mobile header

NFSA ରାଙ୍କିଙ୍ଗରେ ଓଡ଼ିଶା ନମ୍ବର-୧, କେନ୍ଦ୍ର ସରକାର କଲେ ଘୋଷଣା

ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ପ୍ରଣୟନରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି । ଖାଦ୍ୟ ଓ ପୋଷଣ ସୁରକ୍ଷା ନେଇ ଅନୁଷ୍ଠିତ ରାଷ୍ଟ୍ରୀୟ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ଏନଏଫଏସଏରେ ରାଜ୍ୟମାନଙ୍କର ତାଲିକା କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ଘୋଷଣା କରିଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲିରେ ଓଡ଼ିଶାର ଖାଦ୍ୟ ସୁରକ୍ଷା ସଫଳତାର ବାର୍ତ୍ତା ଦେଇଥିବା ବେଳେ ଏବେ କେନ୍ଦ୍ର ସରକାରଙ୍କ ରାଙ୍କିଙ୍ଗରେ ଓଡ଼ିଶାକୁ ମିଳିଛି ବଡ଼ ସଫଳତା । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଗରିବ ଗୁରୁବା ହିତାଧିକାରୀଙ୍କ ନିକଟରେ ଖାଦ୍ୟ ପହଞ୍ଚାଇ ସେମାନଙ୍କୁ ବଞ୍ଚିବାର ଅଧିକାର ଦେବାରେ ରାଜ୍ୟ ସରକାର ସଫଳତା ପାଇଛନ୍ତି । ହିତାଧିକାରୀଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବା ଓ ସେମାନଙ୍କୁ ଗୁଣାତ୍ମକ ଖାଦ୍ୟ ଯୋଗାଇବାକୁ ନେଇ କେନ୍ଦ୍ର ସରକାରଙ୍କ ଖାଦ୍ୟ ମନ୍ତ୍ରଣାଳୟ ଇଣ୍ଡେକ୍ସ ଜାରି କରିଛି ।ଏହି ତାଲିକାର ପ୍ରଥମ ସ୍ଥାନରେ ଥିବା ଓଡ଼ିଶାର ଇଣ୍ଡେକ୍ସ ସ୍କୋର ୦.୮୩୬ ରହିଛି । ସେହିପରି ଦ୍ୱିତୀୟ ସ୍ଥାନରେ ରହିଥିବା ଉତ୍ତରପ୍ରଦେଶର ଇଣ୍ଡେକ୍ସ ସ୍କୋର ୦.୭୯୭, ତୃତୀୟ ସ୍ଥାନରେ ଥିବା ଆନ୍ଧ୍ରପ୍ରଦେଶର ୦.୭୯୪, ଚତୁର୍ଥ ସ୍ଥାନରେ ଥିବା ଗୁଜୁରାଟର ୦.୭୯୦, ପଞ୍ଚମ ସ୍ଥାନରେ ଥିବା ଦାଦ୍ରା ଓ ନଗର ହାଭେଲି ଆଣ୍ଡ ଡାମନ ଡିଉର ୦.୭୮୭, ଷଷ୍ଠ ସ୍ଥାନରେ ଥିବା ମଧ୍ୟପ୍ରଦେଶର ୦.୭୮୬, ସପ୍ତମ ସ୍ଥାନରେ ଥିବା ବିହାରର ୦.୭୮୩, ଅଷ୍ଟମ ସ୍ଥାନରେ ଥିବା କର୍ଣ୍ଣାଟକର ୦.୭୭୯, ନବମ ସ୍ଥାନରେ ଥିବା ତାମିଲନାଡ଼ୁର ୦.୭୭୮ ଓ ଦଶମ ସ୍ଥାନରେ ଥିବା ଝାରଖଣ୍ଡର ୦.