mobile header

ରାଜଧାନୀରୁ ପୁଣି ଝୁଲନ୍ତା ମୃତଦେହ ଉଦ୍ଧାର

ରାଜଧାନୀ ଭୁବନେଶ୍ୱରରୁ ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନିୟୁ ଫରେଷ୍ଟ ପାର୍କ ଅଞ୍ଚଳରେ ଥିବା ଗୋଟିଏ ବନ୍ଦ ଘରୁ ପୁଲିସ୍‌ ମୃତଦେହକୁ ଉଦ୍ଧାର କରିଛି। ମୃତ ଛାତ୍ର ଜଣଙ୍କ ହେଲେ ଖୋର୍ଦ୍ଧା ସରପାରିରେ ଗାଁର ଜ୍ୟୋତି ରଂଜନ ସାହୁ। ଜ୍ୟୋତି ଖୋର୍ଦ୍ଧାର ମଳିପଡ଼ା କଲେଜରେ ଯୁକ୍ତ ୩ରେ ପାଠ ପଢ଼ୁଥିଲେ। ତେବେ ତାଙ୍କ ମୃତ୍ୟୁ ପଛର କାରଣ ଏଯାଏ ସ୍ପଷ୍ଟ ହୋଇନି।

ତାଙ୍କ ହାତରେ କଡ଼ି ବନ୍ଧା ହୋଇଥିବା ବେଳେ ମୁହଁରେ ମଧ୍ୟ କପଡ଼ା ବନ୍ଧା ହୋଇଛି। ତେଣୁ ତାଙ୍କୁ କେହି ହତ୍ୟା କରି ଏପରି ଟାଙ୍ଗି ଦେଇଥିବା ସନ୍ଦେହ କରୁଛନ୍ତି ପରିବାର ଲୋକ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ପ୍ରାଥମିକ ଭାବେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଜ୍ୟୋତିଙ୍କ ବାପା ପଞ୍ଚୁ ସାହୁ କହିଛନ୍ତି ଯେ ତାଙ୍କ ପୁଅ ୩ ମାସ ହେବ ନିୟୁ ଫରେଷ୍ଟ ପାର୍କ ଅଞ୍ଚଳରେ ରହି ସେହି ଘରେ କାମ କରୁଥିଲା। ଏଥିସହ ପାଠ ପଢ଼ାପଢ଼ି ମଧ୍ୟ କରୁଥିଲା। ପୁଅ ଆତ୍ମହତ୍ୟା କରିବାର କୌଣସି କାରଣ ନାହିଁ। ହାତରେ କଡ଼ି ପଡ଼ିଥିବା ବେଳେ ପାଟିରେ କପଡ଼ା ବନ୍ଧା ହୋଇଛି। ତେଣୁ ଜ୍ୟୋତିଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିବା ସେ ସନ୍ଦେହ କରିଛନ୍ତି।

ଅନ୍ୟପକ୍ଷରେ ଜ୍ୟୋତି ରହୁଥିବା ଘରର ମାଲିକ ସମୀର ମିଶ୍ର କହିଛନ୍ତି ଯେ “୩ ମାସ ହେବ ଜ୍ୟୋତି ମୋ ଘରେ ରହି କାମ କରୁଥିଲେ। ତାଙ୍କର କୌଣସି ଅସୁବିଧା ନଥିଲା। ଆଜି ସକାଳ ପ୍ରାୟ ସାଢ଼େ ୧୨ଟା ପର୍ଯ୍ୟନ୍ତ ଘରର କବାଟ ନ ଖୋଲିବାରୁ ଆମର ସନ୍ଦେହ ସୃଷ୍ଟି ହୋଇଥିଲା। ଏହାପରେ ଆମେ ବାଧ୍ୟ ହୋଇ ପୁଲିସ ସହାୟତାରେ ଘର କବାଟ ଖୋଲି ଦେଖିବା ବେଳକୁ ଜ୍ୟୋତି ଝୁଲନ୍ତା ଅବସ୍ଥାରେ ରହିଥିଲା। ତା’ ପରେ ତାଙ୍କ ଘର ଲୋକଙ୍କୁ ଖବର ଦିଆଯାଇଥିଲା।

ଶୁକ୍ରବାର ରାତି ପ୍ରାୟ ୧୧ଟାରେ କଥା ହୋଇଥିଲି। ସେ କୌଣସି ମାନସିକ ଅବସାଦରେ ଥିବା ପରି ଜଣା ପଡୁନଥିଲା। ଗତ ୨ ଦିନ ତଳେ ୧୦ ହଜାର ଟଙ୍କା ବ୍ୟାଙ୍କରେ ଜମା କରିବାକୁ ଯାଇଥିଲା। ହେଲେ ଟଙ୍କା ସବୁ ସେ କେଉଁଠି ପକାଇ ଦେଇଥିବା କହିଥିଲା। ଟଙ୍କା ହଜି ଯାଇଥିଲେ ମଧ୍ୟ ଆମେ ତା’କୁ ଖରାପ କରି କିଛି ବି କହି ନଥିଲୁ। କ’ଣ ଘଟିଛି ତାହା ତଦନ୍ତ ହେଲେ ଜଣାପଡ଼ିବ।”

ଏହାପୂର୍ବରୁ ରାଜଧାନୀର ଏକାଧିକ ସ୍ଥାନରୁ ଝୁଲନ୍ତା ମୃତଦେହ ମିଳିବା ଘଟଣା ଚର୍ଚ୍ଚାକୁ ଆସିଥିଲା। ବିଜେବି କଲେଜର ରୁଚିକା ମହାନ୍ତିଙ୍କ ଠାରୁ ଆରମ୍ଭ କରି ଟେଲି ଅଭିନେତ୍ରୀ ରଶ୍ମିତା ଓଝାଙ୍କ ଝୁଲନ୍ତା ମୃତଦେହ ମିଳିବା କମିଶନରେଟ ପୁଲିସ୍‌ର ନିଜ ହଜାଇ ଦେଇଥିଲା। ଏବେ ଜ୍ୟୋତିଙ୍କ ମୃତଦେହ ମିଳିବା ପୁଲିସର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।

Leave A Reply

Your email address will not be published.