ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡିର ୪ ପ୍ରାର୍ଥୀ । ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ଆଜି ବିଧିବଦ୍ଧ ଭାବେ ସଚିବାଳୟ ପରିସରରେ ପ୍ରାର୍ଥିପତ୍ର ଭରିଛନ୍ତି । ଓଡ଼ିଶାରୁ ରାଜ୍ୟସଭା ପାଇଁ ସ୍ମିତଙ୍କୁ ଛାଡ଼ିଦେଲେ ପ୍ରଥମଥର ପାଇଁ ୩ ନୂଆ ମୁହଁ ରାଜ୍ୟସଭା ଯାଉଛନ୍ତି । ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଯାଜପୁର ବିଧାନସଭା ମଣ୍ଡଳୀର ମହିଳା ପ୍ରାର୍ଥୀ ସୁଲତା ଦେଓ । ସୁଲତା ତାଙ୍କ ରାଜନୈତିକ କ୍ୟାରିୟର ସରପଞ୍ଚରୁ ଆରମ୍ଭ କରିଥିଲେ । ହେଲେ ଆଜି ରାଜ୍ୟସଭା ଯାଏ ପହଞ୍ଚିଛନ୍ତି ।। ସୁଲତା ପ୍ରଥମେ ୨୦୦୨ ମସିହାରେ ବରୀ ବ୍ରହ୍ମବରଦା ପଞ୍ଚାୟତର ସରପଞ୍ଚ ଥିଲେ । ପରେ ୨୦୦୭ରେ ଜିଲ୍ଲା ପରିଷଦ ଜୋନ (୩୬)ରୁ ସଭ୍ୟା ଭାବେ ନିର୍ବାଚିତ ହେଲେ । ୨୦୦୯ ମସିହାରେ ଜିଲ୍ଲା ପରିଷଦ ସଭ୍ୟା ପଦରୁ ଇସ୍ତଫା ଦେଇ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଇଲେ । ୨୦୧୨ରେ ସୁଲତାଙ୍କ ରାଜନୈତିକ କ୍ୟାରିୟରରେ ବଡ଼ ପରିବର୍ତ୍ତନ ଆସିଲା । ବିଜେଡିରୁ ବରୀ ବିଧାୟକ ଦେବାଶିଷ ନାୟକ ନିଲମ୍ୱତ ହେବା ପରେ ୨୦୧୨ରୁ ୨୦୧୩ ଯାଏ ବରୀ ନିର୍ବାଚନମଣ୍ଡଳୀର ବିଜେଡି ସାଂଗଠନିକ ଦାୟିତ୍ୱରେ ରହିଲେ ।
ପରେ ତାଙ୍କୁ ବିଜେଡିର ପ୍ୟାନେଲିଷ୍ଟ ଭାବେ ୨୦୧୬ରୁ ୨୦୧୮ ଯାଏ ଦାୟିତ୍ୱ ମିଳିଥିଲା । ୨୦୧୮ରେ ତାଙ୍କୁ ବିଜେଡି ସୁଲତାଙ୍କୁ ଦୁଇ ଦୁଇଟି ପଦବୀ ଦେଇଥିଲା । ବିଜେଡି ମୁଖପାତ୍ର ସହ ରାଜ୍ୟ ବିଜୁ ମହିଳା ଜନତା ଦଳର ସମ୍ପାଦିକା ଥିଲେ । ୨୦୨୦ ମସିହାରୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ସହିତ ମହିଳା ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଭାବେ କାର୍ଯ୍ୟ ଭାର ତୁଲାଇଛନ୍ତି ସୁଲତା । ହେଲେ ବର୍ତ୍ତମାନ ପୁଣି ବିଜେଡି ତାଙ୍କ ଉପରେ ଭରସା କରି ରାଜ୍ୟସଭା ପଠାଇଛି । ରାଜ୍ୟସଭା ଯିବାକୁ ନେଇ ସୁଲତା ଖୁବ୍ ଖୁସି ଅଛନ୍ତି ।