mobile header

ଆଇନ୍‍କୁ ହାତକୁ ନେଲେ ଓଡିଶାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ: ବିଜେଡି

ଓଡିଶା ୟୁପି କିମ୍ବା ବିହାର ନୁହେଁ
 ନିଜ ନେତାଙ୍କ ବିରୁଦ୍ଧରେ ଅଭିଯୋଗ ଆସିଲେ ବିଜେପି ଚୁପ୍‍
ଭୁବନେଶ୍ୱର : ଓଡିଶାର ବିଜେପି ନେତାମାନେ ଜାଣି ରଖିବା ଉଚିତ୍‍ ଯେ ଏହା ୟୁପି କିମ୍ବା ବିହାର ନୁହେଁ, ଏହା ହେଉଛି ଓଡିଶା । ଏଠି ଆଇନ୍‍ର ଶାସନ ଚାଲେ । ସେ ନେତା, ମନ୍ତ୍ରୀ, ବିଧାୟକ କିମ୍ବା ଅଫିସର ଯିଏ ହୁଅନ୍ତୁ ନା କାହିଁକି, ଆଇନ୍‍କୁ ହାତକୁ ନେଲେ ତାଙ୍କ ବିରୋଧରେ ଦୃଢ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ହୁଏ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ଓ ତାଙ୍କର କିଛି ଗୁଣ୍ଡା ଶ୍ରେଣୀୟ ସମର୍ଥକ ସର୍ବସମ୍ମୁକ୍ଷରେ ବିଡିଓଙ୍କୁ ମାଡ ମାରିବାବେଳେ ସେଠାରେ ଜଣେ ମହିଳା ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ । ବିଧାୟକ ଜଣେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ପ୍ରମାଣ ମିଳିଛି । ତେଣୁ ପୁଲିସ୍‍ ତାଙ୍କୁ ଗିରଫ କରିଛି ।
ଅନ୍ୟ ପକ୍ଷରେ ନିଜେ ଆଇନ୍‍କୁ ହାତକୁ ନେବା ପରେ ବିଧାୟକ ଗିରଫଦାରୀରୁ ବର୍ତ୍ତିବାପାଇଁ ଆଗତୁରା ଥାନାକୁ ଯାଇ ବିଡିଓଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଥିବା ସମସ୍ତେ ଜାଣନ୍ତି । ଏପରିକି ଘଟଣା ସମ୍ପର୍କରେ ସବୁ ଜାଣିଥିବା ତାଙ୍କରି ବିଜେପି ଦଳର ତିଳେଇବଣି ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ମଧ୍ୟ ବିଧାୟକଙ୍କ ବିରୁଦ୍ଧରେ ତୁରନ୍ତ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ।
ଝରିଗାଁ ବିଧାୟକଙ୍କ ବିରୋଧରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଯେଉଁ ଅଭିଯୋଗ ଆଣିଛନ୍ତି, ବିଗତ ଦିନରେ ବିଜେପିର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ବିରୁଦ୍ଧରେ ଜଣେ ଯୁବତୀ ରାଜଧାନୀର ଏକ ଥାନାରେ ସମାନ ପ୍ରକାରର ଅଭିଯୋଗ ଆଣିଥିଲେ । ଏହାଛଡା ନିକଟରେ ବିଜେପିର ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ବିରୁଦ୍ଧରେ ସୁନ୍ଦରଗଡରେ ତାଙ୍କରି ଦଳର ଜଣେ ଯୁବନେତ୍ରୀ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ । ଏ ଦୁଇ ନେତାଙ୍କ କ୍ଷେତ୍ରରେ ଯେଉଁ ଆଧାରରେ ତଦନ୍ତ ହୋଇଥିଲା, ଝରିଗାଁ ବିଧାୟକଙ୍କ କ୍ଷେତ୍ରରେ ମଧ୍ୟ ସେହି ଆଧାରରେ ତଦନ୍ତ ହେବ । ତେବେ ପ୍ରଶ୍ନ ଉଠୁଛି, ନିଜ ଦଳର ବରିଷ୍ଠ ନେତାମାନଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆସିଥିବାବେଳେ ଲେଖାଶ୍ରୀ ମ୍ୟାଡାମ କେଉଁଠି ଥିଲେ ଓ ପାଟି ନଫିଟାଇ ଚୁପ୍‍ କାହିଁକି ଥିଲେ ବୋଲି ସୁଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି ।
ପଞ୍ଚାୟତ ଓ ପୌର ନିର୍ବାଚନରେ ରାଜ୍ୟବାସୀଙ୍କ ଦ୍ୱାରା ଶୋଚନୀୟ ଭାବେ ପ୍ରତ୍ୟାଖାତ ହେବାପରେ ବିଜେପି ହତାଶ ହୋଇପଡିଛି । ତେଣୁ ବିଜେପି ନେତାମାନେ ଅଯଥାରେ କିଛି ଅପ୍ରସଙ୍ଗକୁ ପ୍ରସଙ୍ଗ କରି ହଟଚମଟ ସୃଷ୍ଟି ଲାଗି ଉଦ୍ୟମ କରୁଛନ୍ତି । ମାତ୍ର ବିଜେପିର ଏଭଳି ପୁରୁଣା ଚାଲ୍‍କୁ ରାଜ୍ୟବାସୀ ଭଲଭାବେ ବୁଝିଛନ୍ତି ବୋଲି ସୁଶ୍ରୀ ସାହୁ କହିଛନ୍ତି ।

Leave A Reply

Your email address will not be published.