ସରକାର ରାସନ ହିତାଧିକାରୀଙ୍କ ଲାଭକୁ ନଜରରେ ରଖି ଜରୁରୀ ନିୟମ ପ୍ରଣୟନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାସନ ଡିଲର ମାପରେ ଗଡବଡ଼ କରି ହିତାଧିକାରୀଙ୍କୁ କମ୍ ରାସନ ଦେଉଥିବାର ଅନେକବାର ଅଭିଯୋଗ ହୋଇଛି। ଏଣୁ ସରକାର ଦୋକାନରେ ଇଲେକ୍ଟ୍ରୋନିକ୍ ପଏଣ୍ଟ ଅଫ ସେଲ(ଇପିଓଏସ) ଅନିବାର୍ଯ୍ୟ କରିଛନ୍ତି।
ରାସନ କାର୍ଡଧାରୀଙ୍କୁ ଉପଯୁକ୍ତ ଓଜନର ରାସନ ମିଳୁ ତାହା ନ୍ୟାସନାଲ ଫୁଡ ସିକ୍ୟୁରିଟି ଲ (ଏନଏଫଏସଏଲ) ନିଶ୍ଚିତ କରୁଛି। ଏଣୁ ହିତାଧିକାରୀଙ୍କୁ ଉପଯୁକ୍ତ ଓଜନର ରାସନ ଯେପରି ମିଳିପାରିବ ସେଥିଲାଗି ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ରାସନ ଦୋକାନରେ ଇପିଓଏସ୍ ନିଶ୍ଚିତ କରିବା ପାଇଁ ଏହାକୁ ଇଲେକ୍ଟ୍ରୋନିକ ତରାଜୁ ସହ ସଂୟୁକ୍ତ କରିବା ବାଧ୍ୟତାମୂଳକ କରିଛନ୍ତି। ହିତାଧିକାରୀଙ୍କୁ ଖାଦ୍ୟ ଶଶ୍ୟ ଓଜନ କରିବା ବେଳେ ପାରଦର୍ଶିତା ନିଶ୍ଚିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।
ସରକାରଙ୍କ ଅନୁସାରେ ଟାର୍ଗେଟ୍ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ(ଟିପିଡିଏସ୍) ସଞ୍ଚାଳନର ପାରଦର୍ଶିତା ସୁନିଶ୍ଚିତ କରିବା ପାଇଁ ଅଧିନିୟମ ଧାରା ୧୨ ଅନୁସାରେ ଖାଦ୍ୟାନ୍ନ ଓଜନ ସୁଧାର ପ୍ରକ୍ରିୟାକୁ ଆଗକୁ ବଢାଇବାର ଏହା ଏକ ପ୍ରୟାଶମାତ୍ର। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନଏଫଏସଏ) ରେ ଦେଶର ୮୦ କୋଟି ଲୋକଙ୍କୁ ପ୍ରତି ବ୍ୟକ୍ତି ୫ କେଜି ଲେଖାଏଁ ଚାଉଳ ଓ ଗହମ ପ୍ରତି କେଜି ୨ରୁ ୩ ଟଙ୍କା ଦରରେ ପ୍ରତିମାସରେ ଯୋଗାଇ ଦେଉଛନ୍ତି। ଅନ୍ୟପକ୍ଷରେ ଇପିଓଏସ ଡିଭାଇସ କ୍ରୟ କରିବା ଓ ଏହାର ରକ୍ଷଣାବେକ୍ଷଣ ଲାଗି ସରକାର ପୃଥକ ମାର୍ଜିନ ପ୍ରଦାନ କରିବେ ବୋଲି କହିଛନ୍ତି।