
ନୂଆଦିଲ୍ଲୀ : ଦି ବର୍ଷ ଧରି କୋଭିଡ୍ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ କଲା ପରେ ଏବେ ନୂଆ ଖାଦ୍ୟାଭାବ ଦେଖା ଦେଇଛି। କରୋନା ଯୋଗୁ ଲକ୍ଷାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ କୋଟି କୋଟି ଲୋକ ଭୋକିଲା ରହିଛନ୍ତି। କୋଭିଡ୍ ୨ ବର୍ଷ ସମୟରେ ବିଶ୍ୱରେ କ୍ଷୁଧାର୍ତ୍ତଙ୍କ ସଂଖ୍ୟା ୧୫ କୋଟି ବୃଦ୍ଧି ପାଇଛି। ୨୦୨୧ରେ ବିଶ୍ୱରେ ଭୋକିଲାଙ୍କ ସଂଖ୍ୟା ୮୨ କୋଟି ୨୮ ଲକ୍ଷ ଛୁଇଁଛି। ୨୦୧୯ ତୁଳନାରେ ଏହି ସଂଖ୍ୟା ୧୫ କୋଟି ଅଧିକ। ସେହିପରି ୨୦୨୦ ତୁଳନାରେ ୪ କୋଟି ୬୦ ଲକ୍ଷ ଅଧିକ। ୨୦୧୯ରେ ବିଶ୍ୱ ଜନସଂଖ୍ୟାର ୮ ପ୍ରତିଶତ ଲୋକ ଭୋକିଲା ଥିବା ବେଳେ ୨୦୨୧ରେ ଏହା ୯.୮ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଜାତିସଂଘର ଦ ଷ୍ଟେଟ୍ ଅଫ୍ ଫୁଡ୍ ସିକ୍ୟୁରିଟି ଆଣ୍ଡ ନ୍ୟୁଟ୍ରିସନ ଇନ୍ ଦ ୱାର୍ଲଡ ରିପୋର୍ଟରେ ଏହା ପ୍ରକାଶ ପାଇଛି।ରିପୋର୍ଟ ମୁତାବକ, ଆଫ୍ରିକା, ଏସିଆ, ଲାଟିନ୍ ଆମେରିକା ଓ କାରିବିଆନରେ କ୍ଷୁଧାର୍ତ୍ତଙ୍କ ସଂଖ୍ୟା ସବୁଠୁ ଅଧିକ। ୮୨ କୋଟିରୁ ଆଫ୍ରିକାରେ ୨୭ କୋଟି ୮୦ ଲକ୍ଷ, ଏସିଆରେ ୪୨ କୋଟି ୫୦ ଲକ୍ଷ, ଲାଟିନ ଆମେରିକା ଓ କାରିବିଆନରେ ୫ କୋଟି ୬୫ ଲକ୍ଷ ଭୋକିଲା ଅଛନ୍ତି। ୨୦୨୧ରେ ୨୩୦କୋଟି ଲୋକ ଖାଦ୍ୟ ସୁରକ୍ଷା ପାଇ ପାରିନାହାନ୍ତି। ବିଶ୍ୱ ଜନସଂଖ୍ୟାର ୧୧ ପ୍ରତିଶତ ଖାଦ୍ୟ ସୁରକ୍ଷା ପାଇ ପାରି ନଥିବା ବେଳେ ୩୧୦ କୋଟି ଲୋକ ସୁଷମ ଖାଦ୍ୟ ପାଇନାହାନ୍ତି। ଖାଦ୍ୟାଭାବରୁ ୫ ବର୍ଷରୁ କମ୍ ବୟସର ୧୪ କୋଟି ୯୨ ଲକ୍ଷ ପିଲାଙ୍କ ବିକାଶ ବାଧାପ୍ରାପ୍ତ ହୋଇଛି।ଅନ୍ୟପଟେ ଏବେ ଧୀରେ ଧୀରେ ବିଶ୍ୱ କୋଭିଡ୍ମୁକ୍ତ ହେଉଛି, କିନ୍ତୁ ଖାଦ୍ୟ ସୁରକ୍ଷା ସଙ୍କଟ ଥମିନାହିଁ। ୟୁକ୍ରେନ ଯୁଦ୍ଧ ବିଶ୍ୱରେ ଖାଦ୍ୟ ସଙ୍କଟ ବଢ଼ାଇ ଦେଇଛି। ବିଶ୍ୱରେ ରୁଷ ଓ ୟୁକ୍ରେନ ପ୍ରମୁଖ ଗହମ, ତୈଳ ଏବଂ ସାର ଉତ୍ପାଦନକାରୀ ଦେଶ। ଯୁଦ୍ଧ ଯୋଗୁ ଏ ସବୁ ଦେଶରୁ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ଖାଦ୍ୟ ଓ ତୈଳ ଦର ବଢ଼ିଛି। ଅନୁମାନ କରାଯାଉଛି ଯେ ଯୁଦ୍ଧରୁ ସୃଷ୍ଟ ଖାଦ୍ୟାଭାବ ଯୋଗୁ ୨୦୨୨ରେ ଅଧିକ ୧ କୋଟି ୩୦ ଲକ୍ଷ ଏବଂ ୨୦୨୩ରେ ଅଧିକ ୧ କୋଟି ୯୦ ଲକ୍ଷ ଅପପୁଷ୍ଟିର ଶିକାର ହେବେ। ଖାଦ୍ୟର ଦରଦାମ ବୃଦ୍ଧି ଯୋଗୁଁ ଅଧିକାଂଶ ଲୋକଙ୍କୁ ସୁଷମ ଖାଦ୍ୟ ପାଇବାରେ ଅସୁବିଧା ହେଉଛି। ଆକଳନ ଅନୁଯାୟୀ, ୨୦୩୦ ସୁଦ୍ଧା ବିଶ୍ୱର ୮ ପ୍ରତିଶତ ଭୋକିଲା ରହିବେ।