mobile header

ବୌଦ୍ଧର ବାହୁଡା ଯାତ୍ରା ଧୁମଧାମରେ ପାଳିତ


ବୌଦ୍ଧ,୦୯ା୭ : ବୌଦ୍ଧର ପ୍ରସିଦ୍ଧ ବାହୁଡା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ ନଅ ଦିନର ଲୀଳାଖେଳା ପରେ ନିଜ ମନ୍ଦିରକୁ ବାହୁଡିଛନ୍ତି । ମାଉସୀ ମା ମନ୍ଦିରରେ ସକାଳ ନୀତିକାନ୍ତି ପରେ ତିନି ଠାକୁରଙ୍କୁ ସ୍ୱତନ୍ତ୍ର ବେଶ କରାଯିବାପରେ ଅପରାହ୍ନ ୪ ଟାରେ ବ୍ରାହ୍ମଣସେବକମାନଙ୍କ ଦ୍ୱାରା ତିନି ଠାକୁରଙ୍କୁ ମନ୍ଦିରରୁ ବାହାରକୁ ଅଣାଯାଇ ଗୋଟିପହଣ୍ଡିରେ ନିଆଯାଇଥିଲା । ଏହି ସମୟରେ ଭକ୍ତମାନଙ୍କ ଦ୍ୱାରା ବଡଦାଣ୍ଡର ବିଭିନ୍ନ ସ୍ଥାନରେ ପରମ୍ପରା ମୁତାବକ ବାଟଭୋଗ ସବୁ ଲାଗି କରାଯାଇଥିଲା । ବ୍ରାହ୍ମଣସେବକଙ୍କ କାନ୍ଧରେ ତିନିଠାକୁର ଝୁଲି ଝୁଲି ପହଣ୍ଡିଯାତ୍ରାରେ ଯିବାବେଳେ ସକିର୍ତନ , ଘ, ଶଙ୍ଖ ନାଦରେ ବଡଦାଣ୍ଡ ପୁରି ଉଠିଥିଲା । ଠାକୁରମାନଙ୍କୁ ରଥାରୁଢ କରାଯିବାପରେ ପରମ୍ପରା ଅନୁଯାୟୀ ଶିଶୁମାନଙ୍କ ରଥ ଛୁଆଁ ଓ ବୌଦ୍ଧ ରାଜପରିବାରର ସତ୍ୱାଧିକାରୀ ଦେବେନ୍ଦ୍ର ପ୍ରସାଦ ଦେବଙ୍କ ଦ୍ୱାରା ଛେରା ପହଁରା ନିତି ସଂପର୍ଣ୍ଣ ହୋଇଥିଲା । ସନ୍ଧ୍ୟା ସମୟରୁ ଝିପି ଝିପି ବର୍ଷା ସତ୍ୱେ ରଥାରୁଢ ତିନି ଠାକୁରଙ୍କୁ ଦର୍ଶନ କରିବାକୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ସେହିପରି ହରିଗୁଢି ରଥରେ ତିନି ଠାକୁର ରଥାରୁଢ ହେବାପରେ ପରମ୍ପରା ଅନୁଯାୟୀ ମହିଳା ମାନେ ରଥ ଟାଣିଥିଲେ । ଜିଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଧାରା ବିବରଣୀ ପ୍ରଦାନ ସହିତ ସୂଚନା କେନ୍ଦ୍ର ଖୋଲାଯାଇ ଉତ୍କଳ ପ୍ରସଙ୍ଗ ବିକ୍ରୟ କରାଯାଇଥିଲା । ଅଧ୍ୟାପକ ପ୍ରତାପ କୁମାର ରଥ,ଚନ୍ଦ୍ରକାନ୍ତ ନାଏକ,ହୃଷିକେଶ ପ୍ରଧାନ,ଇ. ସଂର୍ଜ କୁମାର ପଣ୍ଡା,ସୁଶାନ୍ତ କୁମାର ମହାପାତ.ଜ୍ଞାନ ରଞ୍ଜନ ଶତପଥୀ,ଉମେଶ ପ୍ରସାଦ ମେହେର,ସନ୍ତୋଷ କର୍ଣ୍ଣ,ଦୁଃଖିଶ୍ୟାମ ବେହେରା,ଶିବଦତ ପଟ୍ଟନାୟକ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ । ଜିଲାପାଳ ଲଲାଟେନ୍ଦୁ ମିଶ୍ର,ଏସପି ଜ୍ଞାନରଞ୍ଜନ ମହାନ୍ତି, ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର,ଉପଜିଲାପାଳ ସନତ କୁମାର ନାଏକ, ତହସିଲଦାର ଦେବୀ ପ୍ରସାଦ ଦାଶ,ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଓ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତିି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ରହିତ ବାହୁଡା ଯାତ୍ରାର ବିଭିନ୍ନ କାର୍ଯ୍ୟ ତଦାରଖ କରିବା ସହିତ ରଥ ଟାଣିଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ଓ ବାରମ୍ବାର ନିବଦେନ ସତ୍ୱେ ପହଣ୍ଡି ଓ ରଥ ଟଣାରେ ବହୁ ବିଳିମ୍ବ ଯୋଗୁଁ ଦୂର ଦୁରାନ୍ତରୁ ଆସିଥିବା ଭକ୍ତମାନେ ରଥ ଟଣା ଶେଷ ନହେବା ପୁର୍ବରୁ ଚାଲିଯିବା ସହ ବିଳମ୍ବ ଯୋଗୁଁ ବହୁ ଭକ୍ତଙ୍କ ମନରେ ଅଶାନ୍ତି ଭାବ ପ୍ରକାଶ ପାଇଥିଲା । ଜନଗହଳିକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପକ୍ଷରୁ ବ୍ୟାପକ ଭାବରେ ମୃତୟନ ହୋଇଥିଲେ । ତେବେ ରଥଯାତ୍ରା ଭଳି ବାହୁଡାଯାତ୍ରା ମଧ୍ୟ ସକାଳୁ ପହଣ୍ଡି ଆରମ୍ଭ କରାଯାଇ ଠିକ୍ ସମୟରେ ରଥଟଣା ହେଲେ ବହୁ ଭକ୍ତ ରଥାରୁଢ ଠାକୁରଙ୍କ ଦର୍ଶନ କରିପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.