mobile header

କଟକ ଏସସିବିରେ ଜଗା

କଟକ ବଡ଼ମେଡିକାଲରେ ଅଛି ଜଗା । ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ତାକୁ ଅଣାଯାଇଛି । ପ୍ରାୟ ଦେଢ଼ ବର୍ଷ ବ୍ୟବଧାନରେ ଜଗା ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି । ଦିଲ୍ଲୀ ଏମ୍ସରୁ ଜଗାର ଅସ୍ତ୍ରୋପଚାର କରିଥିବା ଡାକ୍ତର ଦୀପକ ଗୁଣ୍ଡାଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଟିମ୍ ଆଜି ଆସିବେ । ୨ ଦିନ ଧରି ଏସସିବିରେ ଜଗାର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବେ । ୭ ବର୍ଷିୟ ଜଗାକୁ ଏବେ ଟ୍ରମା କାଜୁଆଲିଟିର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖାଯାଇଛି । ଗତକାଲି ନ୍ୟୁରୋସର୍ଜରି ବିଭାଗ ବରିଷ୍ଠ ବିଶେଷଜ୍ଞ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ଜଗାର ଏମଆରଆଇ କରାଯାଇଥିଲା ।ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ମିଲିପଦା ଅଞ୍ଚଳର ଭୁବନ କହଁର ଓ ପୁଷ୍ପାଞ୍ଜଳି କହଁରଙ୍କର ୨୦୧୫ ମସିହାରେ ଯୋଡ଼ାମୁଣ୍ଡ ଶିଶୁ ଜନ୍ମ ହୋଇଥିଲେ । ଦୁଇ ଶିଶୁ ଜଗା-ବଳିଆଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ସମସ୍ତ ସହଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ପର୍ଯ୍ୟାୟରେ ୧ କୋଟି ଟଙ୍କା ସହାୟତା ଘୋଷଣା କରିଥିବା ବେଳେ ଜଗା-ବଳିଆଙ୍କୁ ୨୦୧୭ ମସିହା ଜୁଲାଇ ମାସରେ ଦିଲ୍ଲୀ ଏମ୍‌ସକୁ ପଠାଯାଇଥିଲା । ସେଠାରେ ଅସ୍ତ୍ରୋପଚାର କରାଯାଇ ଜଗା ଓ ବଳିଆଙ୍କୁ ଅଲଗା କରାଯାଇଥିଲା ।୨୦୧୯ ମସିହାରେ ଉଭୟ ଏସ୍‌ସିବି ମେଡ଼ିକାଲକୁ ଆସିଥିଲେ । ନ୍ୟୁରୋସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ବରେ ଉଭୟ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ୧୪ ଜଣିଆ ଟିମ୍‌ ଗଠନ କରାଯାଇ ଚିକିତ୍ସା କରାଯାଉଥିଲା । କିନ୍ତୁ ୨୦୨୦ ଡିସେମ୍ବର ୨୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ବଳିଆର ଏସ୍‌ସିବିରେ ମୃତ୍ୟୁ ଘଟିଥିଲା । ଏହାପରେ ଜଗା କନ୍ଧମାଳ ଫେରିଯାଇଥିଲା ।

Leave A Reply

Your email address will not be published.