xmas

ବଲାଙ୍ଗିର ଭୀମ ଭୋଇ ସରକାରୀ ମେଡିକାଲ କଲେଜ-ନିରୁପମାଙ୍କ ପରେ ନିଶାନ୍ତ କଲେ ଆତ୍ମହତ୍ୟା

୪ବର୍ଷ ତଳେ ତଥା ୨୦୧୮ ଅଗଷ୍ଟ ୩୦ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଭୀମ ଭୋଇ ସରକାରୀ ମେଡିକାଲ କଲେଜର ଶୁଭାରମ୍ଭ କରିଥିଲେ। କଲେଜରୁ ୫ କିଲୋମିଟର ଦୂର, ସହର ମଧ୍ୟରେ ଥିବା ଜିଲା ମୁଖ୍ୟ ଡାକ୍ତରଖାନାକୁ ମେଡିକାଲ କଲେଜର ଡାକ୍ତରଖାନା ଭାବେ ବ୍ୟବହାର କରାଯାଉଛି। ୨୧ ଏକରରୁ ମେଡିକାଲ କଲେଜ ଓ କ୍ୟାମ୍ପସ ୧୨ ଏକରରେ ଥିବା ବେଳେ ମେଡିକାଲ କଲେଜ ଅଞ୍ଚଳରେ ଡାକ୍ତରଖାନା ପାଇଁ ନୂଆ କୋଠା ନିର୍ମାଣ କାମ ଜାରି ରହିଛି। ତେବେ ୪ ବର୍ଷର କଲେଜରେ ଗତ ୭ ମାସ ଅନ୍ତରାଳରେ ୨ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ଓ ଅନ୍ୟ ଜଣେ ଛାତ୍ରୀ ଥିବା ଜଣାପଡ଼ିଛି। ଏଥିପାଇଁ ରାଗିଂ ଭଳି କୁତ୍ସିତ ପରମ୍ପରାକୁ ଦାୟୀ କରାଯାଇଛି। ପ୍ରଥମେ ଛାତ୍ରୀ ନିରୁପମା ନନ୍ଦଙ୍କ ଆତ୍ମହତ୍ୟାକୁ ହାଲୁକା ଭାବେ ନିଆଯାଇଥିବା ବେଳେ ସୁଦୂର ହରିୟାଣାରୁ ୧୪ ଦିନ ତଳେ ପଢିବାକୁ ଆସିଥିବା ନବାଗତ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି କଲେଜ କର୍ତ୍ତୃପକ୍ଷ। ମୃତ ନିଶାନ୍ତଙ୍କ ଚାଟିଂ ଓ ପରିବାର ଲୋକଙ୍କ ଅଭିଯୋଗର କୌଣସି ଉତ୍ତର ଦେଉନାହାନ୍ତି। କଲେଜ କ୍ୟାମ୍ପସରେ ଥିବା ଦୋଷ ଦୁର୍ବଳତାକୁ ଢାଙ୍କିବାକୁ ପ୍ରୟାସ ଜାରି ରଖିଥିବାବେଳେ ତାହାକୁ ବଲାଙ୍ଗିରବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି।
୨୦୨୧ ଅକ୍ଟୋବର ୭ ତରିଖ। ଭୀମ ଭୋଇ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢୁଥିବା ଛାତ୍ରୀ ନିରୁପମା ନନ୍ଦଙ୍କ ଝୁଲନ୍ତା ଶବ ଛାତ୍ରୀ ହଷ୍ଟେଲର ଝରକାରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ନିରୁପମାଙ୍କ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ସୂଚନା ଦିଆଯାଇଥିଲା। ସେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ସହପାଠୀମାନେ କହିଥିଲେ। ତାଙ୍କୁ ହଷ୍ଟେଲରୁ ଭୀମ ଭୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସହରାଞ୍ଚଳ ପୁଲିସ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ମୃତ୍ୟୁର କିଛି ସମୟ ପୂର୍ବରୁ ସେ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଆତ୍ମହତ୍ୟା ପ୍ରବଣତା କି ସେ ଚାପରେ ଥିବା ଭଳି ଜଣାପଡୁ ନଥିଲେ। ସେ ମାନସିକ ଭାବେ ଦୃଢ। ଆତ୍ମହତ୍ୟା କରିପାରିବେ ନାହିଁ, ତାଙ୍କୁ ହତ୍ୟା କରାଯାଇଛି ବୋଲି ମୃତ ନିରୁପମାଙ୍କ ବାପା ସମାରୁ ନନ୍ଦ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ସଠିକ୍ କାର୍ଯ୍ୟାନୁଷ୍ଠାନ କରିବାକୁ ସେ ପୁଲିସକୁ ଅନୁରୋଧ କରିଥିଲେ। କିନ୍ତୁ କଲେଜ କର୍ତ୍ତୃପକ୍ଷ ଏହାକୁ ସିଧାସଳଖ ଆତ୍ମହତ୍ୟା କହିଥିବା ବେଳେ ପୁଲିସ ବି ହଁ ଭରିଥିଲା। ନିରୁପମା ମୃତ୍ୟୁ ମାମଲାର ସେଇଠି ହିଁ ପୂର୍ଣ୍ଣଛେଦ ପଡିଗଲା।

