mobile header

୪୪ ଲକ୍ଷରୁ ଅଧିକ ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ୟାନ୍‌ କଲା କମ୍ପାନୀ

ଫେକ୍‌ ତଥା ଭୁଲ ସୂଚନା ଦେଉଥିବା ଚ୍ୟାନେଲକୁ ଖୋଜି ଖୋଜି ବ୍ଳକ୍‌ କରୁଛି ୟୁଟ୍ୟୁବ୍‌। ଗତ କିଛି ଦିନ ହେଲାଣି କଣ୍ଟେଣ୍ଟକୁ ନେଇ ବେଶ୍‌ ଆଲର୍ଟ ଅଛି ୟୁଟ୍ୟୁବ୍‌। ଏହି କାରଣରୁ ଇତି ମଧ୍ୟରେ ଲକ୍ଷାଧିକ ଚ୍ୟାନେଲକୁ ବନ୍ଦ କରି ସାରିଲାଣି ୟୁଟ୍ୟୁବ୍‌। ଏବେ ୟୁଟ୍ୟୁବ୍‌ରେ ଫେକ୍‌ ଭିଡିଓ ମାମଲାରେ ଭାରତ ପ୍ରଥମ ସ୍ଥାନରେ ରହିଛି। ୟୁଟ୍ୟୁବ୍‌ ପକ୍ଷରୁ ୧୧ ଲକ୍ଷରୁ ଅଧିକ ଭାରତୀୟ ଭିଡିଓକୁ ନିଜ ପ୍ଲାଟ୍‌ଫର୍ମରୁ ରିମୁଭ କରାଯାଇଛି। କେବଳ ଏତିକି ନୁହେଁ, ୟୁଟ୍ୟୁବ୍‌ ଗ୍ଲୋବାଲ ମାର୍କେଟ୍‌ରେ ମଧ୍ୟ କଡ଼ା ପଦକ୍ଷେପ ନେବା ଅବସରରେ ୪୪ ଲକ୍ଷରୁ ଅଧିକ ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ୟାନ୍‌ କରି ଦେଇଛି।

ୟୁଟ୍ୟୁବ୍‌ରେ ଭୁଲ ଭିଡିଓ ଅପ୍‌ଲୋଡ୍‌ କରିବା ମାମଲାରେ ଭାରତ ବିଶ୍ୱ ରେକର୍ଡ କରିଛି। ଭାରତ ଏବେ ଏକ ଏମିତି ଦେଶ ପାଲଟି ଯାଇଛି, ଯେଉଁଠାରେ ସବୁଠୁ ଅଧିକ ନକଲି ଭିଡିଓ ଅପ୍‌ଲୋଡ୍‌ କରାଯାଉଛି। ସେହିପରି ଏହି ନକଲି ଭିଡିଓ ଅପ୍‌ଲୋଡ୍‌ କରିବା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଆମେରିକା। ୟୁଟ୍ୟୁବ୍‌ ପକ୍ଷରୁ ଆମେରିକାର ମଧ୍ୟ ୩,୫୮,୧୩୪ ଭିଡିଓକୁ ନିଜ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ୟୁଟ୍ୟୁବ୍‌ ଏବେ ଫେକ୍‌ ଖବର ଉପରେ ରୋକ୍‌ ଲଗାଇବା ଉପରେ କାମ କରୁଛି। ଏଣୁ କମ୍ପାନୀ ଗତ କିଛି ଦିନ ହେଲାଣି ଅନେକ ୟୁଟ୍ୟୁବ୍‌ ଚ୍ୟାନେଲକୁ ବି ବ୍ୟାନ୍‌ କରିବା ଆରମ୍ଭ କରିଛି। କମ୍ପାନୀ ଏହି ଭିଡିଓ ଓ ଚ୍ୟାନେଲକୁ ବ୍ୟାନ୍‌ କରିବାର କାରଣ ହେଉଛି, ଏମାନେ ନିଜ ଚ୍ୟାନେଲରେ ଫେକ୍‌ ବା ଭୁଲ ତଥ୍ୟ ପ୍ରଦାନ କରୁଥିଲେ। ୨୦୨୨ ମସିହାରେ ପ୍ରଥମ ତିନି ମାସରେ ଅର୍ଥାତ୍‌ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ୟୁଟ୍ୟୁବ୍‌ ପାଖାପାଖି ୧.୧ ମିଲିୟନ୍‌ ଅର୍ଥାତ୍‌ ୧୧ ଲକ୍ଷରୁ ଅଧିକ ୟୁଟ୍ୟୁବ୍‌ ଭିଡିଓକୁ ପ୍ଲାଟଫର୍ମରୁ ହଟାଇଛି। କମ୍ପାନୀର କହିବାନୁସାରେ, ଯେଉଁ ସବୁ କଣ୍ଟେଣ୍ଟ କମ୍ପାନୀର କମ୍ୟୁନିଟି ଗାଇଡ୍‌ଲାଇନ୍ସକୁ ଉଲ୍ଲଂଘନ କରୁଛି, ସେମାନେ ସେସବୁ କଣ୍ଟେଣ୍ଟଙ୍କୁ ନିଜ ପ୍ଲାଟଫର୍ମରୁ ହଟାଉଛି।

ୟୁଟ୍ୟୁବ୍‌ ଭାରତରେ ପାଖାପାଖି ୧୧ ଲକ୍ଷ ଭିଡିଓକୁ ନିଜ ପ୍ଲାଟଫର୍ମରୁ ରିମୁଭ କରିଛି। ଏଥିସହ କମ୍ପାନୀ ଗ୍ଲୋବାଲି ୪୪ ଲକ୍ଷରୁ ଅଧିକ ୟୁଟ୍ୟୁବ୍‌ ଚ୍ୟାନେଲକୁ ବି ବ୍ୟାନ୍‌ କରିଛି। କମ୍ପାନୀର କହିବାନୁସାରେ, ଯଦି କୌଣସି ଚ୍ୟାନେଲ ୯୦ ଦିନ ଭିତରେ ତାଙ୍କ ଦ୍ୱାରା ତିଆରି ହୋଇଥିବା ଗାଇଡ୍‌ ଲାଇନ୍‌କୁ ଉଲ୍ଲଂଘନ କରୁଛି ତେବେ ତାହାକୁ ବନ୍ଦ କରି ଦିଆଯିବ।

Leave A Reply

Your email address will not be published.