
କାଲିମେଳା , ୧୩ / ୬ ଗତକାଲି ସଂଧ୍ୟା ବେଳେ ଘରେ ନ ଥିବା ବେଳେ ଜଣେ ବିଧବାଙ୍କ ଘରେ ନିଆଁ ଲାଗି ପୋଡ଼ିଯାଇଥିବାର ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ କାଲିମେଳା ବ୍ଲକ୍ ଅଧିନସ୍ଥ ମାନ୍ୟମକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାଂଝିଗୁଡ଼ା ଗ୍ରାମର ସ୍ବର୍ଗତ ଦୁଲା ପଡ଼ିଆମୀଙ୍କ ବିଧବା ପତ୍ନୀ ୱାଗି ପଡ଼ିଆମୀ ( ୬୦ ) ନିଜ ସଂପର୍କୀୟ ଘରକୁ ଚାଲିଯାଇଥିଲେ । ସେ ଆଜି ସକାଳେ ଘରକୁ ଆସିବା ବେଳେ ନିଜ ଘର ପୋଡ଼ିଯାଇଥିବାର ଦେଖିବାକୁ ପାଇଥିଲେ । ଘରଟି ତାଳପତ୍ର ଛପରରେ ନିର୍ମିତ ହୋଇଥିବା ବେଳେ ସେଠାରେ ବିଧବା ଓ୍ୱାଗି ଏକୁଟିଆ ରହୁଥିଲେ । ତାଙ୍କର ସ୍ଵାମୀ ଅନେକ ବର୍ଷ ହେଲା ଆରପାରିକୁ ଚାଲିଯାଇଥିବା ବେଳେ ତାଙ୍କର ଦୁଇଟି ଝିଅ ମଧ୍ୟ ବିବାହ ହୋଇ ଅନ୍ୟତ୍ର ଚାଲିଯାଇଛନ୍ତି । ତେଣୁ ସେ ଏକୁଟିଆ ଘରେ ରହୁଥିଲେ । କିନ୍ତୁ ଘଟଣା ଦିନ ସେ ଘରେ ନଥିଲେ । ହେଲେ କେମିତି ତାଙ୍କ ଘରେ ନିଆଁ ଲାଗିଲା ସେ କିଛି କହିପାରୁନାହାନ୍ତି । ନିଆଁ ଲାଗି ଘର ଭିତରେ ଥିବା ୨୦ ବସ୍ତା ଧାନ , ୧୦ ହଜାର ଟଙ୍କା , ଘରର ବାସନକୁସନ ଓ ଲୁଗାପଟା ସବୁ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ତାଙ୍କର ପିନ୍ଧି ଥିବା ଲୁଗା ଛଡା ଆଉ କିଛି ନାହି ବର୍ତ୍ତମାନ ତାଙ୍କ ପାଖରେ ।ଘଟଣା ସମ୍ପର୍କ ରେ ଖବର ପାଇ ଆଜି ସକାଳେ ବ୍ଲକ୍ ଉପାଧ୍ୟକ୍ଷ ଲକ୍ଷ୍ମୀଧର ମାଡ଼କାମୀ ୱାଗି ମାଡକାମି ଙ୍କ ଘରକୁ ଯାଇ ଘଟଣା ସମ୍ପର୍କ ରେ ବୁଝିବା ସହ ତାଙ୍କୁ କିପରି ସରକାରୀ ସହାୟତା ମିଳିପାରିବ ସେ ଉପରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।