ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତାରାତାରିଣୀ । ଦକ୍ଷିଣ ଓଡ଼ିଶା ସମେତ ସାରା ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ । ତେବେ ଏଇ ପ୍ରାଚୀନ ପୀଠର ନବକଳେବର ହୋଇଛି । ନୂତନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ରବିବାରରୁ ଆରମ୍ଭ ହୋଇଛି, ଶୁକ୍ରବାର ପୂର୍ଣ୍ଣାହୁତି ହେବ । ତେବେ ଏଇ ପରିବର୍ତ୍ତନର ମୂଳଦୁଆ ପଡିଥିଲା ପ୍ରାୟ ଦୁଇ ଦଶନ୍ଧି ତଳେ । ଧିରେ ଧିରେ ପୀଠର ରୂପାନ୍ତରଣ ଘଟି କେବଳ ଏକ ଧାର୍ମିକ ପୀଠରୁ ଏବେ ଏହା ଭ୍ରମଣକାରୀଙ୍କ ନିମନ୍ତେ ବହୁ ସୁବିଧାସୁଯୋଗ ସମ୍ବଳିତ ପର୍ଯ୍ୟଟନସ୍ଥଳରେ ପରିଣତ ହୋଇପାରିଛି । ତାରାତାରିଣୀ ମନ୍ଦିର ନବକଳେବରର ମୂଳଦୁଆ ପଡିଥିଲା ଆଜିକୁ ପ୍ରାୟ ୨୦ ବର୍ଷ ତଳେ । ସେତେବେଳେ ହିଞ୍ଜିଳିକାଟୁରୁ ବିଧାୟକ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇ ସାରିଥିଲେ ନବୀନ ପଟ୍ଟନାୟକ । ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତାରାତାରିଣୀ ପୀଠର ବିକାଶ ପାଇଁ ସେ ପ୍ରାଥମିକ ପର୍ଯ୍ୟାୟରେ ୨୦୦୧ ମସିହାରେ ୩୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ସେତେବେଳେ ତାରାତାରିଣୀ ପୀଠ କହିଲେ ରତ୍ନଗିରି ପର୍ବତ ଶିଖର ତଥା ସମୁଦ୍ରପତ୍ତନ ଠାରୁ ପ୍ରାୟ ୭ଶହ ଫୁଟ ଉଚ୍ଚରେ ପ୍ରାଚୀନ ପୀଢ ଶୈଳୀରେ ନିର୍ମିତ ପୁରାତନ ମନ୍ଦିର, ପ୍ରଥମରୁ ଛୋଟ ଓ ପରେ ପ୍ରାୟ ୨୨ ଫୁଟ ଉଚ୍ଚ ଜଗମୋହନ, ପୁରୁଣାକାଳିଆ ପ୍ରବେଶ ପଥ ଏବଂ ପର୍ବତ ପାଦଦେଶରେ ସିଂହଦ୍ୱାର, ସେଠାରୁ ୯୯୯ ପଥର ନିର୍ମିତ ପାହାଚ, ଛୋଟିଆ ବଜାରଟିଏ ଓ ଅନ୍ୟପଟେ ଅଣଓସାରିଆ ବିପଦସଙ୍କୁଳ ଘାଟି ରାସ୍ତାକୁ ବୁଝାଉଥିଲା । ତଥାପି ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ସହସ୍ରାଧିକ ଭକ୍ତ ଚୈତ୍ର ମଙ୍ଗଳବାର ପାଳିରେ ଦେବୀଦର୍ଶନ, ପିଲାଙ୍କ ମୁଣ୍ଡନ ପାଇଁ ଛୁଟି ଆସୁଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ମଞ୍ଜୁର ସହ ଆରମ୍ଭ ହୋଇଥିଲା ମନ୍ଦିରର ବିକାଶ ପ୍ରକ୍ରିୟା ।
୨୦୦୨ ମସିହାରେ ଅୟମାରମ୍ଭ
