ଧରିଲେ, ବାନ୍ଧିଲେ ଏବଂ ଆଣ୍ଠେଇ ଦେଇ ନିର୍ଘାତ ଛେଚିଲେ । ଯିଏ ଯେମିତି ପାରିଲା ଛେଚିଲା, କିଏ ଗାଲକୁ ମାରୁଛି ତ ପୁଣି କିଏ ଗୋଇଠା ମାରୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଦୁଇ ଜଣ ଛେଳି ଚୋରଙ୍କ କ୍ଷେତ୍ରରେ । ଗ୍ରାମବାସୀଙ୍କ ହାବୁଡରେ ପଡିବା ପରେ ଏଭଳି ଦୁର୍ଦ୍ଦସା ଭୋଗିବାକୁ ପଡ଼ିଥିଲା ସଂପୃକ୍ତ ଚୋରମାନଙ୍କୁ । ସୂଚନା ମୁତାବକ , କପ୍ତିପଦା ଥାନା ଟାଙ୍ଗିରିଆ ଅଂଚଳରେ ଦୁଇ ଜଣ ଯୁବକ ବାଇକରେ ଆସି ଛେଳି ଚୋରି କରି ଖସିଯାଉଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡିଥିଲେ । ଏହା ପରେ ଗ୍ରାମବାସୀ ଉକ୍ତ ଦୁଇ ଯୁବକଙ୍କୁ ବାନ୍ଧି ଦେବା ସହିତ ଗାଁ ଦାଣ୍ଡରେ ଆଣ୍ଠେଇ ଦେଇ ନିର୍ଘାତ୍ ମାଡ ମାରିଲେ । ଏପରିକି ଦୀର୍ଘ ସମୟ ଧରି ଉଭୟ ଛେଳି ଚୋରଙ୍କୁ ଗାଁ ରାସ୍ତାରେ ଆଣ୍ଠେଇ ଦେଇଥିଲେ । ଏହି ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଜିଲ୍ଲା ଇନ୍ଦିପଡା ଗ୍ରାମର ଧନେଶ୍ୱର ସାହୁ ଏବଂ ଅନ୍ୟ ଜଣେ ବୈଶିଙ୍ଗା ଥାନା ଅଂଚଳର ବିଜୟ ଜେନା ବୋଲି ଜଣାପଡ଼ିଛି। ଉଭୟ ଛେଳି ଚୋରି କରିବା ନିମନ୍ତେ ବ୍ୟାଗରେ ଦା କଟୁରି ଠାରୁ ଆରମ୍ଭ କରି ଫାସ ମଧ୍ୟ ଧରି ବୁଲୁଥିଲେ । ଏବଂ ଟାଙ୍ଗିରିଆ ଅଂଚଳରୁ ଗୋଟିଏ ଛେଳି ଚୋରି କରି ନେଇଯାଉଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡିଥିଲେ ।