mobile header

ଭୁଲ ଇଞ୍ଜେକ୍ସନରୁ ଦୁଇ ଗାଈ ମଲେ, ନକଲି ପଶୁ ଡାକ୍ତର ଗିରଫ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ କଣ୍ଟିପାଳ ଗ୍ରାମରେ ଆଜି ଭୁଲ ଇଞ୍ଜେକ୍ସନ ଦେବାରୁ ଦୁଇଟି ଗାଈର ଜୀବନ ଯାଇଛି। ଏନେଇ ଆନନ୍ଦପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ନକଲି ପଶୁ ଡାକ୍ତର କଣ୍ଟିପାଳ ମଠସାହିର ବୀରକିଶୋର ଦାସକୁ ଗିରଫ କରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ବୀରକିଶୋର ସ୍ଥାନୀୟ ଅଞ୍ଚଳରେ ନିଜକୁ ପଶୁ ଡାକ୍ତର ବୋଲି ପରିଚୟ ଦେଇ ଦୀର୍ଘଦିନ ହେବ ଗାଈଗୋରୁଙ୍କ ଚିକିତ୍ସା କରୁଆସୁଥିଲା। ଆଜି କଣ୍ଟିପାଳ ଖିଲାରସାହିର ଜଗନ୍ନାଥ ବାରିକଙ୍କ ଗାଈଟି ଅସୁସ୍ଥ ହୋଇପଡ଼ିବାରୁ ସେ ବୀରକିଶୋରକୁ ଖବର ଦେଇଥିଲେ। ବୀରକିଶୋର ପହଞ୍ଚି ଗାଈକୁ ଏକାସାଙ୍ଗରେ ୪ଟି ଇଞ୍ଜେକ୍ସନ ଦେଇଥିଲେ। ସେହିପରି ଗ୍ରାମର କଲୋନିସାହିର ବାଇନ ନାହାକଙ୍କ ଗାଈ ମଧ୍ୟ ଅସୁସ୍ଥ ଥିଲା। ବୀରକିଶୋର ବାଇନଙ୍କ ଘରେ ପହଞ୍ଚି ତାଙ୍କ ଗାଈକୁ ମଧ୍ୟ ଏକାସାଙ୍ଗରେ ୪ଟି ଇଞ୍ଜେକ୍ସନ ଦେଇଥିଲେ।

କିଛି ସମୟରେ ଦୁଇଟି ଯାକ ଗାଈ ପ୍ରାଣ ହରାଇଥିଲେ। ଭୁଲ ଇଞ୍ଜେକ୍ସନ ଦେବାରୁ ଗାଈ ଦୁଇଟି ପ୍ରାଣ ହରାଇଲେ ବୋଲି ଗାଈ ମାଲିକମାନେ ଅଭିଯୋଗ କରିଥିଲେ। ଏହାକୁ କେନ୍ଦ୍ରକରି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଈ ମାଲିକ ବାଇନ ନାହାକ ଏନେଇ ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବୀରକିଶୋରକୁ ଗିରଫ କରିଛି। ସେ ଜଣେ ନକଲି ପଶୁ ଡାକ୍ତର ବୋଲି ଜଣାପଡ଼ିଛି।

Leave A Reply

Your email address will not be published.