mobile header

ଇଣ୍ଡିଗୋ କର୍ମଚାରୀଙ୍କ ହଇରାଣର ଶିକାର ହେଲେ ଓଡ଼ିଆ ଦିବ୍ୟାଙ୍ଗ ଝିଅ ଶ୍ରୁତି ମହାପାତ୍ର

ଜାତୀୟ ପୁରସ୍କାର ବିଜେତା ତଥା ଦିବ୍ୟାଙ୍ଗଙ୍କ ଅଧିକାର ପାଇର୍ ଲଢ଼େଇ କରୁଥିବା ଓଡ଼ିଆ ଝିଅ ଡଃ ଶ୍ରୁତି ମହାପାତ୍ର ଆଜି ହାଇଦ୍ରାବାଦ ବିମାନ ବନ୍ଦରରେ ଇଣ୍ଡିଗୋ ଓ ସିଆଇଏସଏଫଙ୍କ କର୍ମଚାରୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ସେ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ବିମାନରେ ତାଙ୍କ ପାଇଁ ଉଦ୍ଦିଷ୍ଟ ସିଟକୁ ନେଇ ସେ ଆପତ୍ତି ଉଠାଇବାରୁ ତାଙ୍କ କଥା ନଶୁଣି ଓଲଟା ତାଙ୍କୁ ଅପମାନିତ କରାଯାଇଛି । ଏପରିକି ତାଙ୍କୁ ମାନସିକସ୍ତରରେ ନିର୍ଯାତନା ଦିଆଯାଇଥିବା ଶ୍ରୁତି ତାଙ୍କ ଟ୍ୱିଟ୍ ମାଧ୍ୟମରେ ଅଭିଯୋଗ କରିଛନ୍ତି ।

ଗତ ମାର୍ଚ୍ଚ ମାସରେ ରାଷ୍ଟ୍ରପତିଙ୍କ ଦ୍ୱାରା ‘ନାରୀ ଶକ୍ତି ପୁରସ୍କାର’ ପାଇଥିବା ଶ୍ରୁତି ତାଙ୍କ ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି ଯେ, ତାଙ୍କୁ ଆଜି ଇଣ୍ଡିଗୋ ବିମାନରେ ଯେଉଁ ସିଟ୍ ଦିଆଯାଇଥିଲା ତାକୁ ନେଇ ସେ ଆପତ୍ତି ଉଠାଇଥିଲେ । ବିମାନ ବା ଟ୍ରେନରେ ଯାତାୟତ ପାଇଁ ଉଦ୍ଦିଷ୍ଟ ମାର୍ଗ ପାଖର ସିଟ୍ (ଆଇସ୍ଲେ ସିଟ) ତାଙ୍କୁ ଦିଆଯାଇଥିଲା । ସେ ଜଣେ ଦିବ୍ୟାଙ୍ଗ ମହିଳା ହୋଇଥିବାରୁ ଏହି ସିଟକୁ ନେଇ ଆପତ୍ତି ଉଠାଇ ତାକୁ ବଦଳାଇ ଅନ୍ୟ ସିଟ୍ ଦେବାକୁ ବିମାନ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ । ତାଙ୍କର ଅନୁରୋଧ ପ୍ରତି ଦୃଷ୍ଟି ଦେବା ପରିବର୍ତ୍ତେ ବିମାନ ବନ୍ଦର ଓ ସିଆଇଏସଏଫ କର୍ମଚାରୀମାନେ ତାଙ୍କୁ ଅପମାନିତ କରିଥିଲେ । ହାଇଦ୍ରାବାଦ ବିମାନ ବନ୍ଦରରେ ତାଙ୍କ ସହ ଏହା ହୋଇଥିବା ସେ ଟ୍ୱିଟ୍ କରି ଜଣାଇବା ସହ ଦିବ୍ୟାଙ୍ଗ ଯାତ୍ରୀଙ୍କ ନିରାପତ୍ତା ଓ ସମ୍ମାନ ରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ସିଆଇଏସଏଫରେ ସଂସ୍କାର ଆବଶ୍ୟକ ବୋଲି କହିଛନ୍ତି ।

ଶ୍ରୁତିଙ୍କ ଏହି ଟ୍ୱିଟ୍ ପରେ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ତାଙ୍କୁ ଟ୍ୱିଟ୍ କରାଯାଇ ତାଙ୍କର ଫୋନ୍ ନମ୍ବର ଓ ପିଏନଆର ନମ୍ବର ମାଗିଛି । ଏପରିକି ତାଙ୍କ ସହ କଥା ହେବାକୁ ଚାହୁଁଥିବା ନେଇ ମଧ୍ୟ ଏୟାରଲାଇନ୍ସ ଟ୍ୱିଟ୍ ମାଧ୍ୟମରେ ଜଣାଇଛି ।

ସୂଚନାଯୋଗ୍ୟ, ଚଳିତମାସ ୭ ତାରିଖରେ ରାଂଚ ବିମାନ ବନ୍ଦରରେ ଜଣେ ଦିବ୍ୟାଙ୍ଗଙ୍କୁ ବିମାନରେ ଯାତ୍ରା କରିବାକୁ ସୁଯୋଗ ନଦେଇ ଇଣ୍ଡିଗୋ ବିମାନ ବିବାଦକୁ ଆସିଥିଲା । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦେଇଥିବାବେଳେ ଆଜି ଦେଶର ଜଣେ ପ୍ରମୁଖ ନାରୀ ଶକ୍ତି ଭାବେ ପରିଚିତ ଶ୍ରୁତିଙ୍କୁ ଏଭଳି ଦୁର୍ଭାଗ୍ୟଜନକ ଘଟଣାର ଶିକାର ହେବାକୁ ପଡ଼ିଛି ।

Leave A Reply

Your email address will not be published.