ପଛୁଆ ବର୍ଗକୁ ଜାଣିଶୁଣି ଅବହେଳା କରୁଛନ୍ତି ରାଜ୍ୟ ସରକାର : ଡ.ଲେଖାଶ୍ରୀ

ରାଜ୍ୟ ଓବିସି ମୋର୍ଚ୍ଚର ପ୍ରତିନିଧି ଦଳ ରାଜ୍ୟ ଓବିସି କମିଶନଙ୍କୁ ଭେଟି ଆଲୋଚନା କରିଲେ
 ଜନଗଣନା ଓ ସର୍ଭେ ପାଇଁ ରାଜ୍ୟ ସରକାରଙ୍କୁ ଓବିସି କମିଶନ ବାରମ୍ବାର ରାଜ୍ୟ ସରକାରଙ୍କୁ କହିବା ସତ୍ୱେ ରାଜ୍ୟ ସରକାର ପକ୍ଷରୁ କାହିଁକି କୌଣସି ପଦକ୍ଷେପ ନେଉନାହାନ୍ତି ?
ଓବିସିଙ୍କ ଭୋଟ ହାତେଇବା ପାଇଁ ରାଜ୍ୟ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
 ଓବିସିଙ୍କୁ ସାମ୍ବିଧାନିକ, ଶିକ୍ଷା ଓ ନିଯୁକ୍ତି ଅଧିକାରରୁ ବଂଚିତ ରଖୁଛନ୍ତି ରାଜ୍ୟ ସରକାର
 ଜନଜାଗରଣ ସୃଷ୍ଟି କରିବା ସହିତ ରାଜ୍ୟ ସରକାରଙ୍କ ଓବିସି ବିରୋଧୀ ମନୋଭାବକୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବ ଓବିସି ମୋର୍ଚ୍ଚା : ସୁରଥ ବିଶ୍ୱାଳ
ଭୁବନେଶ୍ୱର, : ରାଜ୍ୟର ଓବିସି ବର୍ଗଙ୍କ ସର୍ଭେ କରିବା ପାଇଁ ପବିତ୍ର ବିଧାନସଭାର ସଂକଳ୍ପ ପାରିତ ହେବା ପରେ ମଧ୍ୟ ରାଜ୍ୟ ସରକାରଙ୍କ ଅହେତୁକ ନୀରବତାର କାରଣ କ’ଣ? ଜନଗଣନା ଓ ସର୍ଭେ ପାଇଁ ଓବିସି କମିଶନ ବାରମ୍ବାର ରାଜ୍ୟ ସରକାରଙ୍କୁ କହିବା ସତ୍ୱେ ରାଜ୍ୟ ସରକାର ପକ୍ଷରୁ କାହିଁକି କୌଣସି ପଦକ୍ଷେପ ନେଉନାହାନ୍ତି ? ଗତ ପଂଚାୟତ ଓ ପୌରନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ନଦେଇ ନ୍ୟାୟଳୟ ନାମରେ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଗଣମାଧ୍ୟମ ଆଗରେ କେନ୍ଦ୍ର ଜନଗଣନା କରୁ ବୋଲି ଦାବି କରି ବିଭ୍ରାନ୍ତଗ ସୃଷ୍ଟି କରୁଛନ୍ତି ରାଜ୍ୟ ସରକାର । ବାସ୍ତବରେ ପଛୁଆ ବର୍ଗକୁ ତାଙ୍କ ନ୍ୟାର୍ଯ୍ୟ ସାମ୍ବିଧାନିକ, ଶିକ୍ଷା, ନିଯୁକ୍ତି ଅଧିକାର ଦେବାକୁ ଚାହୁଁନାହାନ୍ତି ରାଜ୍ୟ ସରକାର । ବହୁ ଦାବୀ ପରେ ଓବିସି କମିଶନ ନିଯୁକ୍ତ ହୋଇଛନ୍ତି ସତ, କିନ୍ତୁ ଦାନ୍ତବିହୀନ ଓ ପଙ୍ଗୁ କରି ରଖାଯାଇଛି ଏବଂ କୌଣସି କ୍ଷମତା