
ମାଲକାନଗିରି:- ଦିନେ ତାଳି ମାରି ଲୋକଙ୍କ ପାଖରେ ହାତ ପତେଇ ଟଙ୍କା ମାଗୁଥିବା କିନ୍ନର ମାନେ କିନ୍ତୁ ଏବେ ହୋଇ ପାରିବେ ସ୍ଵାବଲମ୍ବି । ରାଜ୍ୟର ଏକ ପ୍ରମୁଖ ସ୍ଵେଛାସେବି ସଂସ୍ଥା ସଖା ମାଧ୍ୟମରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଅନ୍ୟ ମାନଙ୍କ ଭଳି କିନ୍ନର ମାନଙ୍କୁ ମଧ୍ୟ ମୁଣ୍ଡ ଟେକି ବଞ୍ଚିବାର ରାହା ଦେଖାଇଛି । ଓଠରେ ଲିପ୍ ଷ୍ଟିକ୍ ଓ ପାଦରେ ଅଳତା ଲଗାଇ ମହିଳାଙ୍କ ପରି ଶାଢି ପିନ୍ଧି ନିଜକୁ ସଜେଇ ହେଉଥିବା ମାଲକାନଗିରି ଜିଲ୍ଲାର ଏହି କିନ୍ନର ମାନଙ୍କୁ ଆଉ ତାଳି ମାରି ଲୋକଙ୍କ ପାଖରେ ହାତ ପତେଇବାକୁ ପଡିବ ନାହି । ସମାଜର ତୃତିୟ ଲିଙ୍ଗ କୁହାଯାଉଥିବା କିନ୍ନର ମାନଙ୍କୁ ପୁର୍ବରୁ ଲୋକେ ଏକ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ । ହେଲେ ସେମାନଙ୍କୁ ଏବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ରାଜ୍ୟର ଏକ ପ୍ରମୁଖ ସେଛାସେବି ଅନୁଷ୍ଟାନ ସଖାର ସହାୟତାରେ ମାଲକାନଗିରି ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନା ମାଧ୍ୟମରେ ସ୍ଵାବଲମ୍ବି କରିବା ଲାଗି ଏକ ଅଭିନବ ପନ୍ଥା ଅବଲମ୍ବନ କରିଛି । ଜିଲ୍ଲାର ଡିଆରଡିଏ କାର୍ଯ୍ୟାଳୟରେ ଜିଲ୍ଲାର ୬୧ଜଣ କିନ୍ନର ମାନଙ୍କୁ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଇଛି । ପୁର୍ବରୁ ଜିଲ୍ଲାର କିଛି କିନ୍ନର ରଙ୍କୁ ଜିଲ୍ଲା ପୋଲିସ ସହାୟତାରେ ଟ୍ରେନିଙ୍ଗ ପ୍ରଦାନ କରାଯାଇଥିଲା ଯାହା ପାଇବା ପରେ ବଦଳି ଯାଇଥିଲା କିନ୍ନର ମାନଙ୍କ ବେଶ ଭୁଷା, ଶାଢି ବଦଳରେ ସୁରକ୍ଷା କର୍ମୀଙ୍କ ଡ୍ରେସ ପିନ୍ଧି ହାତରେ ବାଡି ଓ ହୁଇସିଲ ଧରି ଜିଲ୍ଲା ସଦର ଚିକିତ୍ସାଳୟରେ ସିକୁରିଟି ଗାର୍ଡ ଭାବେ ପାଇଥିଲେ ନିଯୁକ୍ତି । ୭ ମହଲା ବିଶିଷ୍ଟ ଏହି ଜିଲ୍ଲା ସଦର ଚିକିତ୍ସଳୟର ମୁଖ୍ୟ ଫାଟକ ସହ ଲିଫ୍ଟରେ ସୁରକ୍ଷା ପ୍ରଦାନ କରିବା ଠାରୁ ଆରମ୍ଭ କରି ଲେବର ରୁମ,ଓ ଓଟି ଭଳି ଜରୁରି କାଳିନ କକ୍ଷରେ ପହରା ଦେବା ସହ ଓ ରୋଗିଙ୍କ ରୁମକୁ ମଧ୍ୟ ଏମାନେ ସୁରକ୍ଷା ଦେଉଛନ୍ତି । ଗୋଟିଏ ପଟେ ଜିଲ୍ଲା ସଦର ଚିକିତ୍ସାଳୟରେ କିନ୍ନର ମାନଙ୍କ ଏଭଳି ସେବା ଦେଖି ରୋଗି ମାନେ ଖୁସି ଅନୁଭବ କରୁଥିବା ବେଳେ ରୋଗିଙ୍କ ମୁଖର ହସ ଦେଖି କିନ୍ନର ମାନେ ମଧ୍ୟ ଭିନ୍ନ ଅନୁଭବ କରୁଛନ୍ତି । ଅନ୍ୟ ମାନଙ୍କୁ ମଧ୍ୟ ଏପରି ସ୍ଵାବଲମ୍ବି କରିବାର ଲକ୍ଷ ରଖିଛି ଜିଲ୍ଲା ସମାଜ ମଙ୍ଗଳ ବିଭାଗ । ବଦଳିଛି ସମୟ ଆଉ ବଦଳିଛି କିନ୍ନର ମାନଙ୍କ ଆଖିର ଭାଷା । କାରଣ ସମାଜରେ କଳଙ୍କ ନେଇ ବଞ୍ଚୁଥିବା କିନ୍ନରଙ୍କ ପାଇଁ ଜିଲ୍ଲା ପ୍ରଶାସନର ଏହି ଉଦ୍ୟମ ଏବେ ସେମାନଙ୍କ ଲାଗି ଆଶାର ଆଲୋକ ହେବ ନିଶ୍ଚିତ ।