mobile header

ଜୁଲାଇ ୧ରୁ ଲାଗୁ ହେବ କ୍ରେଡିଟ୍ କାର୍ଡର ନୂଆ ନିୟମ, ଜାଣି ରଖନ୍ତୁ ୧୦ ଜରୁରୀ କଥା

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଭଲ ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ସମ୍ବନ୍ଧିତ ନିୟମରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଏହି ନୂତନ ନିୟମ ୨୦୨୨ ଜୁଲାଇ ୧ରୁ ଲାଗୁ ହେବ। ଏହି ନୂତନ ନିୟମ ପେମେଣ୍ଟ ବ୍ୟାଙ୍କ, ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କକୁ ବାଦ୍ ଦେଇ ଦେଶର ବାକି ସମସ୍ତ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ବିତ୍ତୀୟ ସଂସ୍ଥା ମାନିବେ।ରିଜର୍ଭ ବ୍ୟାଙ୍କ ଦ୍ଵାରା ତିଆରି ହୋଇଥିବା ନୂତନ ନିୟମ ଅନୁସାରେ ଏବେ କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ଜାରି କରୁଥିବା ବ୍ୟାଙ୍କ ଗ୍ରାହକଙ୍କ ସହିତ ମନମୁଖୀ କାମ କରି ପାରିବ ନାହିଁ। ବିଶେଷ କରି କାର୍ଡ ଇସ୍ୟୁ କରିବାଠୁ ନେଇ କାର୍ଡ ବନ୍ଦ କରିବା ଯାଏଁ। ଯଦି କାର୍ଡ ଜାରି କରୁଥିବା ସଂସ୍ଥା କାର୍ଡଧାରକଙ୍କ ଅନୁରୋଧରେ କାର୍ଡ ଆକାଉଣ୍ଟ ବନ୍ଦ କରିବାରେ ବିଳମ୍ବ କରେ ତେବେ ଉକ୍ତ ସଂସ୍ଥାକୁ କାର୍ଡଧାରକଙ୍କୁ ଜରିମାନା ଦେବାକୁ ପଡିବ।

ଆସନ୍ତୁ ଜାଣିବା ଏସଂପର୍କିତ ନୂତନ ନିୟମ…

୧ – ନୂତନ ନିୟମ ଅନୁଯାୟୀ, ବିନା ସହମତିରେ କାର୍ଡ ଜାରି କରିବା କିମ୍ବା ଅପଗ୍ରେଡ କରିବା ଉପରେ ରୋକ୍ ଲଗାଯାଇଛି। ଯଦି କାର୍ଡ ଗ୍ରାହକଙ୍କ ବିନା ସହମତିରେ ଜାରି କରାଯାଏ କିମ୍ବା କାର୍ଡପ୍ରାପ୍ତକାରୀଙ୍କ ଅନୁମୋଦନ ବିନା ଅପଗ୍ରେଡ କରାଯାଏ ତେବେ କାର୍ଡ ଜାରି କରିଥିବା ସଂସ୍ଥାକୁ ଦୁଇ ଗୁଣା ଜରିମାନା ଦେବାକୁ ପଡିବ।୨ – ଯେଉଁ ବ୍ୟକ୍ତି ନାମରେ କାର୍ଡ ଜାରି କରାଯାଉଛି, ସେ ଭାରତୀୟ ରିଜର୍ଭ ବ୍ୟାଙ୍କର ଲୋକପାଳଙ୍କ ସହ ମଧ୍ୟ ଯୋଗାଯୋଗ କରି ପାରିବ। ଲୋକପାଳ ଯୋଜନାର ନିୟମ ଅନୁଯାୟୀ ଜରିମାନା ରାଶି ସ୍ଥିର କରିବେ।

୩ – ଜାରି କରାଯାଉଥିବା କାର୍ଡ ପାଇଁ ଗ୍ରାହକଙ୍କ ଲିଖିତ ସହମତି ଆବଶ୍ୟକ। ଗ୍ରାହକଙ୍କ ଜରୁରୀ କାଗଜପତ୍ର ସହ ଡିଜିଟାଲର ଉପଯୋଗ କରାଯାଇ କାର୍ଡ ଜାରି କରାଯାଇ ପାରିବ।

୪ – ଯଦି କୌଣସି ବ୍ୟକ୍ତିଙ୍କ ନାମରେ ଜାରି କ୍ରେଡିଟ୍ କାର୍ଡ ତାଙ୍କ ନିକଟରେ ପହଞ୍ଚି ପାରିନି ଏବଂ ଏହାର ଦୁରୁପଯୋଗ ହୋଇଛି। ଏମିତି ସ୍ଥିତିରେ କାର୍ଡ ଜାରି କରୁଥିବା ସଂସ୍ଥା ଉତ୍ତରଦାୟୀ ରହିବ। ଏଥିରେ ଗ୍ରାହକ ଦାୟୀ ରହିବେ ନାହିଁ।

୫ – ଯଦି କାର୍ଡ ଜାରି ହେବା ତାରିଖଠୁ ୩୦ ଦିନ କିମ୍ବା ଅଧିକ ସମୟ ଭିତରେ ଗ୍ରାହକ ଦ୍ଵାରା କାର୍ଡ ଚାଲୁ କରାଯାଇନଥିବ, ତେବେ ଏମିତି ସ୍ଥିତିରେ କାର୍ଡ ଜାରି କରିଥିବା ସଂସ୍ଥା କ୍ରେଡିଟ୍ କାର୍ଡ ଚାଲୁ କରିବା ପାଇଁ ଗ୍ରାହକଙ୍କଠୁ ଏକ ଓଟିପି ପ୍ରାପ୍ତ କରିବାକୁ ପଡିବ। ଯଦି ଗ୍ରାହକଙ୍କଠୁ କୌଣସି ଓଟିପି ନମିଳେ ତେବେ କାର‌୍ୟ୍ୟ ଦିବସର ସାତ ଦିନ ଭିତରେ କ୍ରେଡିଟ୍ କାର୍ଡକୁ ବନ୍ଦ କରି ଦିଆଯିବ।