୭୫୪ ରହିଛି ।ଏହି ଇଣ୍ଡେକ୍ସିଙ୍ଗ ପାଇଁ ଏକାଧିକ ପିଲ୍ଲାର କରାଯାଇଥିଲା। ପ୍ରଥମ ପିଲ୍ଲାର ଥିଲା ଦେଶର ସମସ୍ତ ନାଗରିକଙ୍କ ନିକଟରେ ସାଧାରଣ ଆବଶ୍ୟକତା ବା ଖାଦ୍ୟ ସବୁ ସମୟ ପାଇଁ ଉପଲବ୍ଧ କରାଇବା। ଗ୍ରାମାଞ୍ଚଳରେ ଅତିକମରେ ୭୫ ପ୍ରତିଶତ ଏବଂ ସହରାଞ୍ଚଳର ଅତିକମରେ ୫୦ ପ୍ରତିଶତ ହିତାଧିକାରୀ ଖାଦ୍ୟ ଅଧିକାର ପରିସରଭୁକ୍ତ ହୋଇଥିବା ଦରକାର। ଏହି ଆଧାରରରେ କରାଯାଇଥିବା ରାଙ୍କିଙ୍ଗରେ ଝାଡ଼ଖଣ୍ଡ ପ୍ରଥମ ସ୍ଥାନରେ ଥିବା ବେଳେ ଓଡ଼ିଶାର ସ୍ଥାନ ରହିଛି ଚତୁର୍ଥ। ସେହିପରି ପିଲାର ୨ ଖାଦ୍ୟ ପରିବହନ ଉପରେ ପର୍ଯ୍ୟବସିତ। ରାଜ୍ୟ ରାଜ୍ୟ ଏବଂ ରାଜ୍ୟ ଭିତରେ ଖାଦ୍ୟ ପରିବହନ କରାଇବା ଏବଂ ଏହାକୁ ସିଧା ହିତାଧିକାରୀଙ୍କ ନିକଟରେ ଉଚିତ ସମୟରେ ପହଞ୍ଚାଇବା ହିଁ ଟାର୍ଗେଟ ଧାର୍ୟ୍ୟ କରାଯାଇଥିଲା। ଯାହାକୁ ଆଧାର କରି ମାର୍କିଂ କରାଯାଇଥିଲା।ଏଥିରେ ବିହାର ପ୍ରଥମ ସ୍ଥାନରେ ଥିବା ବେଳେ ଓଡ଼ିଶା ରହିଛି ଚତୁର୍ଥ ସ୍ଥାନରେ। ତୃତୀୟ ପିଲାର ଥିଲା ଗୁଣାତ୍ମକ ଖାଦ୍ୟ ପଦାର୍ଥ ଉପଲବ୍ଧ କରାଇବା। ହିତାଧିକାରୀଙ୍କ ନିକଟରେ ପୁଷ୍ଟିକର ଖାଦ୍ୟ ପହଞ୍ଚୁଛି କି ନାହିଁ ତାହାର ଅନୁଶୀଳନ କରିବା। କେବଳ ଖାଦ୍ୟ ଉପଲବ୍ଧ କରାଇବା ଏବଂ ଗୁଣାତ୍ମକ ଖାଦ୍ୟ ଉପଲବ୍ଧ କରାଇବା ମଧ୍ୟରେ ଫରକ ରହିଛି। ଯାହାକୁ ନେଇ ବିଭିନ୍ନ ରାଜ୍ୟର ପ୍ରଦର୍ଶନର ତୁଳନା କରାଯାଇଥିଲା। ଏହି ତୁଳନାରେ ଓଡ଼ିଶା ଉଭୟ ସାଧାରଣ ଖାଦ୍ୟ ଏବଂ ଗୁଣାତ୍ମକ ଖାଦ୍ୟ ହିତାଧିକାରୀଙ୍କୁ ପହଞ୍ଚାଇପାରୁଥିବା ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି । ରାଜ୍ୟର ଉପାନ୍ତ ଅଞ୍ଚଳ ଗରିବ ଗୁରୁବାଙ୍କ ପାଇଁ ନିୟମିତ ଖାଦ୍ୟ ପହଞ୍ଚାଇବାରେ ରାଜ୍ୟ ସରକାର ଯେଉଁ ଶୃଙ୍ଖଳା ଦେଖାଇଥିଲେ ଏଥିରେ ତାଙ୍କୁ ମିଳିଛି ସଫଳତା। ଯାହାକୁ କେନ୍ଦ୍ର ସରକାରଙ୍କ ଏହି ଇଣ୍ଡେକ୍ସିଂ ସ୍ପଷ୍ଟ କରିଛି।

Leave A Reply

Your email address will not be published.