mobile header

ସୂଚନା ଓ ଲୋକସମ୍ପର୍କ ବିଭାଗରେ ଆତଙ୍କବାଦ ବିରୋଧୀ ଶପଥପାଠ

ସମଗ୍ର ଦେଶରେ ଆତଙ୍କବାଦ ବିରୋଧୀ ଦିବସ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶାଳୟରେ ଆଜି ପୂର୍ବାହ୍ନରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଦେଶିତ ସମୟ ଅନୁସାରେ ପୂର୍ବାହ୍ନ ୧୧ ଘଟିକା ସମୟରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଅହିଂସା ଓ ସହନଶୀଳତା ପରମ୍ପରାରେ ବିଶ୍ୱାସ ରଖୁଥିବା ଆମେ ଭାରତବାସୀ, ସବୁ ପ୍ରକାର ଆତଙ୍କବାଦ ଓ ହିଂସାକୁ ଦୃଢ ଭାବରେ ବିରୋଧ କରିବା ସହ, ଶାନ୍ତି ବଜାୟ ରଖି ପାରସ୍ପରିକ ଭାବଗତ ଐକ୍ୟ ଓ ବୁଝାମଣା ସହକାରେ ମାନବ ଜୀବନ ଓ ମାନବୀୟ ମୂଲ୍ୟବୋଧରେ ବାଧକ ସାଜୁଥିବା ସମସ୍ତ ବିଚ୍ଛିନ୍ନତାବାଦୀ ଶକ୍ତି ବିରୋଧରେ ନିରବଚ୍ଛିନ୍ନ ସଂଗ୍ରାମ ଜାରି ରଖିବାକୁ ସମସ୍ତେ ଶପଥ ନେଇଥିଲେ। ପ୍ରକାଶ ଥାଉକି, ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ରାଜୀବ ଗାନ୍ଧିଙ୍କ ତିରୋଧାନ ଦିବସ ଅବସରରେ ସମସ୍ତଙ୍କୁ ଆତଙ୍କବାଦ ଓ ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଉଦ୍ଦେଶ୍ୟେରେ ପ୍ରତିବର୍ଷ ମଇ ମାସ ୨୧ ତାରିଖରେ ଆତଙ୍କବାଦୀ ବିରୋଧ ଦିବସ ପାଳନ ହୋଇଆସୁଛି।

ଏହି ଶପଥପାଠ କାର୍ଯ୍ୟକ୍ରମରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମାନସ ରଞ୍ଜନ ଖୁଣ୍ଟିଆ, ଉପ-ନିର୍ଦ୍ଦେଶକ ଡଃ. ଜ୍ୟୋତିର୍ମତୀ ସାମନ୍ତରାୟ, ଶ୍ରୀମତୀ ସ୍ମିତା କର, ଶ୍ରୀ ବିଶ୍ୱଜିତ ଦାଶ, ଶ୍ରୀ ବସନ୍ତ କୁମାର ମହାନ୍ତି ଏବଂ ଉପ ଶାସନ ସଚିବ ଶ୍ରୀ ମନ୍ୟୁ ପ୍ରକାଶ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ଶାଖାର ପଦାଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ। ସହକାରୀ ନିର୍ଦ୍ଦେଶିକା (କ୍ଷେତ୍ର) ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

Leave A Reply

Your email address will not be published.