mobile header

୧୨ ଦିନ ପରେ ଅଙ୍କ ଛିଣ୍ଡିଲା: ୧୭ ମନ୍ତ୍ରୀଙ୍କୁ ଦେଲେ ପିଏସ୍ , ୪ ନୂଆ ମନ୍ତ୍ରୀ ଏବେବି ଅପେକ୍ଷାରେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପଂଚମ ପାଳି ସରକାରର ପ୍ରଥମ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ୧୨ଦିନ ବିତିବା ପରେ ଆଜି ମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ସଚିବ(ବରିଷ୍ଠ ଓଏଏସ୍ ଅଫିସର) ଆବଣ୍ଟିତ ହୋଇଛି । ୧୩ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୪ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ବ୍ୟକ୍ତିଗତ ସଚିବ ଆବଣ୍ଟିତ ହୋଇଥିବାବେଳେ ଅନ୍ୟ ୪ଜଣ ମନ୍ତ୍ରୀ ଏବେବି ବ୍ୟକ୍ତିଗତ ସଚିବ ଅପେକ୍ଷାରେ ରହିଛନ୍ତି । ଗ୍ରାମ୍ୟ ଉନ୍ନୟନ, ଉଚ୍ଚଶିକ୍ଷା, ଶ୍ରମ ଓ ନିଯୁକ୍ତି, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗରେ ନୂଆ ମନ୍ତ୍ରୀ ଥିବାବେଳେ ସେମାନଙ୍କ ପାଖରେ କେଉଁ ଅଫିସରଙ୍କୁ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ କରାଯିବ ତା’ର ଅଙ୍କ ତୁଟୁପାରନିି । ଖାଲି ସେତିକି ନୁହେଁ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ପାଖରେ ମଧ୍ୟ କେହି ବ୍ୟକ୍ତିଗତ ସଚିବ ନଥିବା ଜଣାପଡ଼ିଛି ।

ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ମନ୍ତ୍ରିମଣ୍ଡଳରେ ସାମିଲ କ୍ୟାବିନେଟ ପାହ୍ୟାର ୭ଜଣ ପୁରୁଣା ମନ୍ତ୍ରୀ(ଅଶୋକ ପଣ୍ଡାଙ୍କ ସମେତ)ଙ୍କ ମଧ୍ୟରୁ କେବଳ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ନିଜର ପୁରୁଣା ବ୍ୟକ୍ତିଗତ ସଚିବଙ୍କୁ ଫେରି ପାଇଛନ୍ତି । ତେବେ ୪ଜଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ସାହୁ, ପ୍ରୀତିରଞ୍ଜନ ଘଡ଼ାଇ, ରୋହିତ ପୂଜାରୀ ଓ ରୀତା ସାହୁଙ୍କୁ ଏପର୍ଯ୍ୟନ୍ତ ବ୍ୟକ୍ତିଗତ ସଚିବ ଆବଣ୍ଟିତ କରିବାରେ ସଂସଦୀୟ ବ୍ୟାପାର ବିଭାଗ ସକ୍ଷମ ହୋଇପାରିନି ।ନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ବ୍ୟକ୍ତିଗତ ସଚିବ ଭାବେ ଅରୂପ କୁମାର ସାହୁ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଅଞ୍ଜନ କୁମାର ଦାସ, କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ସରୋଜ କୁମାର ରାଉତ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ପ୍ରଦୀପ କୁମାର ରାଉତ, ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ପ୍ରଦାପ ଚନ୍ଦ୍ର ହୋତା, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କୁ ସେକ୍ ଜମିରୁଦ୍ଦିନ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କାଳିପ୍ରସାଦ ମହାପାତ୍ର, ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବଙ୍କୁ ବିଜୟ କୁମାର ସ୍ୱାଇଁ, ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ସୁରଞ୍ଜନ ପ୍ରଧାନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କୁ ଚିନ୍ମୟ କୁମାର ଆଚାର୍ଯ୍ୟ, ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କୁ ସୁକାନ୍ତ କୁମାର ପ୍ରଧାନ, ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ରଶ୍ମୀରଞ୍ଜନ ସାହୁ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କୁ ବ୍ୟକ୍ତିଗତ ସଚିବ ଭାବେ ମନମୋହନ ବାରିକଙ୍କୁ ଅବସ୍ଥାପିତ କରାଯାଇଛି ।

ସେହିପରି ଗଣଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ପ୍ରଶାନ୍ତ କିଶୋର ମହାପାତ୍ର, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କୁ ମାନସ ରଞ୍ଜନ ପାଢ଼ୀ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ କୈଳାସ ଚନ୍ଦ୍ର ଦାସ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ଗୌରହରି ବେହେରାଙ୍କୁ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ସରକାରରେ ବ୍ୟକ୍ତିଗତ ସଚିବମାନଙ୍କ ମାଧ୍ୟମରେ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟକୁ ତୃତୀୟ ମହଲା ନିୟନ୍ତ୍ରଣ କରିବା ସହ ପରୋକ୍ଷରେ ମନ୍ତ୍ରୀମାନଙ୍କ ଭୂମିକାକୁ ଗୌଣ କରାଇଛି । ନବୀନ ପଟ୍ଟନାୟକ ସରକାରର ପଂଚମ ପାଳିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମାତ୍ରାଧିକ ପ୍ରଭାବ ଯୋଗୁ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟ କେବଳ ସଖି କଣ୍ଢେଇ ପାଲଟିଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.