୬ – ନୂତନ ଗାଇଡ୍ ଲାଇନ୍ ଲାଗୁ ହେବା ପରେ ଯଦି କୌଣସି କାର୍ଡଧାରୀ ସମସ୍ତ ବକେୟା ପୈଠ କରି କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ଆକାଉଣ୍ଟ ବନ୍ଦ କରିବାକୁ ଆବେଦନ କରୁଛନ୍ତି ତେବେ କାର୍ଡ ଜାରି କରିଥିବା ସଂସ୍ଥାକୁ ସାତ ଦିନ ଭିତରେ କାର୍ଡ ବନ୍ଦ କରିବାକୁ ପଡିବ। କେବଳ ଏତିକି ନୁହେଁ କାର୍ଡଧାରୀଙ୍କୁ କାର୍ଡ ବନ୍ଦ ହେବାର ସୂଚନା ମଧ୍ୟ ତୁରନ୍ତ ଇ ମେଲ କିମ୍ବା ଏସଏମଏସ ମାଧ୍ୟମରେ ଜଣାଇବାକୁ ପଡିବ।୭ – କ୍ରେଡିଟ୍ କାର୍ଡ ବନ୍ଦ କରିବା ପାଇଁ ଆବେଦନକାରୀଙ୍କ ପାଇଁ କାର୍ଡ ଜାରି କରୁଥିବା ସଂସ୍ଥାକୁ ହେଲ୍ପଲାଇନ୍, ଇ-ମେଲ ଆଇଡି, ଆଇଭିଆର, ଓ୍ଵେବସାଇଟରେ ଭଲ ଭାବେ ଦେଖା ଯାଉଥିବା ଲିଙ୍କ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ କିମ୍ବା ମୋବାଇଲ୍ ଆପ୍ ପରି ସୁବିଧା ଉପଲବ୍ଧ କରାଇବାକୁ ପଡିବ।

୮ – ଯଦି କାର୍ଡଧାରୀଙ୍କ ପକ୍ଷରୁ କୌଣସି ବକେୟା ନାହିଁ ଏବଂ କାର୍ଡ ବନ୍ଦ କରିବା ପାଇଁ ଆବେଦନ କାରିବାର ସାତ ଦିନ ଭିତରେ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ବନ୍ଦ କରାନଯାଏ ତେବେ କାର୍ଡ ଜାରି କରିଥିବା ସଂସ୍ଥାକୁ ଜରିମାନା ଦେବାକୁ ପଡିବ। କ୍ରେଡିଟ୍ କାର୍ଡ ଆକାଉଣ୍ଟ ବନ୍ଦ କରିବା ପର‌୍ୟ୍ୟନ୍ତ ପ୍ରତିଦିନ ୫୦୦ ଟଙ୍କା ହିସାବରେ ଜରିମାନା ଦେବାକୁ ପଡିବ।

୯ – ବ୍ୟାଙ୍କ କିମ୍ବା କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ଜାରି କରୁଥିବା କୌଣସି ଅଣ ବ୍ୟାଙ୍କିଙ୍ଗ ବିତ୍ତୀୟ ସଂସ୍ଥା କାର୍ଡଧାରୀଙ୍କୁ କାନ୍ଦ ବନ୍ଦ କରିବା ପାଇଁ ଆବେଦନ ଡାକ କିମ୍ବା ଅନ୍ୟ ମାଧ୍ୟମରେ ପଠାଇବାକୁ ବାଧ୍ୟ କରି ପାରିବେ ନାହିଁ। ଏଥିରେ ଆବେଦନ ପହଞ୍ଚିବାରେ ଅଧିକ ସମୟ ଲାଗିବାର ସମ୍ଭାବନା ଥାଏ।

୧୦ – ଯଦି କୌଣସି କ୍ରେଡିଟ୍ କାର୍ଡର ଉପଯୋଗ ଏହା ଜାରି ହେବାର ଗୋଟିଏ ବର୍ଷ କିମ୍ବା ଅଧିକ ସମୟ ପର‌୍ୟ୍ୟନ୍ତ ବ୍ୟବହାର କରାଯାଇନଥିବ, ଏମିତି ସ୍ଥିତିରେ ବ୍ୟାଙ୍କ ଏହାର ସୂଚନା କାର୍ଡଧାରୀଙ୍କୁ ଦେଇ କାର୍ଡ ବନ୍ଦ କରି ପାରିବ। ଯଦି ବ୍ୟାଙ୍କ ଦ୍ଵାରା ସୂଚନା ଦେବାର ୩୦ ଦିନ ଭିତରେ କାର୍ଡଧାରୀ ପକ୍ଷରୁ କୌଣସି ପ୍ରତିକ୍ରିୟା ନମିଳିଲେ ବ୍ୟାଙ୍କ ଉକ୍ତ କାର୍ଡକୁ ଅବିଳମ୍ବେ ବନ୍ଦ କରି ପାରିବେ। ଯଦି କ୍ରେଡିଟ୍ କାର୍ଡ ଆକାଉଣ୍ଟ ବନ୍ଦ କରିବା ପରେ କୌଣସି ଟଙ୍କା ଉକ୍ତ ଆକାଉଣ୍ଟରେ ବକେୟା ରହିଛି ତେବେ ଏହାକୁ କ୍ରେଡିଟ୍ କାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ପଡିବ।

Leave A Reply

Your email address will not be published.