mobile header

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ; ରାଷ୍ଟ୍ରୀୟ ସ୍ମାରକ ପ୍ରାଧୀକରଣର ଅନୁମତି ନାହିଁ

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ରାଜନୈତିକ ନେତାମାନେ ଏହାକୁ ନେଇ ବୟାନବାଜି ଆକ୍ଷେପ ପ୍ରତିଆକ୍ଷେପ ଜାରି ରଖିଛନ୍ତି । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣକୁ ନେଇ ଆମସାର୍ ଆଇନ ଉଲ୍ଲଂଘନର ଅଭିଯୋଗ ଆସିବା ପରେ ରାଜ୍ୟର ସରକାରୀ ଦଳର ନେତାମାନେ ଆମସାର୍ ଆଇନକୁ ଉଲ୍ଲଂଘନ କରାଯାଇ ନାହିଁ ବୋଲି ବକ୍ତବ୍ୟ ପ୍ରଦାନ କରି ଆସୁଛନ୍ତି । ଏପରିକି ପୁରୀ ସାଂସଦ ପିନାକୀ ମିଶ୍ର ଲୋକସଭାରେ ରାଜ୍ୟ ସରକାର ଆଇନ ଉଲ୍ଲଂଘନ କରି କୌଣସି କାର୍ଯ୍ୟ କରିନାହାନ୍ତି ବୋଲି ଦୃଢ ପ୍ରକାଶ କରିଥିଲେ । କିନ୍ତୁ ସୂଚନା ଅଧିକାର ଆଇନ ବଳରେ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିଗତ ନିଷ୍ପତ୍ତି କିଭଳି ଖାମଖିଆଲି ଭାବେ ନିଆଯାଇଛି ସ୍ଥାନୀୟ ଯାଦବ ଭବନଠାରେ ସାମ୍ବାଦିକ ସମ୍ମିଳନୀ କରି ସମଗ୍ର ଓଡ଼ିଶାବାସୀଙ୍କ ସାମ୍ନାରେ ତଥ୍ୟ ରଖିଛନ୍ତି ।

ସୂଚନା କର୍ମୀ ଶ୍ରୀ ପଣ୍ଡା ଖୁଲାସା କରି କହିଛନ୍ତି ଯେ, ରାଜ୍ୟରେ ରହିଥିବା ଜାତୀୟ କୀର୍ତ୍ତିରାଜିର ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କରିବା ରାଜ୍ୟର ଏକ ପୁରୁଣା ଅଭ୍ୟାସ। ରାଜ୍ୟରେ ସମୁଦାୟ ୮୦ଟି ଜାତୀୟ ମାନ୍ୟତାପ୍ରାପ୍ତ କୀର୍ତ୍ତିରାଜି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅଧୀନରେ ରହିଥିବା ବେଳେ ଏହା ମଧ୍ୟରୁ ୧୨ଟି ଜାତୀୟ କୀର୍ତ୍ତୀରାଜିର ଶହେ ମିଟର ନିଷିଦ୍ଧାଞ୍ଚଳ ମଧ୍ୟରେ ଅନଧିକୃତ ନିର୍ମାଣ କରାଯାଇଥିବା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୂଚନାକର୍ମୀ ଶ୍ରୀ ପଣ୍ଡାଙ୍କୁ ସୂଚନା ପ୍ରଦାନ କରାଯାଇଛି । ଏପରିକି ପ୍ରାଚୀନ ବାରବାଟୀ ଦୁର୍ଗର ନିଷିଦ୍ଧାଞ୍ଚଳରେ ଅଙ୍ଗନୱାଡି କେନ୍ଦ୍ର ପାଇଁ ଖନନ ଓ କୋଠା ନିର୍ମାଣ ମଧ୍ୟ କରାଯାଇଛି । କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ କର୍ତ୍ତୃପକ୍ଷ ମଧ୍ୟ ଉଦୟଗିରି ଏବଂ ଖଣ୍ଡଗିରିର ନିଷିଦ୍ଧାଞ୍ଚଳରେ ତଥା ଶହେ ମିଟର ପରିଧି ମଧ୍ୟରେ ଡ୍ରେନ ନିର୍ମାଣ କରିଥିବା ଜଣାପଡ଼ିଛି । ଓଡ଼ିଶାରେ କେବଳ ପୁରୀରେ ଆମସାର୍ ଆଇନକୁ ଅଣଦେଖା କିମ୍ବା ଉଲ୍ଲଂଘନ କରାଯାଉଥିବା ପ୍ରଶ୍ନ ଉଠିବା ପରେ ସୂଚନା କର୍ମୀ ଶ୍ରୀ ପଣ୍ଡା ଓଡ଼ିଶାର କେଉଁ କେଉଁ କୀର୍ତ୍ତିରାଜିର ନିଷିଦ୍ଧାଞ୍ଚଳ ମଧ୍ୟରେ ଅନଧିକୃତ ଭାବେ ନିର୍ମାଣ କାର୍ଯ୍ୟ କରାଯାଇଥିବା ତଥ୍ୟ କେନ୍ଦ୍ର ପ୍ରତ୍ନ ତତ୍ତ୍ୱ ବିଭାଗକୁ ମାଗିଥିଲେ । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ରାଷ୍ଟ୍ରୀୟ ସ୍ମାରକ ପ୍ରାଧୀକରଣର ଅନାପତ୍ତି ପ୍ରମାଣ ପତ୍ର ମିଳି ନଥିବା ତଥ୍ୟରେ ଉଲ୍ଲେଖ ରହିଥିବା ବେଳେ ନିର୍ମାଣ ଶବ୍ଦର ପରିଭାଷାରେ ସାର୍ବଜନୀନ ସୁବିଧା ପାଇଁ କେତେକ ନିର୍ମାଣକୁ ଅନୁମତି ଦିଆଯାଇଥିବା ମଧ୍ୟ ଉଲ୍ଲେଖ ରହିଛି । ପୁରୀ ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳ ମଧ୍ୟରେ ମେଘନାଦ ପ୍ରଚୀରକୁ ସଂଲଗ୍ନ କରି ଆଉ ପ୍ରାଚୀର ନିର୍ମାଣ ଓ ପରିକ୍ରମା ପ୍ରକଳ୍ପର କାର୍ଯ୍ୟକାରିତା ନିଷିଦ୍ଧାଞ୍ଚଳ ମଧ୍ୟରେ ଅନଧିକୃତ ଭାବେ ହେଉଥିବା ତଥ୍ୟ ପ୍ରତ୍ନତତ୍ତ୍ୱ ସର୍ବକ୍ଷେଣ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି । କେନ୍ଦ୍ର ସଂସ୍କୃତି ବିଭାଗ ଅଧିନସ୍ଥ ରାଷ୍ଟ୍ରୀୟ ସ୍ମାରକ ପ୍ରାଧୀକରଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନୋ ଅବଜେକ୍ସନ ସାର୍ଟିଫିକେଟ୍ ଦେଇନଥିଲେ ମଧ୍ୟ ନିଷିଦ୍ଧାଞ୍ଚଳ ମଧ୍ୟରେ କ୍ଲବ ରୁମ, ମିନି କ୍ଲବ ରୁମ, ସେଲଟର୍ ପେଭିଲିଆନ, ମହିଳା ଓ ପୁରୁଷ ଶୌଚାଳୟ, ସେବାୟତ ଶୌଚାଳୟ, ଇଲେକଟ୍ରିକାଲ ରୁମ୍ ଓ ପେଭମେଣ୍ଟ ଏରିଆ ସମେତ ଦର୍ଶନାର୍ଥୀଙ୍କ ଶ୍ରୀମନ୍ଦିର ଗର୍ଭଗୃହକୁ ଧାଡ଼ିରେ ଯିବା ପାଇଁ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଥିବା ଜଣାଯାଇଛି । ଅଭ୍ୟର୍ଥନା କେନ୍ଦ୍ର, ଡୋନେସନ କିୟୋକ୍ସ, ଫାଷ୍ଟଏଡ ସେଣ୍ଟର, ପୁଲିସ୍ ସର୍ଭିସ ସେଣ୍ଟର ଓ ଏଟିଏମ କିୟୋକ୍ସର ପୁନର୍ବିଚାର କରି ସ୍ଥାନ ପୁନଃ ନିରୂପଣ କରିବା ପାଇଁ ଏନଏମଏ ପକ୍ଷରୁ କୁହାଯାଇଥିଲା ।