୨୦୦୨ ମସିହାରେ ତତ୍କାଳୀନ ଆର୍ଡିସି(ଦକ୍ଷିଣାଞ୍ଚଳ) ଥିଲେ ଅରୁଣ କୁମାର ପଣ୍ଡା । ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀ ଅନୁଭବ କରିପାରିଥିଲେ ଯେ- ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ସହ ଜଡିତ ଏହି ପୀଠରେ ଆହୁରି ଅନେକ କିଛି ବିକାଶମୂଳକ କାର୍ଯ୍ୟ କରିହେବ । ମନ୍ଦିର ସମେତ ଚତୁଃପାଶ୍ୱର୍ର ଉନ୍ନତି କରିହେବ । ସେହିବର୍ଷ ଜାନୁଆରୀ ଓ ଫେବ୍ରୁଆରୀ ମାସରେ ବ୍ରହ୍ମପୁରର ବୁଦ୍ଧିଜୀବୀ, ଆଧ୍ୟାତ୍ମିକପ୍ରେମୀଙ୍କ ସହ ବୈଠକରେ ସେ ଏହି ପ୍ରସଙ୍ଗ ଉପସ୍ଥାପନ କରିଥିଲେ । କିଛିଟା ପ୍ରମୁଖ ନିଷ୍ପତ୍ତି ହୋଇଥିଲା ଯେପରି ତାରାତାରିଣୀ ଉନ୍ନୟନ ପରିଷଦ ଗଠନ, ମନ୍ଦିରର ନବକଳେବର ସକାଶେ ୫ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା, ଜନସାଧାରଣଙ୍କ ଠାରୁ ଦାନଦକ୍ଷିଣା ସୂତ୍ରରେ ଅର୍ଥ ସଂଗ୍ରହ ଆଦି । ନୂତନ ମନ୍ଦିରର ଏକ ମଡେଲ୍ ଥାଇ ଏକ ସ୍ୱତନ୍ତ୍ର ରଥ ଜିଲ୍ଲା ଭ୍ରମଣ କରି ଶ୍ରଦ୍ଧାଳୁଙ୍କ ଠାରୁ ଅର୍ଥ ସଂଗ୍ରହ କରିଥିଲା । ଏଥିସହ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ସମୟରେ କିଛି କିଛି ଅର୍ଥ ମଞ୍ଜୁର କରିଥିଲେ । ଉଲ୍ଲେଖନୀୟ କଥା ହେଲା ବର୍ତ୍ତମାନର ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ମନ୍ଦିର ନବୀକରଣର ଶୁଭ ଦେଇଥିଲେ ।
୨୦ ବର୍ଷ, ୧୧୭ କୋଟି ବ୍ୟୟ
ମନ୍ଦିର ନବକଳେବର ପାଇଁ ବିଶିଷ୍ଟ ସ୍ଥପତି ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ସହାୟତା ଲୋଡାଯାଇଥିଲା । ସେ ମଧ୍ୟ ଏଥିରେ ଆଗ୍ରହର ସହ ଯୋଡି ହୋଇଥିଲେ । ପରବର୍ତ୍ତୀ ସମୟରେ ସ୍ଥପତି ନାରାୟଣ ତ୍ରିପାଠୀ ଏହି ଗୁରୁଦାୟିତ୍ୱ ତୁଲାଇଥିଲେ । ବିଶାଳକାୟ ବଉଳମାଳିଆ ପଥର ଆଣି ପର୍ବତ ଶିଖରରେ ତାହାକୁ ସାଇଜ୍ କରାଯାଇ, ସେଥରେ ବିଭିନ୍ନ କଳାକୃତି କରି ଧିରେ ଧିରେ ମନ୍ଦିର ଗଠନ କାର୍ଯ୍ୟ ତ୍ୱରାନ୍ୱିତ ହେଲା । ଅରୁଣ ପଣ୍ଡା, ସତ୍ୟବ୍ରତ ସାହୁଙ୍କ ଭଳି ଆର୍ଡିସି, ସନ୍ତୋଷ ଶତପଥୀ, ଜି. ମାଥିଭାଥନନ୍, ସଞ୍ଜୀବ ମିଶ୍ର, ସଞ୍ଜୟ ସିଂ, ଭି.କେ.