mobile header

କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ତଥା ଜିଲ୍ଳାର ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କୀ

ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇ ସାରିଥିବା ପୂର୍ବତନ ବିଧାୟକ ତଥା ଜିଲ୍ଳାର ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କୀ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପ୍ରଦେଶ କଂ‌ଗ୍ରେସ କମିଟି ସଭାପତିଙ୍କୁ ପଠାଇଛନ୍ତି। ଜର୍ଜ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି, ଜିଲ୍ଲାରେ ଦଳ ତା’ର ସମ୍ପୂର୍ଣ୍ଣ ଅସ୍ତିତ୍ବ ହରାଇବାକୁ ଯାଉଛି। ଦଳର ସଭାପତି ଥିବାବେଳେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସଙ୍ଗଠନକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବାକୁ ସେ ପ୍ରୟାସ ଜାରି ରଖିଥିଲେ। ମାତ୍ର ପ୍ରଦେଶ କଂଗ୍ରେସ କମିଟି ଓ ଏଆଇସିସି ପକ୍ଷରୁ ଯେତିକି ସହଯୋଗ ମିଳିବା କଥା, ତାହା ମିଳି ନଥିଲା। ଜିଲ୍ଲାରେ ଦଳର ଏଭଳି ଦୟନୀୟ ସ୍ଥିତି ପାଇଁ ପିସିସି ଓ ଏଆଇସିସି ମୁଖ୍ୟତଃ ଦାୟୀ। ଦଳର କୌଣସି ଭବିଷ୍ୟତ ନଥିବାରୁ ଶେଷରେ ସେ ଏଭଳି ନିଷ୍ପତ୍ତି ‌ନେଇଛନ୍ତି।

ରାଜନୈତିକ ନେତାମାନେ ଦଳ ଛାଡ଼ିବା କିଛି ନୂଆ ଘଟଣା ନଥିବାବେଳେ ଜର୍ଜ କଂଗ୍ରେସ ଛାଡ଼ିବା ସହିତ ଗୋଟିଏ ରୋଚକ ଘଟଣା ଯୋଡ଼ି ହୋଇ ଯାଇଛି। ଦଳ ଛାଡିବାର ମାତ୍ର କେହି ଘଣ୍ଟା ପରେ ଜର୍ଜ ରାଉରକେଲା ସେକ୍ଟର-୨୧ ସ୍ଥିତ କଂଗ୍ରେସ ପାର୍ଟି ଅଫିସକୁ ଦୁଇଟି ଅଟୋ ପଠାଇ ସମସ୍ତ ଆସବାବପତ୍ର ନେଇ ଯାଇଛନ୍ତି। ଯାହା ମଧ୍ୟରେ ରହିଛି, ଏସି, କୁଲର, ଚେୟାର, ସିସିଟିଭି ଓ ଅନ୍ୟାନ୍ୟ ସାମଗ୍ରୀ। ପାର୍ଟି ଅଫିସ୍‌ରୁ ସେ ଏଭଳି ଆସବାବପତ୍ର ନେବାକୁ ଦଳର କର୍ମକର୍ତ୍ତାମାନେ ବିରୋଧ କରିଛନ୍ତି। ତାଙ୍କ ବିରୋଧରେ ପୂର୍ବତନ ଯୁବ କଂଗ୍ରେସ ସମ୍ପାଦକ ଏସ୍‌କେ ଫି‌ର୍‌ଦୋସ ପ୍ଲାଣ୍ଟସାଇଟ୍‌ ଥାନାରେ ଲିଖିତ ଏତଲା‌ ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏ ସଂକ୍ରାନ୍ତରେ ଜର୍ଜ ତିର୍କୀଙ୍କୁ ପଚାରିବାରୁ ସେ କହିଛନ୍ତି, ସେ ଦଳର ସଭାପତି ଥିବାବେଳେ ପ୍ରାୟ ୮ ଲକ୍ଷ ଟଙ୍କା ବ୍ୟୟ କରି ଅଫିସ୍‌ର ପୁନରୁଦ୍ଧାର କରିଥିଲେ। ସେ କିଣିଥିବା ଆସବାବପତ୍ର ସେ ନେଇ ଯାଇଛନ୍ତି। ଉଲ୍ଲେଖଯୋଗ୍ୟ, ପଞ୍ଚାୟତ ଓ ପୌର ନିର୍ବାଚନରେ ଜିଲ୍ଲାରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଜର୍ଜ ମାର୍ଚ୍ଚ ୨୯ରେ ଜିଲ୍ଳା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ।

