ବିବାହ ବନ୍ଧନରେ ଆବଦ୍ଧ ହେଲେ ମାଓଯୋଡ଼ି

ବନ୍ଧୁକ ଛାଡ଼ିଲେ, ପଡ଼ିଲା ଗଣ୍ଠି । ଟେଣ୍ଟ ଲାଗିଛି , ଚୌକି ସଜା ହୋଇଛି , ବ୍ୟାନରରେ ବରକନ୍ୟାଙ୍କ ଫଟୋ ଲାଗିଛି । ରିଜର୍ଭ ପୋଲିସ ପଡିଆ ବାହାଘର ଭଳି ଲାଗୁଛି । ଆତ୍ମସମର୍ପଣ କରିବା ପରେ ବିବାହ ବନ୍ଧନରେ ବାନ୍ଧ ହେଉଛନ୍ତି ଦୁଇ ମାଓବାଦୀ । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ କଲମ ଦେଇ ଓ ରାମଦାସ । ତେବେ ଏହି ବିବାହ ଉତ୍ସବରେ ଧାଡି କି ଧାଡି କରି ବଡ ପୋଲିସ ଅଧିକାରୀ ମାନଙ୍କ ନାଲିବତୀ ଲାଗିଥିବା ଗାଡି ମଧ୍ୟ ଲାଗିଛି ।

କଲମ ଦେଇ ଓ ରାମଦାସଙ୍କ ବିବାହ ଉତ୍ସବ, କୌଣସି ସାଧାରଣ ବାହାଘର ନୁହେଁ । ଆତ୍ମସମର୍ପଣ କରି ଚର୍ଚ୍ଚାରରେ ରହିଥିବା ଦୁଇ ନକ୍ସଲଙ୍କ ବିବାହ ହେଉଛି । ସମୟ ଥିଲା ଦିନେ ବନ୍ଧୁକ ଧରି ଘଞ୍ଚ ଜଙ୍ଗଲ ମଧ୍ୟରେ ରାତି ଦିନ ବୁଲୁଥିଲେ ନକ୍ସଲ ଚିନ୍ତାଧାରା ନେଇ ଜୀବନକୁ ବାଜି ଲଗାଇ ଏ ଜଙ୍ଗଲରୁ ସେ ଜଙ୍ଗଲ ଘୁରି ବୁଲୁଥିଲେ । ଯେଉଁଠି ପୋଲିସ ନକ୍ସଲର ଦେଖା ହୁଏ ସେଇଠି ଆଖିବୁଜା ଗୁଳି ଚାଳନା କରୁଥିଲେ । ଜିଏ ବଞ୍ଚିଲା ପୁଣି ଜୀବନ କୁ ସଂଘର୍ଷ କରି ପୁଣି ଲଢେ ଜାରି ରଖେ ।

ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାର ଗୋପାଲପାଟନା ଥାନା ଅଧିନସ୍ଥ ପାଲସେଗୁଣ୍ଡାପୁର ଗ୍ରାମର ରାମଦାସ ଓରଫ କେଶବ ଭେଲାଦି ଓରଫ ଦୀପକ(୨୮) ମାଓବାଦୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଗତ ୨୦୦୯ରେ ବାଣ୍ଡେଡ୍‍ ସଂଗଠନରେ ସାମିଲ ହୋଇଥିଲେ। ପରବର୍ତ୍ତୀ ସମୟରେ ମାଓବାଦୀ କେନ୍ଦ୍ରୀୟ କମିଟିର ସଦସ୍ୟ ଜାନପାନଙ୍କ ନିର୍ଦ୍ଦେଶକ୍ରମେ ୨୦୧୧ ମସିହାରୁ ୨୦୧୮ ପର୍ଯ୍ୟନ୍ତ କରଙ୍ଗା ନଦୀ ଏରିଆ କମିଟିର ଏସିଏମ୍‍ ଭାବେ ପଦୋନ୍ନତୀ ପାଇବା ସହିତ ଇନ୍‍ସାଫ ରାଇଫେଲ ଚଲାଇବାର କୌଶଳ ପାଇଥିଲେ। ପରବର୍ତ୍ତୀ ସମୟରେ ସେ କଳାହାଣ୍ଡି ଜିଲ୍ଲାରେ ମଦନପୁର ରାମପୁର ଓ କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ଅଧିନରେ କାର୍ଯ୍ୟ କରୁଥିବା ରାହୁଲ ଏରିଆ କମିଟି ଦାୟିତ୍ୱରେ ରହିଥିଲେ। ମଦନପୁର ରାମପୁର ଥାନା ଅଧିନରେ କେନ୍ଦୁଘାଟିରେ ଗାଡିମୋଟର ପୋଡି ଯଥା- ମ.ରାମପୁର ଥାନା କେସ୍‍ ନଂ. ୧୫/୨୦୧୯ ଏବଂ ନୂଆମୁଣ୍ଡା ଅଞ୍ଚଳରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟରେ ନିୟୋଜିତ ହୋଇଥିବା ଟ୍ରାକ୍ଟର, ଜେସିବି ଓ ମିକ୍ସଚର ମେସିନ ପୋଡି କେସ୍‍ ନଂ.୬୦/୨୦୧୯ ମାମଲାର ସଂପୃକ୍ତ ଥିଲେ। ଏଥିସହ ଆହୁରି ଅନେକ ମାଓ କାର୍ଯ୍ୟକଳାପରେ ସାମିଲ ଥିଲେ। ରାଜ୍ୟ ସରକାର ସେହି ମାଓବାଦୀ ରାମଦାସ ନାମରେ ୪ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ମଧ୍ୟ କରିଥିଲେ। ଏପରେ ସେ ମାଓ କାର୍ଯ୍ୟକଳାପ ଓ ମାଓନେତାଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ପଡ଼ିଥିଲେ। ମାଓବାଦୀ ଆତ୍ମସମର୍ପଣ କଲେ ସେମାନଙ୍କୁ ଥଇଥାନ କରିବା ପାଇଁ ଓଡ଼ିଶା ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗରେ ଆକୃଷ୍ଟ ହୋଇ ସେ ମାଓବାଦୀ ସଂଗଠନ ଛାଡି ୨୦୨୦ ଫେବୃୟାରୀ ୧୮ ତାରିଖରେ କଳାହାଣ୍ଡି ଏସ୍‍ପି ବାତୁଲା ଗଙ୍ଗାଧରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