ପାଣ୍ଡିଆନଙ୍କ ଭଳି ଜିଲ୍ଲାପାଳଙ୍କ ସମୟରେ ଲଗାତାର ମନ୍ଦିରର ବିକାଶମୂଳକ କାର୍ଯ୍ୟ ଜାରି ରହିଥିଲା । ଯଦିଓ ପ୍ରାୟ ୨୦ ବର୍ଷ ଲାଗିଥିଲା ତେବେ ଗତ ୨-୩ ବର୍ଷରେ ହିଁ ମନ୍ଦିର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିଥିଲା । ରାଜ୍ୟ ସରକାର ଯେତେବେଳେ ବିଭିନ୍ନ ମନ୍ଦିରକୁ ପର୍ଯ୍ୟଟନସ୍ଥଳ ଆକାରରେ ବିକଶିତ କରିବାର ଯୋଜନା କରିଥିଲେ ସେଥିଅନ୍ତର୍ଗତ ତାରାତାରିଣୀ ପୀଠ ପ୍ରାଥମିକତା ପାଇ ଏବେ ନୂତନ ମନ୍ଦିର ନିର୍ମାଣ ଚୂଡାନ୍ତ ହୋଇ ପ୍ରତିଷ୍ଠା ଉତ୍ସବ ହୋଇପାରିଛି । ପ୍ରସିଦ୍ଧ ମୁକ୍ତେଶ୍ୱର ମନ୍ଦିର ଢାଞ୍ଚାରେ ନିର୍ମିତ ହୋଇଛି ସିଂହଦ୍ୱାର ପ୍ରବେଶ ପଥ । ଏମଧ୍ୟରେ ରାଜ୍ୟ ସରକାର ପ୍ରାୟ ୧୧୭ କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି ।
ମନ୍ଦିରର ନବକଳେବର
ପର୍ଯ୍ୟାୟକ୍ରମେ ଏହି ସ୍ଥାନକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସତ୍ୟବ୍ରତ ସାହୁ ଆର୍ଡିସି ଥିବା ସମୟରେ ରୋପ୍ୱେ ପ୍ରଚଳନ ଆରମ୍ଭ ହୋଇଥିଲା । ନୂଆ କରି ନିର୍ମିତ ହୋଇଛି ଯଜ୍ଞ ମଣ୍ଡପ, ଦୀପ ଘର, ଭିୟୁ ପଏଣ୍ଟ୍, ମେଡିଟେସନ୍ ସେଣ୍ଟର୍, ପ୍ରଶାସନିକ ଭବନ, ମୁଣ୍ଡନ କକ୍ଷ, ବଜାର ଗୃହ, ଘାଟି ତଳୁ ପୀଠ ପର୍ଯ୍ୟନ୍ତ ପକ୍କା ରାସ୍ତା ଆଦି । ମନ୍ଦିର ଉପରୁ ନିକଟରେ ପ୍ରବାହିତ ଋଷିକୁଲ୍ୟା ନଦୀର ସୁନ୍ଦର ଦୃଶ୍ୟ, ବିସ୍ତୀର୍ଣ୍ଣ ଅଞ୍ଚଳରେ ବ୍ୟାପ୍ତ ଆଖପାଖ ଅଞ୍ଚଳର ଦୃଶ୍ୟ, ପୀଠ ନିକଟରେ ନୂଆ ଚାରାରୋପଣ ସହ ସବୁଜିମା ଏବେ ଦେଖଣାହାରୀଙ୍କୁ ତୃପ୍ତି ଆଣି ଦେଉଛି । ପର୍ବତ ତଳୁ ପୀଠ ଶିଖର ପର୍ଯ୍ୟନ୍ତ ସୁନ୍ଦର ପିଚୁ ରାସ୍ତା ତିଆରି ହୋଇଛି ।
୫ ଫେବ୍ରୁଆରୀ ୨୦୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୀଠର ନବୀକରଣ କାର୍ଯ୍ୟକୁ ମଞ୍ଜୁରୀ ଦେବା ସହ ପୀଠ ନବକଳେବବର ଥ୍ରୀ-ଡି ମଡେଲ୍ ଉନ୍ମୋଚନ କରିଥିଲେ । ମଝିରେ ୩ ଥାକିଆ ମୁଖ୍ୟ ମନ୍ଦିର ହୋଇଛି । ତିନି ଭାଗ ବିଶିଷ୍ଟ ମୂଳ ମନ୍ଦିର ୬୭ ଫୁଟ, ୪୭ ଫୁଟ ଓ ୩୭ ଫୁଟର ଥିବା ବେଳେ ଶ୍ରୀଗଣେଶ, ନାରାୟଣ, ଶିବ ଓ ସୂର୍ଯ୍ୟଙ୍କ ୪ ପାଶ୍ୱର୍ ମନ୍ଦିର ତିଆରି ହୋଇଛି । ଦର୍ଶନାର୍ଥୀଙ୍କ ବିଶ୍ରାମ ସକାଶେ ୨୫ ହଜାର ବର୍ଗଫୁଟରେ ତିନି ମହଲା କୋଠା ସାଙ୍ଗକୁ ରାସ୍ତା, ପାହାଚ ଉନ୍ନତୀକରଣ କରାଯାଇଛି । ସବୁ ଦୋକାନ ପାହାଡ ଉପରୁ ପାଦଦେଶକୁ ନିଆଯାଇଛି । ପାନ୍ଥନିବାସ ବ୍ୟତୀତ ୪ କୋଟିରେ ଦିଗନ୍ତ ବଙ୍ଗଳା, ପଥପ୍ରାନ୍ତ ସୁବିଧା କେନ୍ଦ୍ର ତିଆରି ଚାଲିଛି ।