mobile header

ତେଲ ଚୋରି: ପେଟ୍ରୋଲ ପମ୍ପ ମାଲିକ ଗିରଫ

ତେଲ ଚୋରି ମାମଲାରେ ପେଟ୍ରୋଲ ପମ୍ପ ମାଲିକ ଗିରଫ। ଅନୁଗୁଳ ଅଞ୍ଚଳର ପେଟ୍ରୋଲ ପମ୍ପ ମାଲିକଙ୍କୁ ସମ୍ବଲପୁର ପୁଲିସ ଗିରଫ କରିଛି। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏ) ପାଇପଲାଇନ କାଟି ଡିଜେଲ ଚୋରି ମାମଲାରେ ତାଙ୍କୁ ଗିରଫ କରାଯାଇଛି। ମାଫିଆଙ୍କ ଦ୍ବାରା ଚୋରି ଡିଜେଲ କିଣିବା ଅଭିଯୋଗରେ ବି ତାଙ୍କୁ ଗିରଫ କରାଯାଇଛି। ତେଲ ଚୋରି ରାକେଟର ମୁଖ୍ୟ ଅଭିଯୁକ୍ତ ସହ ୫ଜଣ ବି ଗିରଫ କରିଛି ସମ୍ବଲପୁର ପୁଲିସ।

ସମ୍ବଲପୁର ପୁଲିସ ଏକ ଆନ୍ତଃ ରାଜ୍ୟ ପେଟ୍ରୋଲିୟମ ତେଲ ଚୋରି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏ ସର୍ମ୍ପକରେ ସମ୍ବଲପୁର ଜିଲା ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର ମଙ୍ଗଳବାର ସନ୍ଧ୍ୟାରେ ଜିଲା ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ବିସ୍ତୃତ ସୂଚନା ଦେଇଛନ୍ତି । ପାରାଦ୍ୱୀପ ରୁ ରାଞ୍ଚି ଓ ରାୟପୁର ପର୍ଯ୍ୟନ୍ତ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଆଇଓସିଏଲର ପେଟ୍ରୋଲିୟମ ତେଲ ପହୁଞ୍ଚାଇବା ନିମନ୍ତେ ମାଟି ତଳେ ପାଇପ ଲାଇନ ଓଡିଶାର ଅନୁଗୁଳ, ଢ଼େଙ୍କାନାଳ, ସମ୍ବଲପୁର, ବରଗଡ, ଝାରସୁଗୁଡା ଓ ଅନ୍ୟାନ୍ୟ ଅଞ୍ଚଳ ଦେଇ ଯାଉଛି । ଏହି ପାଇପା ଲାଇନରୁ ତେଲ ଚୋରି ହେଉଥିବାର ଅଭିଯୋଗ କମ୍ପାନୀ ତରଫରୁ ଗତ ବର୍ଷ ୯ ସେପ୍ଟେମ୍ବରରେ ରେଢ଼ାଖୋଲ ଥାନା ମାମଲା ସଂଖ୍ୟା ୧୭୧/୨୦୨୨ ଏବଂ କତରବଗା ଥାନାରେ ମାମଲା ସଂଖ୍ୟା ୬/୨୦୨୨ ରୁଜୁ କରାଯାଇ ତଦନ୍ତ କରାଯାଉଥିଲା । ତଦନ୍ତ ସମୟରେ ଅନୁଗୁଳ ଜିଲା ହେମସରପଡାର ସୋନୁ ଜେନା ଓ ତେନ୍ତୁଲୋଇର ଦୁଷ୍ମନ୍ତ ନାୟକ ଓରଫ ରାଜୁ ମିଳିତ ଭାବରେ ଏକ ତେଲ ଡକାୟତି ଗ୍ୟାଙ୍ଗ କରିଥିଲେ । ସୋନୁ ଜେନା ଗଞ୍ଜେଇ କାରବାର ସହିତ ସଂପୃ୍‌କ୍ତ ଥିବାରୁ ଅନୁଗୁଳ ଥାନାର ୫୧୫/୨୦୧୬ ମାମଲା ଅନୁଯାୟୀ ଅନୁଗୁଳ ଜେଲକୁ ଯାଇଥିବା ବେଳେ ସେଠାରେ ୨୦୧୮ ମସିହାରେ ଜରପଡା ଥାନାର ମାମଲା ସଂଖ୍ୟା ୩୧/୨୦୧୮ ଅନୁଯାୟୀ ଉତ୍ତର ପ୍ରଦେଶର କରନ ଶର୍ମାଙ୍କୁ ଅନୁଗୁଳ ଜେଲ ଯାଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ଜେଲରେ ବନ୍ଧୁତା ହୋଇଥିଲା । ତେଲ ଡକାୟତି ଘଟଣାର ମୁଖ୍ୟ ମାଷ୍ଟର ମାଇଣ୍ଡ କରନ ଶର୍ମା ଙ୍କ ପରାମର୍ଶରେ ସୋନୁ ଜେଲରୁ ମୁକୁଳିବା ପରେ ଦୁଷ୍ମନ୍ତ ଙ୍କ ସହିତ ମିଳିତ ଭାବରେ ଏକ ଗ୍ୟାଙ୍ଗ ନିର୍ମାଣ କରି ଆଇଓସିଏଲର ପେଟ୍ରୋଲିୟମ ଲାଇନରୁ ତେଲ ଡକାୟତି କରିବା ନିମନ୍ତେ ଯୋଜନାବଦ୍ଧ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ପରେ ଅଭ୍ୟାସଗତ ତେଲ ଡକାୟତ କରନ ଶର୍ମାଙ୍କ ଦ୍ୱାରା ଉତ୍ତର ପ୍ରଦେଶରୁ ସ୍ୱତନ୍ତ୍ର ସଦସ୍ୟ (ଟେକନିସିଆନ) ଙ୍କ ସହିତ ମିଶି ଅନୁଗୁଳ, ଢ଼େଙ୍କାନାଳ, ସମ୍ବଲପୁର, ବରଗଡ, ସୁନ୍ଦରଗଡ ଓ ଝାରସୁଗୁଡା ଅଞ୍ଚଳରେ ପର୍ଯ୍ୟାୟକ୍ରମେ ତେଲ ଡକାୟତି କରି ଆସୁଥିଲେ । ଉତ୍ତର ପ୍ରଦେଶରୁ ଆସୁଥିବା ସ୍ୱତନ୍ତ୍ର ଡକାୟତ ଦଳ ସୋନୁ ଜେନା ଙ୍କ ସହିତ ଯୋଗାଯୋଗ ରକ୍ଷା କରୁଥିବା ବେଳେ ଦୁଷ୍ମନ୍ତ ନାୟକ ଡକାୟତି ପାଇଁ ଯାନବାହନ, ପାଇପ କଣା କରିବା ପାଇଁ ସାମଗ୍ରୀ, ୱେଲଡିଂ ଯନ୍ତ୍ର, ଟ୍ୟାଙ୍କର ଆଦିର ବ୍ୟବସ୍ଥା କରୁଥିଲେ । ଗ୍ୟାଙ୍ଗ ତେଲ ଚୋରି ପାଇଁ ଅଞ୍ଚଳକୁ ଚିହ୍ନଟ କରିବା ପରେ ପ୍ରଥମ ଦିନ ସେଠାକୁ ଯାଇ ୫ ଫୁଟରୁ ଉର୍ଦ୍ଧ ଗର୍ତ୍ତ ଖୋଳୁଥିଲେ । ଏହା ପର ଦିନ ପୁର୍ନବାର ସମସ୍ତ ସାମଗ୍ରୀ ନେଇ ମାତ୍ର ୧ ଘଣ୍ଟା ୩୦ ମିନିଟ ମଧ୍ୟରେ ତେଲ ପାଇପକୁ କଣା କରି ହୋସ ପାଇପ ଜରିଆରେ ଟ୍ୟାଙ୍କରରେ ତେଲ ଭର୍ତ୍ତି କରି ପୁର୍ନବାର ତେଲ ପାଇପକୁ ୱେଲିଡିଂ କରି ଫେରାର ହୋଇ ଯାଉଥିଲେ । ପାଇପ ଲାଇନରୁ ତେଲ ଡକାୟତି କରିବା ପରେ ଏହି ଗ୍ୟାଙ୍ଗ ଉକ୍ତ ତେଲକୁ ଖୁଣ୍ଟୁଣି, ତାଳଚେର, ସମ୍ବଲପୁର ଆଦି ଅଞ୍ଚଳରେ ବିଭିନ୍ନ ପେଟ୍ରୋଲ ପମ୍ପ, ଠିକାଦାର ଆଦି ଙ୍କୁ (ଟ୍ୟାଙ୍କର ପିଛା ପ୍ରାୟ ୯ ଲକ୍ଷ ଟଙ୍କା) ବଜାର ଦରରୁ ଅଧା ଦାମରେ ବିକ୍ରି କରି ଦେଉଥିଲେ ।

