mobile header

ଜାଲ୍‌ ପ୍ରମାଣପତ୍ରରେ ଶିକ୍ଷକତା କରୁଥିଲେ ଦଂପତି; ସ୍ବାମୀ ବହିଷ୍କୃତ, ସ୍ତ୍ରୀ ନିଲମ୍ବିତ

ଜାଲ୍‌ ଶିକ୍ଷା ଓ ଜାତି ପ୍ରମାଣପତ୍ର ଦେଇ ଚାକିରି କରିଥିବା ଏକ ଶିକ୍ଷକ ଦମ୍ପତିଙ୍କୁ ଧରିଛି ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗ। ଉଭୟଙ୍କ ବିରୋଧରେ ଠୋସ୍‌ ପ୍ରମାଣ ମିଳିବା ପରେ ଶିକ୍ଷକ ସ୍ବାମୀଙ୍କୁ ଚାକିରିରୁ ବହିଷ୍କାର ଓ ଶିକ୍ଷୟିତ୍ରୀ ସ୍ତ୍ରୀ’ଙ୍କୁ ନିଲମ୍ବନ କରାଯାଇଥିବା କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ନବକିଶୋର ଗିରି।ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର ଯଯାତି ବାରିକ କପ୍ତିପଦା ବ୍ଲକ୍‌ ମଝିଗଡ଼ିଆ ସରକାରୀ ହାଇସ୍କୁଲରେ ସହକାରୀ ଶିକ୍ଷକ ଓ ସେହି ସ୍କୁଲରେ ସଂସ୍କୃତ ଶିକ୍ଷୟିତ୍ରୀ ଅଛନ୍ତି ତାଙ୍କ ପତ୍ନୀ ମୟୂରଭଞ୍ଜର ସସ୍ମିତା ସାହୁ। ଦୁହେଁ ୨୦୧୩ ମସିହାରୁ ଏଠାରେ ଶିକ୍ଷକତା କରି ଆସୁଥିଲେ। ତେବେ ଯଯାତି ଓ ସସ୍ମିତା ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଦେଇ ଚାକିରି କରିଥିବା ପୂର୍ବରୁ ଅଭିଯୋଗ ହୋଇଥିଲେ ମଧ୍ୟ ଏହାକୁ ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ବ ଦେଇନଥିଲେ।ଏ ସଂକ୍ରାନ୍ତରେ ଜଣେ ସୂଚନା ଅଧିକାର କର୍ମୀ ବିଶ୍ବବିଦ୍ୟାଳୟରୁ ତଥ୍ୟ ମଗାଇଲା ପରେ ସେମାନଙ୍କ ଜାଲିଆତି ଧରାପଡ଼ିଥିଲା। ଜିଲ୍ଲାପାଳ ବିନୀତ ଭରଦ୍ବାଜ ଏହା ଜାଣିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ଦମ୍ପତିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ନିର୍ଦ୍ଧାରିତ ସମୟରେ ନୋଟିସ୍‌ର କୌଣସି ଉତ୍ତର ନ ମିଳିବାରୁ ଯଯାତିଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଏଥିସହ ସେ ୯ ବର୍ଷରେ ଦରମା ବାବଦକୁ ଉଠାଇଥିବା ମୋଟ୍‌ ୧୭ ଲକ୍ଷ ଟଙ୍କା ମାସକ ମଧ୍ୟରେ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସସ୍ମିତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଚାଲିଛି ଓ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଗିରି କହିଛନ୍ତି।

Leave A Reply

Your email address will not be published.