ନୂଆଦିଲ୍ଲୀ ୨୩।୬: ଜୁଲାଇ ୧ ତାରିଖରୁ ମୋଦି ସରକାର ଆପଣଙ୍କ କାର୍ଯ୍ୟାଳୟର କାର୍ଯ୍ୟ ସମୟରେ ବଡ଼ ପରିବର୍ତ୍ତନ କରିପାରନ୍ତି। ନୂଆ ମାସ ଆରମ୍ଭ ସହିତ କାର୍ଯ୍ୟାଳୟରେ ଆପଣଙ୍କ କାର୍ଯ୍ୟ ଘଣ୍ଟା ବଢିପାରେ। କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ୮ରୁ ୯ ଘଣ୍ଟା ବଦଳେ ୧୨ ଘଣ୍ଟା କାର୍ଯ୍ୟ କରିବାକୁ ପଡିବ। ଲେବର କୋଡ ନିୟମ ୧ ଜୁଲାଇରୁ ଲାଗୁ କରିବା ପାଇଁ କେନ୍ଦ୍ରର ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ବାବଦରେ କୌଣସି ଅଧିକାରୀକ ସୂଚନା ଆସି ନାହିଁ।ଯଦି ସରକାରଙ୍କ ନିୟମ କାର୍ଯ୍ୟକାରୀ ହୁଏ ତେବେ କମ୍ପାନୀମାନେ କର୍ମଚାରୀଙ୍କ କାର୍ଯ୍ୟଘଣ୍ଟା ୮ରୁ ୧୨ ଘଣ୍ଟାକୁ ବଢାଇ ପାରନ୍ତି। ଏଥିଲାଗି କମ୍ପାନୀ ପ୍ରାଧିକୃତ ହେବେ। ତେବେ ଦୈନିକ ଅଧିକ ୪ ଘଣ୍ଟା କାର୍ଯ୍ୟ ଲାଗି ସପ୍ତାହରେ ଅଧିକ ଦିନଟିଏ ଛୁଟି ମଧ୍ୟ ମିଳିବ। ଅର୍ଥାତ କର୍ମଚାରୀ ସପ୍ତାହରେ ଦିନକ ସ୍ଥାନରେ ଅଧିକ ଆଉ ଦିନେ ଅର୍ଥାତ ୩ ଦିନ ଛୁଟି ପାଇବେ। ସପ୍ତାହରେ କର୍ମଚାରୀ ୪ ଦିନ ୧୦ରୁ ୧୨ ଘଣ୍ଟା କାର୍ଯ୍ୟ କରିବେ।ନୂଆ ଶ୍ରମ ଆଇନର ଅର୍ଥ ଏହା ହେବ ଓଭର ଟାଇମ ଅଧିକତମ ୫୦ ଘଣ୍ଟାରୁ ବଢି ୧୨୫ ଘଣ୍ଟା ହୋଇଯିବ। ସେହିପରି ନୂଆ ଶ୍ରମ ଆଇନ ଅନୁସାରେ କର୍ମଚାରୀଙ୍କ ବେତନ ହ୍ରାସ ହେବ ଓ ଭବିଷ୍ୟ ନିଧି ବଢିବ। ଏଥିରେ କର୍ମଚାରୀଙ୍କ ମୋଟ ବେସିକ ସାଲାରି ପିଏଫ୫୦ ପ୍ରତିଶତରୁ ଅଧିକ ହେବ। ଫଳରେ ଅଧିକାଂଶ କର୍ମଚାରୀଙ୍କ ବେତନ ସଂରଚନା ବଦଳିଯିବ। ବେସିକ ସାଲାରୀ ବଢିବା ଯୋଗୁ କର୍ମଚାରୀଙ୍କ ପିଏଫ ଓ ଗ୍ରାଚ୍ୟୁଟି ବାବଦ ଡିଡକ୍ସନ ଅଧିକ ହେବ। ପ୍ରୋଭିଡେଣ୍ଟ ଫଣ୍ଡ ବାବଦ ଦେୟ ବଢିବା ଯୋଗୁ କର୍ମଚାରୀ ପ୍ରତିମାସରେ ହାତରେ ନେଉଥିବା (ଟେକ୍ ହୋମ) ଦରମା ହ୍ରାସ ହେବ।ଫଳରେ କର୍ମଚାରୀଙ୍କ ଅବସରରେ ମିଳିବାକୁ ଥିବା ଅର୍ଥର ପରିମାଣ ବଢିଯିବ। କର୍ମଚାରୀଙ୍କ ଅବସର ପର ଜୀବନ ସୁଖମୟ ହେବ। ଅପରପଟେ କର୍ମଚାରୀଙ୍କ ପିଏଫ ବାବଦ ଦେୟ ବଢିବା ଯୋଗୁ କମ୍ପାନୀଙ୍କ ବ୍ୟୟ ମଧ୍ୟ ବଢିବ। କାରଣ କମ୍ପାନୀଙ୍କୁ କର୍ମଚାରୀଙ୍କ ପିଏଫରେ ଯୋଗଦାନ ପରିମାଣ ବଢିଯିବ। ଯାହାର ସିଧା ପ୍ରଭାବ କମ୍ପାନୀର ବାଲାନ୍ସ ସିଟ୍ ଉପରେ ପଡିବ। ଦେଶରେ ଲେବର କୋଡ ନିୟମ ଲାଗୁ ହେବା ଯୋଗୁ ନିବେଶ ପ୍ରୋତ୍ସାହନ ମିଳିବ। ସେହିପରି ନିଯୁକ୍ତି ଲାଗି ଅଧିକରୁ ଅଧିକ ଅବସର ମଧ୍ୟ ସୃଷ୍ଟି ହେବ।ଶ୍ରମ ଆଇନ ଦେଶର ସମ୍ବିଧାନର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏ ପର୍ଯ୍ୟନ୍ତ ଦେଶର ୨୩ଟି ରାଜ୍ୟ ନୂଆ ଶ୍ରମ ଆଇନ ନିମନ୍ତେ ରୁଲସ ଓ ରେଗୁଲେସନ ପ୍ରସ୍ତୁତ କରିସାରିଲେଣି। ସଂସଦରେ ମଧ୍ୟ ଏଥି ଲାଗି ଆଇନ ଗୃହୀତ ହୋଇ ସାରିଛି। ଏବେ କେବଳ ଅଧିସୂଚନା ଜାରି ହେବାକୁ ରହିଛି। ଏ ବାବଦେ କେନ୍ଦ୍ର ସରକାର ଅଧିସୂଚନା ଜାରି କରିବା ପରେ ରାଜ୍ୟ ସରକାର ମଧ୍ୟ ଅଧିସୂଚନା ଜାରି କରିବେ। ଏହା ପରେ ନିୟମ ରାଜ୍ୟରେ ମଧ୍ୟ ଲାଗୁ ହୋଇଯିବ।