ଗତ ବର୍ଷ ସେପ୍ଟେମ୍ବର ମାସ ୨୧ ତାରିଖ ରାତ୍ରିରେ ରେଢ଼ାଖୋଲ ଥାନା ଅର୍ନ୍ତଗତ କର୍ଡାପାଳ ଦେଇ ଯାଇଥିବା ତେଲ ପାଇପ ଲାଇନରେ ଏହି ଗ୍ୟାଙ୍ଗ ଚୋରି କରୁଥିବା ବେଳେ କମ୍ପାନୀ କତ୍ତୃପକ୍ଷଙ୍କ ନିୟନ୍ତ୍ରଣ କକ୍ଷରେ ତେଲ ଆସୁଥିବାର ଚାପ କମ ହେବାରୁ ପୁଲିସ ଓ ଆଇଓସିଏଲ କତ୍ତୃପକ୍ଷଙ୍କୁ ତୁରନ୍ତ ଖବର ଦିଆଯାଇଥିଲା । ଏଣୁ ତୁରନ୍ତ ପୁଲିସ ଓ କମ୍ପାନୀ କର୍ମଚାରୀ ମାନେ ଘଟଣାସ୍ଥଳକୁ ପହୁଞ୍ôଚ ଗ୍ୟାଙ୍ଗକୁ ଧରିବାକୁ ଚେଷ୍ଟା କରିଥିବା ବେଳେ ସେ ସମୟରେ ସେମାନେ ବିଭିନ୍ନ ଯନ୍ତ୍ରପାତି ଆଦି ଛାଡି ଫେରାର ହୋଇ ଯାଇଥିଲେ । ଏଥି ପୂର୍ବରୁ ଏହି ଗ୍ୟାଙ୍ଗ ରେଢ଼ାଖୋଲ ଥାନା ଅର୍ନ୍ତଗତ ଖଜୁରୀଝରନ ଅଞ୍ଚଳରୁ ୨ଟି ଟ୍ୟାଙ୍କରରେ ୩୮ ହଜାର ଲିଟର ତେଲ ନେଇ ଫେରାର ହେବାରେ ସକ୍ଷମ ହୋଇଥିଲେ । ସେହିଭଳି ଜାନୁଆରୀ ମାସରେ କତରବଗା ଥାନାର କୁସୁମଡିହି ଅଞ୍ଚଳରେ ମଧ୍ୟ ଅନୁରୂପରେ ୧୮ ହଜାର ଲିଟର ତେଲ ଚୋରି କରିବାରେ ସଫଳ ହୋଇଥିଲେ । ଏହି ଗ୍ୟାଙ୍ଗର ଅପରାଧିକ ଗତିବିଧିକୁ ନେଇ ରେଢ଼ାଖୋଲ ଓ କତରବଗା ଥାନାରେ ବିଭିନ୍ନ ମାମଲା ରୁଜୁ ହୋଇଛି । ସମ୍ବଲପୁର ପୁଲିସ ତେଲ ଡକାୟତି ମାମଲାରେ ଅନୁଗୁଳ ଜିଲାର ଦୁଷ୍ମନ୍ତ ନାୟକ (୩୩), ସିପୁନ ବେହେରା (୨୧), ମଲୟ କର୍ଣ୍ଣ (୨୨), ବିନୟ ନାଗ (୩୮), ସମ୍ବଲପୁରର ତାଲଭଟ୍ଟାପଡା ନିବାସୀ ଦୀପକ କୁମାର ଗୋଏଲ (୩୮) ଙ୍କ ସମେତ ଅଇଁଠାପାଲି ଅଞ୍ଚଳରେ ରହିଥିବା ପେଟ୍ରୋଲ ପମ୍ପର ମାଲିକ ସୁବାଷ ଅଗ୍ରୱାଲ (୬୮) ଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ପୁଲିସ ତେଲ ଡକାୟତିରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ସମେତ ୩ଟି ତେଲ ଟ୍ୟାଙ୍କର (ଓଆର – ୦୫ – ୱାଇ – ୦୦୨୬, ଓଆର – ୧୫ – ସି – ୦୨୭୫ ଏବଂ ଓଡି – ୧୫ – ଏନ – ୭୮୦୮), ଏକ ବିଳାସପୂର୍ଣ୍ଣ କାର (ଓଡି – ୦୨ – ବିଏସ – ୧୯୫୮), ୮ଟି ମୋବାଇଲ ଫୋନ, ୧୮ ହଜାର ଲିଟର ଡିଜେଲ ଜବତ କରିଛି । ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସୋନୁ କୁମାର ଜେନା (୩୨) ଙ୍କୁ ଗତ ୧ ତାରିଖରେ ରେଢ଼ାଖୋଲ ଥାନା ପକ୍ଷରୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇ ସାରିଛି । ଗତକାଲି ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ମାନଙ୍କୁ ମଙ୍ଗଳବାର ଅଦାଲତକୁ ଚାଲାଣ କରାଯାଇଛି । ଏଥି ପୂର୍ବରୁ କତରବଗା ପୁଲିସ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଅନୁଗୁଳ ଜିଲା ନିବାସୀ ଦିବ୍ୟ ସାମଲ (୨୭), ଲିପକ କୁମାର ସାହୁ ଓରଫ ଲିପୁ (୨୯), ଉତ୍ତର ପ୍ରଦେଶର ମୈ÷ନପୁରୀ ଜିଲାର ସୁଖେଣ୍ଡ ସିଂହ ଓରଫ ସୋନୁ (୩୫) ଏବଂ କନୌଜ ଜିଲାର ନିବାସୀ ସୁନୀଲ କୁମାର ଶର୍ମା (୪୦) ଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ନିୟମିତ ତେଲ ଡକାୟତି କରି ଆସୁଥିବା ବେଳେ ପ୍ରଥମ ଥର ପାଇଁ ସମ୍ବଲପୁର ପୁଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କର ବିରୋଧରେ ୨୩ଟି ମାମଲା ସମ୍ବଲପୁର, ଢ଼େଙ୍କାନାଳ, ଝାରସୁଗୁଡା, ଅନୁଗୁଳ, ବରଗଡ, ଖୋର୍ଦ୍ଧା, କଟକ ଆଦି ଜିଲାରେ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ଘଟଣାରେ ଆହୁରୀ ଅଧିକ ତଦନ୍ତ ଚାଲିଥିବା ବେଳେ ଆଗାମୀ ଦିନରେ ଆହୁରୀ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ପୁଲିସ ଧରିବ ବୋଲି ଏସପି ଗଙ୍ଗାଧର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.