mobile header

ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଭଳି ସେଦିନ ଜୀବନ ହାରିଥିଲେ ରିଚା

ଆତ୍ମହତ୍ୟା କରିଥିବା ରୁଚିକା ମହାନ୍ତିଙ୍କ ଭଳି ୨୦୦୫ ମସିହାରେ ଜୀବନ ହାରିଥିଲେ ଆଉ ଜଣେ ଛାତ୍ରୀ। ସେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ସେ ହେଉଛନ୍ତି ରିଚା ମିଶ୍ର। ରିଚା ବିଜେବି କଲେଜର +୩ ଶେଷ ବର୍ଷ କମର୍ସ ଛାତ୍ରୀ ଥିଲେ। ୩ ଅଧ୍ୟାପକଙ୍କ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ସେ ଜୀବନ ହାରିଥିଲେ।

୨୦୦୫ ମସିହା ନଭେମ୍ବର ୧୮ରେ ଆତ୍ମହତ୍ୟା କରିଥିଲେ ରିଚା। ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ ନୋଟ୍‌ ଛାଡ଼ି ଯାଇଥିଲେ ରିଚା। ତିନି ଅଧ୍ୟାପକ ତାଙ୍କୁ ସେମାନଙ୍କ ପାଖରେ କୋଚିଂ ନେବାକୁ ବାଧ୍ୟ କରୁଥିଲେ। କୋଚିଂ ନନେଲେ ସେମାନେ ତାଙ୍କ କ୍ୟାରିଅର ସଫା କରିଦେବେ ବୋଲି କହିଥିଲେ। ଏମିତିକି ପରୀକ୍ଷାରେ ମାର୍କ କମାଇ ଦେଇଥିବା ମଧ୍ୟ ରିଚା ଲେଖିଥିଲେ। ମାନସିକ ନିର୍ଯାତନା ସହିନପାରି ଶେଷରେ ଆତ୍ମହତ୍ୟା କରିଥିଲେ ରିଚା। ଘଟଣାକୁ ନେଇ ତମ୍ବିତୋଫାନ ପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ତିନି ଅଧ୍ୟାପକଙ୍କୁ ତୁରନ୍ତ ନିଲମ୍ବନ ସହ ତଦନ୍ତ କମିଟି ବସାଯାଇଥିଲା।

ସେପଟେ OUAT ପ୍ରଫେସର ଥିବା ରିଚାଙ୍କ ବାପା ଏତଲା କରିଥିଲେ। ଘଟଣାର ୮ ମାସ ପରେ ତିନି ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା।

ରିଚା ଆତ୍ମହତ୍ୟା କରିବାର ୧୭ ବର୍ଷ ପରେ ସମାନ ଘଟଣା ଘଟିଛି ବିଜେବି କଲେଜରେ। ସିନିୟର୍‌ ଛାତ୍ରୀଙ୍କ ରାଗିଂ ସହି ନପାରି ଜଣେ +୩ ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଛନ୍ତି। ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆଉ ଆତ୍ମହତ୍ୟା ପୂର୍ବରୁ ଛାଡ଼ି ଯାଇଛନ୍ତି ସୁଇସାଇଡ୍‌ ନୋଟ୍‌। କଲେଜରେ ରାଗିଂ ଦିଆଯାଉଥିବା ନେଇ ସମ୍ପର୍କରେ ସେ ସେଥିରେ ଲେଖିଛନ୍ତି। ଏନେଇ ପରିବାର ଲୋକେ ବଡଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ୭ ଛାତ୍ରୀଙ୍କୁ ପଚରାଉଚରା କରୁଛି। ତେବେ ବର୍ତ୍ତମାନ ସୁଦ୍ଧା ପୁଲିସ କାହାରିକୁ ଗିରଫ କରିନାହିଁ।

Leave A Reply

Your email address will not be published.