ଦିଆଯାଇନାହିଁ । ରାଜ୍ୟର ପଛୁଆ ବର୍ଗକୁ ଜାଣିଶୁଣି ଅବହେଳା ପ୍ରଦର୍ଶନ କରାଯାଉଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଶିକ୍ଷା କ୍ଷେତ୍ରରେ ଓବିସି ପିଲାମାନଙ୍କୁ ୨୭% ସଂରକ୍ଷଣ ବ୍ୟବସ୍ଥା କେନ୍ଦ୍ର ସରକାର କରିଛନ୍ତି ଓ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଏହି ସଂରକ୍ଷଣ ଦିଆଯାଉଥିବାବେଳେ ଓଡ଼ିଶା ସରକାର ଆଦୌ ସଂରକ୍ଷଣ ଦେଉନାହାନ୍ତି । ଚାକିରୀ କ୍ଷେତ୍ରରେ ଓବିସି ବର୍ଗଙ୍କୁ ୧୧.୨୫ ସଂରକ୍ଷଣକୁ ମାତ୍ର ୧ରୁ ୩% ସଂରକ୍ଷଣ ଦେଉଛନ୍ତି । ସର୍ଭେର ବାହାନା କରି ଗତ ପଂଚାୟତ ଓ ପୈାର ନିର୍ବାଚନରେ ଓବିସିଙ୍କୁ ନ୍ୟାର୍ଯ୍ୟ ସାମ୍ବିଧାନିକ ଅଧିକାରରୁ ବଂଚିତ ରଖାଗଲା । ୨୨ବର୍ଷ ଶାସନରେ ରହି ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ଓବିସିଙ୍କ ଡାଟା ନାହିଁ । ରାଜ୍ୟରେ ଥିବା ଓବିସି ଫାଇନାନ୍ସ ଆଣ୍ଡ ଡେଭେଲପମେଂଟ କୋଅପରେଟିଭ କର୍ପୋରେସନ ଲିମିଟେକୁ ଅଚଳ କରିଦିଆଯାଇଛି । ପଛୁଆ ବର୍ଗଙ୍କ କୈାଶଳ ବିକାଶ ପାଇଁ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ । ଓବିସିଙ୍କ ଭୋଟ ହାତେଇବା ପାଇଁ ରାଜ୍ୟ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଆଜି ରାଜ୍ୟ ଓବିସି ମୋର୍ଚ୍ଚର ଏକ ପ୍ରତିନିଧି ଦଳ ରାଜ୍ୟ ଓବିସି କମିଶନଙ୍କୁ ଭେଟି ଆଲୋଚନା କରିବା ସହ ଦାବି ପତ୍ର ଦେଇଛନ୍ତି । ମଧ୍ୟପ୍ରଦେଶ ସରକାର ନିଜ ପ୍ରତିବଦ୍ଧତା କାରଣରୁ ଓବିସିଙ୍କୁ ସଂରକ୍ଷଣ ଦେବାରେ ସଫଳ ହୋଇଥିବାବେଳେ ଓଡିଶା ସରକାରଙ୍କ ଇଚ୍ଛାକୃତ ଭାବେ ସଂଖ୍ୟାଧିକ ଓବିସିବର୍ଗଙ୍କୁ ସଂରକ୍ଷଣରୁ ବଂଚିତ କରିଛନ୍ତି । ଟ୍ରିପଲ ଟେଷ୍ଟର ଦ୍ୱିତୀୟ ସର୍ତରେ ଓଡ଼ିଶା ବିଫଳ ହୋଇଥିବାରୁ ମାନ୍ୟବର ଉଚ୍ଚନ୍ୟାୟଳୟ ରାଜ୍ୟର ୫୪% ପଛୁଆ ବର୍ଗଙ୍କୁ ପୌର ଓ ପଂଚାୟତ ନିର୍ବାଚନରେ ସଂରକ୍ଷଣ ଦେବାକୁ ବାରଣ କରିଥିଲେ । ଓବିସିବର୍ଗଙ୍କୁ ରାଜ୍ୟ ସରକାର