ଗତ ଫେବୃୟାରୀ ୨୧ରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଡିଜି ପରକ୍ରମା ପ୍ରକଳ୍ପ ପରିଦର୍ଶନ କରି ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ କରାଯାଉଥିଲେ ମଧ୍ୟ ତାହା ଭକ୍ତଙ୍କ ସୁବିଧା ପାଇଁ କରାଯାଉଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଏଏସଆଇ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବ ଫଳରେ ମୁଖ୍ୟ ମନ୍ଦିରକୁ ଦେଖିବା ପାଇଁ ଅସୁବିଧା ସୃଷ୍ଟି ହେବ ନାହିଁ ବୋଲି କୁହାଯାଇଛି । ରାଜ୍ୟ ସରକାର ପ୍ରକଳ୍ପର ନିର୍ମାଣ ସମୟରେ ଆଧ୍ୟାତ୍ମିକ ଦିଗ ପ୍ରତି ସଚେତନ ରହିବା ଉଚିତ ବୋଲି ମଧ୍ୟ କୁହାଯାଇଛି । ପ୍ରସ୍ତାବିତ ଅଭ୍ୟର୍ଥନା କୋଠା ୭୫ ମିଟର ମଧ୍ୟରେ ରହିଥିବାରୁ ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଏହାର ନିର୍ମାଣକୁ ସ୍ଥାନାନ୍ତର କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ରାଜ୍ୟ ସରକାର ବିଚାର କରିବା ପାଇଁ ତାଙ୍କ ରିପୋର୍ଟରେ ଉଲ୍ଲେଖ ରହିଥିବା ତଥ୍ୟ ପଣ୍ଡାଙ୍କ ହସ୍ତଗତ ହୋଇଛି । ଗତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଅଭ୍ୟର୍ଥନା କେନ୍ଦ୍ରକୁ ସ୍ଥାନାନ୍ତରଣ କରାଯାଇଥିବା ଜଣାପଡ଼ିବା ପରେ ଆମସାର୍ ଆଇନର କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ଆଗେଇ ଆସିଥିବାରୁ ସୂଚନା କର୍ମୀ ଶ୍ରୀ ପଣ୍ଡା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଓଡ଼ିଶାର ପୁରାତନ କୀର୍ତ୍ତିରାଜିଗୁଡିକର ନବକଳେବର କରାଯାଉଥିବା ସମୟରେ ସୁରକ୍ଷା ଦୃଷ୍ଟିକୋଣରୁ ଆମସାର୍ ଆଇନର ସମ୍ପୂର୍ଣ୍ଣ ପାଳନ କରାଯାଇ ନିର୍ମାଣ କରିବାକୁ ସୂଚନା କର୍ମୀ ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି

Leave A Reply

Your email address will not be published.