୭ ମାସ ପରେ ହରିୟାଣା କର୍ଣ୍ଣଲ୍ ସଦର କରନ ନଗରରେ ରହୁଥିବା ପ୍ରଫେସର ଡ.କ୍ରିଷ୍ଣ କୁମାର ଓ ସନ୍ତୋଷଙ୍କ ଏକ ମାତ୍ର ପୁଅ ନିଶାନ୍ତ କୁମାର ଭୀମ ଭୋଇ ମେଡିକାଲ କଲେଜରେ ନାମ ଲେଖାଇଥିଲେ। ଗତ ୧୨ ତାରିଖରେ ପରିବାର ଲୋକେ ତାଙ୍କୁ ନବାଗତ ଏମବିବିଏସ୍ ଛାତ୍ରଙ୍କ ପାଇଁ ଥିବା ହଷ୍ଟେଲରେ ଆଣି ଛାଡି ଥିଲେ। ବିଦେଶରେ ପାଠ ପଢୁଥିବା ବନ୍ଧୁ ପ୍ରଶାନ୍ତଙ୍କୁ ମୋବାଇଲ ଚାଟିଂ ଜରିଆରେ ନିଶାନ୍ତ ରାଗିଂ କଥା କହୁଥିଲେ। ଗତ ଶୁକ୍ରବାର ହଷ୍ଟେଲ ଛାତ ଉପରୁ ଡେଇଁ ତଳେ ପଡିଥିବା ମୃତ ନିଶାନ୍ତଙ୍କ ମା’ ର୍ୟାଗିଂ କଥା କହିଥିଲେ। ମୃତ୍ୟୁ ଦିନ ସେ ଭିଡିଓ କଲ୍ କରି ରାଗିଂ ହେଉଥିବା, ଅସଭ୍ୟ ଭାଷାରେ ସିନିୟର୍ମାନେ ଗାଳି ଦେଉଥିବା କଥା କାନ୍ଦି କାନ୍ଦି କହିଥିବା ଅଭିଯୋଗ କରିଥିଲେ। ତାଙ୍କ ବାପା ଥାନାରେ ଏସଂପର୍କରେ ଲିଖିତ ଅଭିଯୋଗ ବି କରିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଚାଟିଂକୁ ନେଇ ତଦନ୍ତ ଚଳାଇଥିବା କହୁଛି ସହରାଞ୍ଚଳ ପୁଲିସ। କେଉଁ ସିନିୟରମାନେ ଏଭଳି କରୁଥିଲେ ସେମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଥିବା ଖବର ମିଳିଛି।
ଗତ ୭ ମାସ ଅନ୍ତରାଳରେ ଜଣେ ଛାତ୍ରୀ ଓ କିଛି ଦିନ ତଳେ ନବାଗତ ଛାତ୍ରଙ୍କ ମୃତ୍ୟୁ ପରେ ବିବାଦୀୟ ହୋଇ ପଡିଛି ଭୀମ ଭୋଇ ମେଡିକାଲ କଲେଜ। ତେଣୁ ରାଗିଂ, ଛାତ୍ରଛାତ୍ରୀ ମୃତ୍ୟୁ ପ୍ରସଙ୍ଗରେ ସରକାର, ପ୍ରଶାସନ ଓ ପୁଲିସ ସମ୍ବେଦନଶୀଳ ହେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Leave A Reply

Your email address will not be published.