mobile header

ସ୍ୱାମୀଙ୍କୁ ମାରିବାକୁ ସ୍ତ୍ରୀ ଦେଇଥିଲା ସୁପାରୀ, ପୁଲିସ୍ ହାତରେ ଧରାପଡ଼ିଲା ପ୍ରେମିକ

ପତି, ପତ୍ନୀ ଓ ସେ । ଡ୍ରାଇଭର ପ୍ରେମରେ ରେଲ୍‌ୱେର ସିନିୟର ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କ ପତ୍ନୀ । ପରକୀୟା ପ୍ରୀତିରୁ ପାପ । ନିଜ ମଥାର ସିନ୍ଦୁର ପୋଛିବା ନିଜେ ରଚିଥିଲେ ସାଂଘାତିକ ଷଡଯନ୍ତ୍ର । ସ୍ବାମୀଙ୍କୁ ସବୁଦିନ ପାଇଁ ରସ୍ତାରୁ ହଟାଇବା ପାଇଁ ୧ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା ସ୍ତ୍ରୀ । ଏନେଇ ମଞ୍ଚେଶ୍ବର ଥାନାରେ ଇଞ୍ଜିନିୟର ସ୍ବାମୀ ଏତଲା ଦେଇଛନ୍ତି । ପରେ ପୋଲିସ୍‌ ଏନେଇ ଡ୍ରାଇଭରକୁ ଗିରଫ କରିଛି । ହେଲେ ସ୍ତ୍ରୀ ଓ ସୁପାରୀ କିଲର ଫେରାର ହୋଇଯାଇଛନ୍ତି ।

ଗିରଫ ଅଭିଯୁକ୍ତର ନାଁ ଅଶୋକ କୁମାର ସାହୁ (୩୦)। ତା’ ଘର ଅନୁଗୋଳ ଜିଲ୍ଲା ତାଳଚେର ସହରର ହାଟତୋଟା ଅଞ୍ଚଳରେ। ଅଭିଯୋଗକାରୀ ମଞ୍ଚେଶ୍ୱରରେ ଚାକିରି କରୁଥିବା ସମୟରେ ଅଶୋକ ତାଙ୍କ ନିକଟରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲା।

ମଞ୍ଚେଶ୍ୱର ଥାନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ ଜଣେ ଇଞ୍ଜିନିୟର। ତାଙ୍କର ପୁରୀକୁ ବଦଳି ହୋଇଯିବା ପରେ ଅଭିଯୁକ୍ତ ଅଶୋକ ତାଙ୍କ ସ୍ତ୍ରୀଙ୍କ ସହିତ ଅନୈତିକ ସଂପର୍କ ରଖିଥିଲା। ଏହି ଅନୈତିକ ସମ୍ପର୍କ ବିଷୟରେ ଅଭିଯୋଗକାରୀ ଜାଣିବା ପରେ ପାରିବାରିକ କଳହ ସୃଷ୍ଟି ହୋଇଥିଲା। ଏହା ପରେ ଅଭିଯୋଗକାରୀଙ୍କ ସ୍ତ୍ରୀ ତାଙ୍କୁ ମାରି ଦେବା ପାଇଁ ଯୋଜନା କରିଥିଲେ। ସେଥିପାଇଁ ସେ ଅଶୋକ ସହିତ ମିଶି ଜିତେନ୍ଦ୍ର କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ନିୟୋଜିତ କରିଥିଲେ।

ଅଭିଯୋଗକାରୀ ସାନ୍ଧ୍ୟ ଭ୍ରମଣରେ ଯାଉଥିବା ବେଳେ ସ୍ପୋର୍ଟସ କମ୍ପ୍ଲେକ୍ସ ନିକଟରେ ଜିତେନ୍ଦ୍ର ପ୍ରଧାନ ଓ ଅଶୋକ ଅନ୍ୟ ସହଯୋଗୀ ମାନଙ୍କ ସହ ମିଶି ତାଙ୍କୁ ଷ୍ଟିଲ ଏବଂ ପ୍ଲାଷ୍ଟିକ ପାଇପ ସହାୟତାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଅଭିଯୋଗକାରୀଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା। ତେବେ ସେ କୌଣସିମତେ ଘଟଣାସ୍ଥଳରୁ ଖସି ଯାଇ ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ।

ଏ ଘଟଣା ନେଇ ଅଭିଯୋଗ ପାଇବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ତା’ ମଧ୍ୟରେ ଅଭିଯୁକ୍ତ ମାନେ ପୁଲିସ ହାତରେ ଧରା ନପଡ଼ିବା ପାଇଁ ଘର ବଦଳାଇ ଥିଲେ। ତେବେ ବିଶ୍ଵସ୍ତ ସୂତ୍ରକୁ ଆଧାର କରି ଚଢ଼ାଉ କରିବା ପରେ ଅଶୋକ ଧରାପଡ଼ିଥିଲା। ପଚରା ଉଚରା ସମୟରେ ସେ ନିଜ ଦୋଷ ସ୍ଵୀକାର କରିଥିବା ପୁଲିସ୍ କହିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍ ପ୍ରୟାସ କରୁଛି।

Leave A Reply

Your email address will not be published.