ପଡିଆ/କାଲିମେଳା:- ରାଜ୍ୟରେ ମାଲକାନଗିରି ଜିଲ୍ଲା ଏକ ପଛୁଆ ଜିଲ୍ଲା ଭାବେ ପରିଚିତ ଥିବାରୁ ରାଜ୍ୟ ସରକାର ଏହାର ବିକାଶ ପାଇଁ ଅନେକ କାର୍ଯ୍ୟ କରୁଛନ୍ତି। ଏଠାରେ କୋୟା, ବଣ୍ଡା, ଡିଡାୟି, କନ୍ଧ ଓ ସାନ୍ତାଳି ଭଳି ଆଦିବାସୀ ସମୁଦାୟ ବସବାସ କରୁଥିବାରୁ ଏମାନଙ୍କ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବା ସହ ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଉଛି। ତେବେ ଏଭଳି ଏକ ପଛୁଆ ଜିଲ୍ଲାରୁ ନିଜର ପ୍ରତିଭା ଓ ଅଧ୍ୟବସାୟ ବଳରେ ଓଡିଶା ସାହିତ୍ୟ ଏକାଡ଼େମୀର ଦୃଷ୍ଟି ଆକର୍ଷଣକୁ ଆସିଛନ୍ତି ମାଲାକନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୯ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶାଳିନୀ ବେହେରା। ସେ ଜୁଲାଇ ୧୦ ତାରିଖ ଦିନ ଓଡିଶା ସାହିତ୍ୟ ସଂଗଠନ ପକ୍ଷରୁ ଭୁବନେଶର ସ୍ଥିତ ବିଜେବି କଲେଜରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାରୁ କନିଷ୍ଠ ବର୍ଗରେ ପ୍ରତିନିଧିତ୍ଵ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ମାଲକାନଗିରି ଭଳି ପଛୁଆ ଜିଲ୍ଲାରୁ ସଙ୍ଗୀତ ଗାନ ପାଇଁ ରାଜ୍ୟ ସ୍ତରରୁ ମନୋନୀତ ହେବା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବର ବିଷୟ ବୋଲି ଏମଭି ୭୯ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂଜୀବ କୁମାର ବୈଦ୍ୟ କହିଛନ୍ତି। ଅନ୍ୟପଟେ ଶାଳିନୀ ଓଡିଶା ସାହିତ୍ୟ ଏକାଡେମୀ ର କାର୍ଯ୍ୟକ୍ରମରେ ସଙ୍ଗୀତ ଗାନ ସୁଯୋଗ ପାଇଥିବା କଥା ଜାଣିବ ପରେ ଶାଳିନୀ ର ବାପା ନାରାୟଣ ବେହେରା, ମା ବିୟୁଟି ବେହେରା ସମେତ ପରି ସରକାର, ଦୀପକ ଦତ୍ତ, ବିଷ୍ନୁ ସ୍ଵାଇଁ, ମାନସ ଜେନା, ସନ୍ତୋଷ ବାରିକ, ରବି ଶଙ୍କର ବାରିକ ପ୍ରମୁଖ ଖୁସି ଜାହିର୍ କରିଛନ୍ତି।
