । ହାତରେ କଟୁରୀ ଥିଲା । ରାତିରେ ଏମାନେ ନିଘୋଡ ନିଦରେ ଶୋଇଥିଲେ, ଆଉ ଏହା ଶିବପ୍ରସାଦଙ୍କ ପାଇଁ ସୁଯୋଗ ଥିଲା । ଲୋକଙ୍କ କହିବାନୁସାରେ ଆଗ ବଡଭାଇ, ତାପରେ ଭାଉଜଙ୍କୁ ହାଣି ପକାଇଥିଲେ ଶିବପ୍ରସାଦ । ଏତିକି ଭିତରେ ତିନିଜଣ ପିଲା ନିଦରୁ ଉଠିଯାଇଥିଲେ । ପାଖରେ ବାପା-ମାର ଏଭଳି ଅବସ୍ଥା ଦେଖି ବିଚଳିତ ହୋଇପଡିଥିଲେ । ଏହାପରେ କୁଆଡେ ଦୁଇଜଣ ପୁତୁରା ଓ ଝିଆରୀ ଶିବପ୍ରସାଦଙ୍କ ଗୋଡ ଧରିପକାଇଥିଲେ ଆଉ ନେହୁରା ହୋଇ କହିଥିଲେ ସେମାନଙ୍କୁ ଛାଡିଦିଅନ୍ତୁ । କିନ୍ତୁ ଶିବପ୍ରସାଦ ସେତେବେଳେ ସଇତାନ୍ ପାଲଟିଯାଇଥିଲେ । ଆଉ ଜଣଙ୍କ ପରେ ଜଣଙ୍କୁ ହାଣି ହତ୍ୟା କରିଥିଲା । ମାତ୍ର କିଛି ସମୟ ଭିତରେ ପୁରା ପରିବାର ସଫା ହୋଇଯାଇଥିଲା ।

ହତ୍ୟାକାଣ୍ଡରେ ବ୍ୟବାହାର ହୋଇଥିବା କଟୁରୀକୁ ଜବତ କରିଛି ପୁଲିସ । କଟୁରୀରେ ଲାଗିଥିବା ରକ୍ତକୁ ଏବେ ଲ୍ୟାବରେ ଟେଷ୍ଟ କରାଯିବ ବୋଲି ଏସପି ଯୁଗଳ କିଶୋର ବନୋଥ ସୂଚନା ଦେଇଛନ୍ତି । ଏଥିସହ ଅଭିଯୁକ୍ତର ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଛି । ମୋବାଇଲ କଲ ରେକର୍ଡକୁ ଯାଞ୍ଚ କରିବା ପରେ ହତ୍ୟା ଘଟଣାରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ଏସପି ଯୁଗଳ କିଶୋର ବନୋଥ ସୂଚନା ଦେଇଛନ୍ତି । ତେବେ ପାଞ୍ଚ ଜଣଙ୍କୁ ହତ୍ୟା କରିବା ପରେ ଭୋରରୁ ଶିବ ପ୍ରସାଦ ସାହୁ ପାଖରେ ଥିବା ନଦୀକୁ ଗାଧୋଇବା ପାଇଁ ଚାଲିଯାଇଥିଲେ । ଆଉ ଗାଧୋଇବା ପରେ ଗାଁରେ ଆସି ଲୋକଙ୍କ ସହ ସ୍ୱାଭାବିକ ଭାବେ କଥା ହୋଇଥିଲେ । ସେତେବେଳେ ଯାଏ କିଛି ଜଣାପଡିନଥିଲା । ଆଉ ଭିଡିଓ କରି ପଠାଇବା ପରେ ଘଟଣା ପଦାକୁ ଆସିଥିଲା ।

ମାହାଙ୍ଗା ଗଣହତ୍ୟା ମାମଲାରେ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଆବଶ୍ୟକ ପଡ଼ିଲେ କାଇମ୍‌ ସିନ୍ ରିକ୍ରିଏସନ କରାଯିବ: ଏସ୍‌ଡିପିଓ


:ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ଗୋଟିଏ ପରିବାରର ୫ ଜଣଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯିବା ଘଟଣାରେ ସାଲେପୁର ଏସ୍‌ଡିପିଓ ବିମଳ ବାରିକ ପ୍ରତିକ୍ରିୟା ଦେଇଛନ୍ତି। ୫ ଜଣଙ୍କର ପୋଷ୍ଟମର୍ଟମ ସରିବା ପରେ କଟକସ୍ଥିତ ଏସ୍‌ସିବି ପରିସରରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏସ୍‌ଡିପିଓ କହିଛନ୍ତି ହତ୍ୟାକାଣ୍ଡ ପୂର୍ବରୁ ନିଶାଦ୍ରବ୍ୟର ବ୍ୟବହାର କରାଯାଇଥିଲା କି ନାହିଁ ଏ ନେଇ ମଧ୍ୟ ଯାଞ୍ଚ୍ କରାଯିବ। ଘଟଣାର ସବୁ ଦିଗକୁ ନଜରରେ ରଖି ତଦନ୍ତ କରାଯାଉଛି। ଶବ ବ୍ୟବଛେଦ କରୁଥିବା ଡାକ୍ତରଙ୍କ ସହ ଆମେ ଯୋଗାଯୋଗରେ ଅଛୁ। ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଆବଶ୍ୟକ ପଡ଼ିଲେ କ୍ରାଇମ୍‌ ସିନ୍‌ ରିକ୍ରିଏସନ କରାଯିବ


ସୂଚନାଯୋଗ୍ୟ, ଗତକାଲି ରାତିରେ ଜମିଜମା ବିବାଦରୁ ବଡ଼ଭାଇର ପୂରା ପରିବାରକୁ ସାନଭାଇ ଶିବପ୍ରସାଦ ସାହୁ ନିଶ୍ଚିହ୍ନ କରିଦେଇଛି। ବଡ଼ଭାଇ ଅଲେଖ ସାହୁ (୪୪), ପତ୍ନୀ ରଶ୍ମିରେଖା ପୃଷ୍ଟି (୩୮), ବଡ଼ପୁଅ ସ୍ମୃତି ସାଇଲ ସାହୁ (୧୭), ସାନପୁଅ ସ୍ମୃତି ସୌରଭ (୧୪) ଓ ଝିଅ ସ୍ମୃତିସନ୍ଧ୍ୟା ସାହୁ (୧୯)ଙ୍କ ହତ୍ୟା କରିବା ପରେ ନାଟକୀୟ ଢଙ୍ଗରେ ଭିଡିଓ ଭାଇରାଲ୍‌ କରି ନିଜର ଦୋଷ ସ୍ବୀକାର କରିବା ସହିତ ସାନଭାଇ ଥାନାରେ ଆତ୍ମସମର୍ପଣ କରିଛି। କିନ୍ତୁ ଜଣେ ବ୍ୟକ୍ତି ଏଭଳି ୫ ଜଣଙ୍କୁ ହତ୍ୟା କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ବି ବଢ଼ିବାରେ ଲାଗିଛି। ଏହାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି। ।

Leave A Reply

Your email address will not be published.