କେବଳ ଅଣଦେଖା କରୁନାହିଁ ବରଂ ସେମାନଙ୍କୁ ସାମ୍ବିଧାନିକ ଅଧିକାର, ଉଚ୍ଚଶିକ୍ଷା, ଚାକିରୀରୁ ଓ ଆତ୍ମନିଯୁକ୍ତିରୁ ବଂଚିତ କରୁଛନ୍ତି । ରାଜ୍ୟରେ ଓବିସିଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ରହିଛି ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ଅଭିଯୋଗ କରିଛନ୍ତି ।
ରାଜ୍ୟ ସରକାରଙ୍କ କୁଚକ୍ରାନ୍ତ ଓଡ଼ିଶାର ଓବିସି ବର୍ଗଙ୍କୁ ଆଘାତ ଦେଇଛି । ଓବିସି ବର୍ଗ ନିଜ ହକ୍‌ରୁ ସବୁଦିନ ପାଇଁ ବଂଚିତ ରହିବା କାର୍ଯ୍ୟକୁ ରାଜ୍ୟ ସରକାର ସଂପାଦନା କରୁଛନ୍ତି କି ? କେଉଁ କେଉଁ ଜାତି ଓବିସି ଓ ଏସିବିସି ବର୍ଗରେ ଅନ୍ତର୍ଭୁକ୍ତ ହେବେ, ସେହି ତାଲିକା ପ୍ରସ୍ତୁତ ହୋଇପାରିଲା ନାହିଁ କାହିଁକି । ପଂଚାୟତ ନିର୍ବାଚନ ସମାପ୍ତ ହେବାର ୪ମାସ ବିତିଯାଇଥିଲେ ସୁଦ୍ଧା ରାଜ୍ୟ ସରକାର କାହିଁକି ପୁନର୍ବାର ଓବିସି ସଂରକ୍ଷଣ ସଂପର୍କରେ ତଥ୍ୟ ସହ କୋର୍ଟର ଦ୍ୱାରସ୍ଥ ହୋଇନାହାନ୍ତି ? ମଧ୍ୟପ୍ରଦେଶ ସଂପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବି ଓଡିଶା ସରକାର କାହିଁକି କୈାଣସି ତତ୍ପରତା ପ୍ରକାଶ କରିନାହାନ୍ତି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ଆଜି ରାଜ୍ୟ ସରକାରଙ୍କ ଓବିସି ବିରୋଧି ମନୋବୃତି ଧରାପଡିଛି । ସାମ୍ବିଧାନିକ, ଶିକ୍ଷା, ନିଯୁକ୍ତି ଅଧିକାର ପାଇବା ପାଇଁ ଓବିସି ମୋର୍ଚ୍ଚା ସାରା ରାଜ୍ୟରେ ଜନଜାଗରଣ କରିବା ସହିତ ରାଜ୍ୟ ସରକାରଙ୍କ ଓବିସି ବିରୋଧୀ ମନୋଭାବକୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ଓବିସି ମୋର୍ଚ୍ଚା ରାଜ୍ୟ ସଂପାଦକ ସିଦ୍ଧାର୍ଥ ଶଙ୍କର ପତି ଓ ସଂପାଦକ ଶ୍ରୀ ଦୁର୍ଗପ୍ରସନ୍ନ ନାୟକ, କୋଷାଧ୍ୟକ୍ଷ ସଂଗ୍ରାମ କେଶରୀ ନାୟକ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୁଷ୍ମନ୍ତ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.