mobile header

ବିଶ୍ୱସ୍ତରୀୟ ଏସସିବି ମେଡିକାଲ: ୪ ମାସ ପରେ ମିଳିଲା ପ୍ରଶାସନିକ ମଞ୍ଜୁରୀ, ପ୍ରଥମ ପର୍ଯ୍ୟାୟରେ ୪୪୭୪କୋଟି ଖର୍ଚ୍ଚ

କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ‘ଏମସ୍ ପ୍ଲସ’ ଭାବେ ଉନ୍ନୀତ କରି ସେଠାରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦେବା ନିମନ୍ତେ ଭିତ୍ତିଭୂମି ନିର୍ମାଣ ବାବଦରେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୪୪୭୪.୪୯କୋଟି ଟଙ୍କା ଖର୍ଚ୍ଚ କରିବେ । ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସମ୍ପ୍ରସାରଣ ଓ ଆଧୁନିକୀକରଣ ବାବଦରେ ପ୍ରଥମ ପର୍ଯ୍ୟାୟରେ ୪୪୭୪କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି ପ୍ରଶାସନିକ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ୨୦୨୨ ଜାନୁୟାରୀ ୧୭ ତାରିଖରେ ସ୍ୱାସ୍ଥ୍ୟ ବିଭାଗର ପ୍ରଶାସନିକ ଅନୁମୋଦନ ଲୋଡ଼ିଥିଲା ।

ସୂଚନା ଅନୁସାରେ, କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ ମେଡିକାଲ ଭାବେ ବିକଶିତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ମାର୍ଚ୍ଚ ୫ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ତେବେ କଟକ ବଡ଼ ମେଡିକାଲର ସମ୍ପ୍ରସାରଣ ଓ ଆଧୁନୀକରଣ କାର୍ଯ୍ୟ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୪୪୭୪.୪୯କୋଟି ଟଙ୍କା ଖର୍ଚ୍ଚ ପାଇଁ ଗତକାଲି ଅର୍ଥାତ ମେ’ ୪ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରଶାସନିକ ଅନୁମୋଦନ ଦେଇଛି ।

ଏହି ଅନୁମୋଦନ ମଧ୍ୟରେ କ୍ଲିନିକାଲ ବ୍ଲକ ଓ ଭିତ୍ତିଭୂମି ନିର୍ମାଣ ନିମନ୍ତେ ମୋଟ ୨୬୩୬.୨୦କୋଟି ଟଙ୍କା, ମେଡିକାଲରେ ଡାକ୍ତର, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ନିମନ୍ତେ ଆବାସିକ ସୁବିଧା ପାଇଁ ୮୮୮.୫୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅନୁମତି ଦେଇଛି । ଏହାବ୍ୟତୀତ ଏସିବି ଓ ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲର ଖେଳପଡ଼ିଆ ବିକାଶିତ ପାଇଁ ୧୨.୫୭କୋଟି ଟଙ୍କା, ମହାନଦୀ ପାଖରେ କାର ପାର୍କିଂ ପାଇଁ ୧୯.୩୬କୋଟି ଟଙ୍କା, ୬୦୦ଲୋକଙ୍କ ରହିବା ସୁବିଧା ନିମନ୍ତେ ଧର୍ମଶାଳାର ଆଧୁନିକୀକରଣ ପାଇଁ ୧୦.୬୨କୋଟି ଟଙ୍କା, ୫୦୦ ଲୋକ(ରୋଗୀଙ୍କ ସହାୟକ)ଙ୍କ ରହିବା ନିମନ୍ତେ ନୂଆ ଧର୍ମଶାଳା ନିର୍ମାଣରେ ୩୬.୪୧କୋଟି ଟଙ୍କା, ଭୁବନାନନ୍ଦ ଇଞ୍ଜିନିୟରିଂ କଲେଜର ଗେଷ୍ଟ ହାଉସ ନିର୍ମାଣ ପାଇଁ ୨.୫୦କୋଟି ଟଙ୍କା, ବିହନ ନିଗମର କୋଠା ପାଇଁ ୯.୩୧କୋଟି, ଉଠାଜଳସେଚନର କ୍ୱାଟର୍ସ ପାଇଁ ୨.୬୩କୋଟି, ଚମଡ଼ା ନିଗମର କୋଠା ପାଇଁ ୭.୭୨କୋଟି, ଟେକ୍ସଟାଇଲ୍ ଅଫିସ ପାଇଁ ୨.୭୯କୋଟି, ଭୁବନାନନ୍ଦ ଇଞ୍ଜିନିୟରିଂ କଲେଜର ଗେଷ୍ଟହାଉସକୁ ରେଡକ୍ରସ ରକ୍ତ ଭଣ୍ଡାରରେ ବିକଶିତ ପାଇଁ ୧.୫୨କୋଟି, ୩ଟି ଫୁଟ୍ ଓଭର ବ୍ରିଜ୍ ପାଇଁ ୩.୧୪କୋଟି ଟଙ୍କା, ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୨.୮୪କୋଟି, ଆହାର କେନ୍ଦ୍ର ପାଇଁ ୪୦.୯୯ଲକ୍ଷ ଟଙ୍କା ଖର୍ଚ୍ଚ ସହ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ମୋଟ ୧୩୦.୧୮ କୋଟି ଟଙ୍କାର ପ୍ରଶାସନିକ ମଞ୍ଜୁରୀ ମିଳିଛି । ଏହି ସମସ୍ତ କାର୍ଯ୍ୟ ସର୍ବାଧିକ ୩୦ମାସ ମଧ୍ୟରେ ଶେଷ କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଆଧୁନିକୀକରଣ କାର୍ଯ୍ୟ ୨୦୨୪ ଜାନୁୟାରୀ ୧ ପୂର୍ବରୁ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୧ହଜାର କୋଟି ଟଙ୍କା ଓ ପରେ ୨୦୨୧-୨୨ ବଜେଟରେ ୫୦୦କୋଟି ଟଙ୍କାର ଆବଣ୍ଟନ ସହ ମୋଟ ୩୫୦୦କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ତେବେ ପୂର୍ତ୍ତ ବିଭାଗ ୨୦୨୨ ଜାନୁୟାରୀ ୧୭ତାରିଖରେ ସ୍ୱାସ୍ଥ୍ୟ ବିଭାଗକୁ ଦେଇଥିବା ପ୍ରସ୍ତାବରେ ଏହି ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ନିମନ୍ତେ ୪୪୭୪.୬୬କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଏକ ପ୍ରସ୍ତାବ ପଠାଇ ଏହାର ପ୍ରଶାସନିକ ଅନୁମୋଦନ ଲୋଡ଼ିଥିଲା ।

Leave A Reply

Your email address will not be published.