ଠିକ୍‍ ସେହିପରି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ ଅଧିନସ୍ଥ ଜୁଗସାଇପାଟଣା ପଞ୍ଚାୟତର ତଳ ପଞ୍ଚକୁଲ ଗ୍ରାମର ମାଲତ ମାଝୀଙ୍କ ଝିଅ କଲମଦେଇ ଓରଫ କାଲାମାଡି ମାଝୀ(୨୫) ମାଓ ପ୍ରଲୋଭନର ଶିକାର ହୋଇ ମାଓ ସଂଗଠନରେ ସାମିଲ ହୋଇଥିଲେ। ପରେ ବରିଷ୍ଠ ମାଓନେତାମାନଙ୍କ ଦ୍ୱାରା ଅମାନୁସିକ ଭାବେ ଶାରୀରିକ ଓ ମାନସିକ ନିର୍ଯ୍ୟାତନାରେ ଅତିଷ୍ଠ ହେବା ସହିତ ମାଓବାଦୀଙ୍କ ମିଥ୍ୟା ନୀତି ଆଦର୍ଶ ପ୍ରତି ବିତୃଷ୍ଣା ହୋଇ ୫.୧.୨୦୧୬ରେ କଳାହାଣ୍ଡି ପୁଲିସ ନିକଟରେ ଆତ୍ମ ସମର୍ପଣ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଓବାଦୀ ଆତ୍ମ ସମର୍ପଣ ଯୋଜନାରେ ସମସ୍ତ ସୁବିଧା ପାଇଛନ୍ତି।