୫ଟି କାରଣ ପାଇଁ ଜିଲ୍ଲା ସଭାପତି ପଦ ଛାଡିଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥି‌ଲେ। ପ୍ରଥମଟି ଥିଲା- ଦଳରେ ବିଶୃଙ୍ଖଳା ଦିନକୁ ଦିନ ବଢ଼ି ଚାଲିଛି। ଏ ସଂକ୍ରାନ୍ତରେ ସେ ପିସିସି ଓ ଏଆଇସିସିଙ୍କୁ ବାରମ୍ବାର ଅବଗତ କରାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଦ୍ବିତୀୟରେ, ନିକଟ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ଆଦୌ ସହଯୋଗ ମିଳି ନଥିଲା। ଫଳରେ ତାଙ୍କୁ ଦଳର ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କ ନିକଟରେ ଅପମାନିତ ହେବାକୁ ପଡ଼ିଥିଲା। ଦଳକୁ ଏକଜୁଟ କରିବାକୁ ବଣାଇ, ରଘୁନାଥପାଲୀ, ରାଉରକେଲା ଓ ବୀରମିତ୍ରପୁର ବିଧାନସଭା କ୍ଷେତ୍ରକୁ ନେଇ ଗୋଟିଏ ୟୁନିଟ୍‌ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। କିନ୍ତୁ ତାଙ୍କର ପ୍ରସ୍ତାବକୁ କେହି ଗ୍ରହଣ କରି ନଥିଲେ। ପଞ୍ଚାୟତ ଓ ପୌର ନିର୍ବାଚନରେ ସୁନ୍ଦରଗଡ଼ ଡିସିସି ଯେତିକି ଗୁରୁତ୍ବ ଦେବା କଥା, ସେତିକି ଦେଇ ନଥିଲେ। ଫଳରେ ଜିଲ୍ଲାରେ ଦଳକୁ ପରାଜିତ ହେବାକୁ ପଡିଥିଲା।

ସେପ‌ଟେ ଜର୍ଜଙ୍କ ଇସ୍ତଫାକୁ ନେଇ ଜିଲ୍ଲା କଂଗ୍ରେସ କର୍ମୀଙ୍କର ଚିନ୍ତା ବଢ଼ି ଯାଇଛି। ଆଗାମୀ ଦିନରେ ଜିଲ୍ଲାର କଂଗ୍ରେସର କିଏ ମଙ୍ଗ ଧରିବ ସେଥିନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି। ଉଲ୍ଲେଖନୀୟ ଯେ ୪ ଥର (ଜେଏମ୍ଏମ୍‌ରୁ ୧୯୯୫ ଓ ୨୦୦୦, ସ୍ବାଧୀନ ଭାବେ ୨୦୦୯) ଓ ସମତାକ୍ରାନ୍ତି ଦଳରୁ ୨୦୧୪) ବିଧାୟକ ହୋଇଥିବା ଜର୍ଜ ୨୦୧୮ ସେପ୍ଟେମ୍ବରରେ ସମତାକ୍ରାନ୍ତି ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ ଓ ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। କେବଳ ସେତିକି ନୁହେଁ ବୀରମିତ୍ରପୁର ବିଧାନସଭା ଆସନରୁ ତାଙ୍କ ପୁଅ ରୋହିତ ଯୋ‌ସେଫ୍‌ ତିର୍କୀ ମଧ୍ୟ ହାରିଥିଲେ।

Leave A Reply

Your email address will not be published.