ଏହି ଦୁଇ ମାଓବାଦୀ ବନ୍ଧୁକଛାଡି ଆତ୍ମ ସମର୍ପଣ କରିବା ପରେ କଳାହାଣ୍ଡିର ବର୍ତ୍ତମାନ ଏସ୍‍ପି ଡ. ଶ୍ରବଣ ବିବେକ ଏମ୍‍.ଙ୍କ ତତ୍ତ୍ୱାବଧାନରେ ପୁଲିସ ରିଜର୍ଭରେ ରହି ଆସୁଥିଲେ। ପୁଲିସ ହେପାଜତରେ ଏହି ଦୁଇ ମାଓବାଦୀ ରହିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ଦୁହେଁ ବିବାହ ପାଇଁ ସ୍ଥିର କରିବା ପରେ ସେମାନେ ଏ ସଂପର୍କରେ କଳାହାଣ୍ଡି ଏସ୍‍ପି. ଡ. ଶ୍ରବଣ ବିବେକ ଏମ୍‍.ଙ୍କୁ ଜଣାଇବା ସହିତ ଉଭୟ ସେମାନଙ୍କ ପରିବାରଙ୍କୁ ଜଣାଇଥିଲେ। ଉଭୟ ପରିବାର ସଦସ୍ୟଙ୍କ ସହମତି ପରେ ଶେଷରେ ଆଜି କଳାହାଣ୍ଡି ଏସ୍‍ପି. ଡ. ଶ୍ରବଣ ବିବେକ ଏମ୍‍.ଙ୍କ ତତ୍ତ୍ୱାବଧାନରେ କଳାହାଣ୍ଡି ପୁଲିସ ସହଯୋଗରେ ଭବାନୀପାଟଣା ରିଜର୍ଭ ପୁଲିସ ପରିସରରେ ଥିବା ଶିବ ମନ୍ଦିର ପ୍ରାଙ୍ଗଣରେ ଆନୁଷ୍ଠାନିକ ଭାବେ ଉଭୟ ପରିବାର ସଦସ୍ୟ, ବନ୍ଧୁ ବାନ୍ଧବ ଏବଂ ସାହି ପଡ଼ିଶାଙ୍କ ଉପସ୍ଥିତରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି। କନ୍ୟା କଲମଦେଇ ଓରଫ କାଲାମାଡି ମାଝୀଙ୍କ ପିତା ମାଲତ ମାଝୀ କନ୍ୟାଦାନ କରିଥିଲେ। ଏହି ବିବାହରେ ବର ରାମଦାସଙ୍କ ବାପା ଓରା ମାଝୀ, ସାନ ଭାଇ ଏବଂ କନ୍ୟା କଲମଦେଇଙ୍କ ମାଆଙ୍କ ସମେତ ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଡିଆଇଜି ରାଜେଶ ପଣ୍ଡିତ, ସିଆରପିଏଫ୍‍ ୬୪ ବେଟାଲିୟନ୍‍ କମାଣ୍ଡେଣ୍ଟ ବିପ୍ଲବ ସରକାର, ଏସ୍‍ପି ଡ. ଶ୍ରବଣ ବିବେକ ଏମ୍‍., ସିଆର୍‍ପିଏଫ୍‍ ଏଏସ୍‍ପି ହୃଷିକେଶ ବରାଳ, କେସିଙ୍ଗା ଏସ୍‍ଡିପିଓ ଅଭିନବ ସୋନକର ଆଇପିଏସ୍‍, ଅତିରିକ୍ତ ଏସ୍‍ପି ସମେତ ସମସ୍ତ ଥାନା ଅଧିକାରୀ ଓ ଫୋର୍ସ ଉପସ୍ଥିତ ଥିଲେ।

ଏହି ବିବାହ ସଂପର୍କରେ କଳାହାଣ୍ଡି ଏସ୍‍ପି ଡ. ଶ୍ରବଣ ବିବେକ ଏମ୍‍. କହିଛନ୍ତି ଯେ, ଆଜିର ଦିନ କଳାହାଣ୍ଡି ପୁଲିସ ପାଇଁ ଏକ ଖୁସିର ଦିନ। ଏହି ଦୁଇ ମାଓବାଦୀ ମାଓ ସଂଗଠନରୁ ଅତିଷ୍ଠ ହେବା ପରେ ସରକାରଙ୍କ ମାଓବାଦୀ ଆତ୍ମ ସମର୍ପଣ ଏବଂ ବିସ୍ଥାପିତ ନୀତିରେ ଆକୃଷ୍ଟ ହୋଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ସେମାନେ ପୁଲିସ ହେପାଜତରେ ଥିବା ସମୟରେ ଉଭୟଙ୍କ ମଧ୍ୟରେ ସୁସଂପର୍କ ପ୍ରତିଷ୍ଠା ହୋଇଥିଲା ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ବିବାହ ସଂପର୍କରେ ସେମାନେ ଜଣାଇଥିଲେ। ପୁଲିସର ଉପସ୍ଥିତିରେ ଉଭୟ ପରିବାର ଏହି ଦୁଇ ଜଣଙ୍କ ମଧ୍ୟରେ ବିବାହ ପାଇଁ ରାଜି ହେବା ପରେ ଏହି ବିବାହ କରିବା ପାଇଁ ସ୍ଥିର କରାଯାଇଥିଲା। ସେମାନେ ସରକାରଙ୍କର ଆତ୍ମ ସମର୍ପଣ ଏବଂ ବିସ୍ଥାପିତ ନୀତି ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ପାଇଛନ୍ତି ଓ ସେମାନେ ଅନ୍ୟ ସାଧାରଣ ମଣିଷ ପରି ଜୀବନ ବିତାଉଛନ୍ତି। ଏହି ବିବାହ ନିଶ୍ଚିତ ଭାବେ ମାଓ ସଂଗଠନରେ କାର୍ଯ୍ୟ କରୁଥିବା ଅନ୍ୟ ଯୁବକ ଯୁବତୀମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ପ୍ରେରଣା ଦେବ। ତେଣୁ ମାଓ ସଂଗଠନ ଛାଡ଼ି ମାଓବାଦୀମାନେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସହିତ ସରକାରଙ୍କର ବିଭିନ୍ନ ସୁବିଧା ସୁଯୋଗ ପାଇ ନିଜକୁ ସାଧାରଣ ବ୍ୟକ୍ତି ଭାବରେ ଜୀବନ ଯାପନ ବିତାଇବା ପାଇଁ ଏସ୍‍ପି ଡ. ଶ୍ରବଣ ବିବେକ ଏମ୍‍. ମାଓବାଦୀମାନଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.